ଆପୋ ନାରା ଇତି ପ୍ରୋକ୍ତା ଯସ୍ମାତ୍ତା ନରସୂନବଃ।
ଅୟନଂ ପ୍ରଥମଞ୍ଚାସ୍ୟ ତସ୍ମାଦପ୍‌ସୁ ହରିଂ ସ୍ମରେତ୍।ା
-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍‌, ୩୧/୧୧

Advertisment

‘ସ୍କନ୍ଦପୁରାଣ-ଉତ୍କଳଖଣ୍ଡ’ ବା ‘ଶ୍ରୀପୁରୁଷୋତ୍ତମ କ୍ଷେତ୍ରମାହାତ୍ମ୍ୟମ୍‌’ରେ, ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାବିଧି ବର୍ଣ୍ଣନା ପ୍ରସଙ୍ଗରେ ଜଳ ସହିତ ଭଗବାନ ବିଷ୍ଣୁଙ୍କର ସଂପର୍କ କ’ଣ ତାହାର ସୁନ୍ଦର ବର୍ଣ୍ଣନା କରାଯାଇଛି। ତାହାର ସାରମର୍ମ ହେଉଛି- ଜଳ ନାରାୟଣଙ୍କର ପୁତ୍ର ଓ ନାରାୟଣଙ୍କର ଆଶ୍ରୟ।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ବଦରିକା ଆଶ୍ରମରେ ବାସ କରୁଥିବା ନର ଓ ନାରାୟଣ ଥିଲେ ଭଗବାନ ବିଷ୍ଣୁଙ୍କର ଦୁଇ ନରରୂପୀ ଅବତାର। ସେମାନେ ଥିଲେ ଦୁଇ ଋଷିଭ୍ରାତା। ଏ ସଂପର୍କରେ ‘ସ୍କନ୍ଦପୁରାଣ’ର ଉପରୋକ୍ତ ସୁଭାଷିତରେ ଉଲ୍ଲେଖ ଅଛି- ଜଳ ‘ନର’ନାମକ ପରମାତ୍ମାଙ୍କର ପୁତ୍ରସ୍ୱରୂପ ବୋଲି ପଣ୍ଡିତମାନେ ଜଳକୁ ‘ନାରା’ କହିଥାଆନ୍ତି। ଏହି ‘ନାରା’ ବା ଜଳ ତାଙ୍କର ପ୍ରଥମ ଅୟନ ବା ବାସସ୍ଥାନ ହେତୁ ତାଙ୍କର ନାଆଁ ‘ନାରାୟଣ’। ଏଣୁ ଜଳ ମଧ୍ୟରେ (ଅର୍ଥାତ୍ ସ୍ନାନ କରିବା ପରେ, ସେହିଠାରେ) ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିବା ଏକାନ୍ତ କର୍ତ୍ତବ୍ୟ।
ଏ ଦୃଷ୍ଟିରୁ ‘ଜଳ’ ପରମପବିତ୍ର ଏବଂ ସାକ୍ଷାତ୍ ପରମାତ୍ମାଙ୍କ ସ୍ୱରୂପ। ଏଣୁ ଜଳକୁ ଭଗବାନ ଜ୍ଞାନ କରିବା ଏବଂ ଅପବିତ୍ର ବା ଦୂଷିତ ନ କରିବା ଆମର ପରମ କର୍ତ୍ତବ୍ୟ।