ଏକୈବ ଶକ୍ତିଃ ପରମେଶ୍ୱରସ୍ୟ,
ଭିନ୍ନା ଚତୁର୍ଦ୍ଧା ବିନିଯୋଗକାଳେ।
ଭୋଗେ ଭବାନୀ ପୁରୁଷେଷୁ ବିଷ୍ଣୁଃ,
କୋପେଷୁ କାଳୀ ସମରେଷୁ ଦୁର୍ଗା।ା
-ଶ୍ରୀଶିବକାମସୁନ୍ଦରୀ ସହସ୍ରନାମସ୍ତୋତ୍ରମ୍, ଉତ୍ତରପୀଠିକା, ୫୨
ପରଂବ୍ରହ୍ମ ପରମେଶ୍ୱରଙ୍କର ତିନିଟି ଗୁଣ ଓ ତିନିଟି ରୂପ କଥା ସମସ୍ତଙ୍କୁ ଜଣା। ରଜଗୁଣରେ ସେ ବ୍ରହ୍ମା ରୂପେ ସୃଷ୍ଟି କରନ୍ତି; ସତ୍ତ୍ୱଗୁଣରେ ସେ ବିଷ୍ଣୁ ରୂପେ ପାଳନ କରନ୍ତି ଏବଂ ତମଗୁଣରେ ସେ ରୁଦ୍ର ବା ଶିବ ରୂପେ ସଂହାର କରନ୍ତି। ସେହି ଏକ ଶକ୍ତି ପ୍ରୟୋଜନ ଅନୁସାରେ ବା ବିନିଯୋଗ ସମୟରେ, ଭିନ୍ନଭିନ୍ନ ରୂପ ଗ୍ରହଣ କରନ୍ତି। କିନ୍ତୁ ତତ୍ତ୍ୱତଃ ସେ ଏକ।
‘ଶ୍ରୀଶିବକାମସୁନ୍ଦରୀ ସହସ୍ରନାମସ୍ତୋତ୍ରମ୍’ରେ ଶିବଙ୍କୁ ପରମତତ୍ତ୍ୱ ବା ପରଂବ୍ରହ୍ମ ପରମେଶ୍ୱର ରୂପେ ଗ୍ରହଣ କରାଯାଇ ଉପରୋକ୍ତ କଥାଟି କୁହାଯାଇଛି। ଏହା ଅନୁସାରେ, ସେହି ଏକ ପରମତତ୍ତ୍ୱ ଶିବଙ୍କର ଶକ୍ତି, ବିନିଯୋଗ ସମୟରେ ଭିନ୍ନ ଭିନ୍ନ ଚାରିଟି ରୂପ ଗ୍ରହଣ କରିଥାନ୍ତି। କାଳୀ ହେଉଛନ୍ତି ତାଙ୍କର କୁପିତା ରୂପ। ସେହିପରି ମହିଷ ଓ ଦୁର୍ଗମ ଆଦି ଅସୁରଙ୍କର ବିନାଶ ପାଇଁ ସେ ଦୁର୍ଗା ରୂପେ ସମରକ୍ଷେତ୍ରରେ ଆବିର୍ଭୂତା ହୁଅନ୍ତି। ଭବାନୀ ମଧ୍ୟ ତାଙ୍କର ଗୋଟିଏ ରୂପ। ‘ଭବ’ ଅର୍ଥ ଶିବ। ଏଣୁ ଭବ ବା ଶିବପତ୍ନୀ ଭାବରେ ସେ ଭବାନୀ। ଏହି ରୂପରେ ସେ ଭୋଗ କରନ୍ତି। କିନ୍ତୁ ଏହି ତିନି ରୂପ ବ୍ୟତୀତ, ତାଙ୍କର ଆଉ ଗୋଟିଏ ରୂପ ଅଛି। ତାହା ହେଉଛି- ପୁରୁଷ ରୂପରେ ସେ ବିଷ୍ଣୁ।
ଏଣୁ ଏହି ଶ୍ଳୋକଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆମକୁ କହେ- ବିଷ୍ଣୁ, ଶିବ, କାଳୀ, ଦୁର୍ଗା ଓ ଭବାନୀ ଏକ ଏବଂ ଅଭିନ୍ନ। ଏହା ସେହି ଏକ ପରମତତ୍ତ୍ୱ ବା ପରମଶକ୍ତିଙ୍କର ଭିନ୍ନ ଭିନ୍ନ ରୂପ ବା ପରିପ୍ରକାଶ।
ସୁଭାଷିତ: ସେ କୋପରେ କାଳୀ, ସମରରେ ଦୁର୍ଗା, ଭୋଗରେ ଭବାନୀ
/sambad/media/post_attachments/wp-content/uploads/2022/10/fs4h654fh65fh4fh64fsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)