ଫଳଂ ମହାକ୍ରତୂନାଂ ଯତ୍ ତୀର୍ଥାନାଂ ଫଳମୁତ୍ତମମ୍।
ଦାନାନାଂ ତପସ୍ୟା‌େଞ୍ଚୖବ ସାତ୍ତ୍ବିକାନାଞ୍ଚ ଯତ୍‌ଫଳମ୍‌ ାା
ଏକୟା ବିଷ୍ଣୁଭକ୍ତ୍ୟା ତତ୍ସମଗ୍ରଂ ଫଳମଶ୍ନୁତେ।
(ସ୍କନ୍ଦପୁରାଣ- ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ, ୩୮/୫୯-୬୦)

Advertisment

ଆମେ ପୁଣ୍ୟ ଫଳ ପାଇବା ପାଇଁ କେତେ ନା କେତେ କଥା କରିଥାଉ। ଅନେକେ ଯଜ୍ଞ କରନ୍ତି। ଏହି ଯଜ୍ଞ ପୁଣି ଅନେକ ପ୍ରକାରର। ବେଦଯଜ୍ଞ ତାହା ମଧ୍ୟରେ ପ୍ରଧାନ। ସେଥିରେ ପୁଣି ଚାରିବେଦ ଅନୁସାରେ ଚାରିପ୍ରକାରର ଯଜ୍ଞ ଏବଂ ସର୍ବବେଦୀ ଯଜ୍ଞ ରହିଛି। ଭକ୍ତି ଓ ନିଷ୍ଠାରେ ସମ୍ପନ୍ନ ହେଲେ, ଏହିସବୁ ଯଜ୍ଞର ପୁଣ୍ୟଫଳ ନିଶ୍ଚିତ ଭାବରେ ମିଳିଥାଏ। ମହାରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ପାଇବା ପାଇଁ ସହସ୍ର ଅଶ୍ବମେଧ ଯଜ୍ଞ କରିଥିଲେ। ସେହି ଯଜ୍ଞର ପୁଣ୍ୟଫଳରୁ ସେ ଶ୍ରୀଜଗନ୍ନାଥଙ୍କୁ ପାଇଥିଲେ।

ସେହିପରି ତୀର୍ଥାଟନ। ବିଭିନ୍ନ ତୀର୍ଥସ୍ଥଳକୁ ଯାତ୍ରା କରି, ସେଠାରେ ପ୍ରତିଷ୍ଠିତ ଦେବୀ ବା ଦେବତାଙ୍କର ଦର୍ଶନ ଓ ଅର୍ଚ୍ଚନା କରି, ତୀର୍ଥସ୍ଥଳର ଘାଟ, ତଟ ଆଦିରେ ସ୍ନାନ କରି, ଲୋକେ ପୁଣ୍ୟ ଫଳ ପାଇଥାଆନ୍ତି। ଦାନରୁ ମଧ୍ୟ ପୁଣ୍ୟ ମିଳେ। ଦରିଦ୍ରଙ୍କୁ ଅନ୍ନ, ବସ୍ତ୍ର ଆଦି ଦାନ, ଭଗବାନ ଓ ପିତୃପୁରୁଷଙ୍କୁ ଦୀପ, ଅର୍ଘ୍ୟ ଆଦି ଦାନ, ଏବଂ ବ୍ରାହ୍ମଣଙ୍କୁ ଗୋ, ସ୍ବର୍ଣ୍ଣ ଆଦି ଦାନ ପରମ ପୁଣ୍ୟପ୍ରଦ ବୋଲି ଶାସ୍ତ୍ର ଗ୍ରନ୍ଥା‌ଦିରେ କୁହାଯାଇଛି। ସେହିପରି ତପସ୍ୟାର ପୁଣ୍ୟଫଳ ମଧ୍ୟ ଯୁଗେ ଯୁଗେ ସ୍ବୀକୃତ ହୋଇଆସିଛି। ବିଭିନ୍ନ ସାତ୍ତ୍ବିକ କର୍ମରୁ ମଧ୍ୟ ଆମକୁ ପୁଣ୍ୟଫଳ ମିଳିଥାଏ। କିନ୍ତୁ ‘ସ୍କନ୍ଦପୁରାଣ’ର ଉପରୋକ୍ତ ସୁଭାଷିତରେ ଆଉ ଗୋଟିଏ ମହତ୍ତ୍ବପୂର୍ଣ୍ଣ କଥା କୁହାଯାଇଛି। ତାହା ହେଉଛି- ସମସ୍ତ ମହାଯଜ୍ଞ, ଅଖିଳ ତୀର୍ଥ, ସର୍ବବିଧ ଦାନ, ଅନନ୍ତ ତପସ୍ୟା ଏବଂ ସମସ୍ତ ପ୍ରକାରର ସାତ୍ତ୍ବିକ କ୍ରିୟାରୁ ଯେଉଁ ଫଳ ମିଳେ, କେବଳ ହରି ବା ଭଗବାନ ବିଷ୍ଣୁଙ୍କୁ ଭକ୍ତି କଲେ ସେହି ସମସ୍ତ ଫଳ ମିଳିଥାଏ।