ସୁଭାଷିତ: ପରହିଂସା ଆୟୁଷ, ବଳ, ଯଶ ଓ ଧର୍ମ ନାଶ କରେ

ଆୟୁଷ ବଳ ଯଶ ଧର୍ମ। ଲୋକ ଆଶିଷ ଶୁଭକର୍ମ।ା
ଏ ଆଦି ସର୍ବ ନାଶ କରେ। ଯେ ହିଂସା କରିଥାନ୍ତି ପରେ।ା
-ଜଗନ୍ନାଥ ଦାସ, ଶ୍ରୀମଦ୍‌ଭାଗବତ, ୧୦-୫
ପରହିଂସା ପାପ; ପରୋପକାର ଧର୍ମ। ସଂସ୍କୃତ ‘ଶ୍ରୀମଦ୍ ଭାଗବତ’ରେ ବ୍ୟାସଦେବ ଏହା କହିଛନ୍ତି। ନବାକ୍ଷରୀ ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ ମଧ୍ୟ ଏହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।
ଜଗନ୍ନାଥ ଦାସଙ୍କ ଭାଗବତର ଦଶମସ୍କନ୍ଧ, ପଞ୍ଚମ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି କଂସର ମାନସିକ ଦ୍ୱନ୍ଦ୍ୱ। କଂସ ବନ୍ଦୀଶାଳାରେ ଶ୍ରୀକୃଷ୍ଣ ଜନ୍ମ ହେବା ପରେ, ବସୁଦେବ ତାହାଙ୍କୁ ନେଇ ଗୋପନଗ୍ରରେ ନନ୍ଦଘରେ ରଖି, ସେଠାରୁ ନବଜାତ ଶିଶୁକନ୍ୟାଙ୍କୁ ପାଲଟାଇ ଆଣିଥିଲେ। କଂସ ସେହି ଶିଶୁକନ୍ୟାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। କାରଣ, ସେ ଥିଲେ ମହାମାୟା, ଦେବୀ ଦୁର୍ଗା। ସେହି କନ୍ୟା କଂସ ହାତରୁ ଖସିଯାଇ, ଆକାଶମାର୍ଗରୁ ତାକୁ ଚେତାବନୀ ଦେଇଥିଲେ। ଭଉଣୀ ଦେବକୀ ଓ ବସୁଦେବଙ୍କୁ କାରାଗାରରୁ ମୁକ୍ତ କରିଦେବାକୁ କହିଥିଲେ।
ତାହା କଂସ ମନରେ ଭାବାନ୍ତର ଆଣିଥିଲା। ସେ ଦେବକୀ ଓ ବସୁଦେବଙ୍କୁ ମୁକ୍ତ କରିଥିଲା। ନବଜାତ ଛଅ ଭଣଜାଙ୍କୁ ହତ୍ୟା କରିଥିବାରୁ ଅନୁତପ୍ତ ମଧ୍ୟ ହୋଇଥିଲା। ତା’ ମନରେ ଭାବନା ଆସିଥିଲା- ଜନ୍ମହେଲେ ମୃତ୍ୟୁ ଅଛି। ଏ ସଂସାର କାହାରି ନୁହେଁ। ସବୁ ମାୟା। ଏଣୁ ଏ ହିଂସା ଅକାରଣ।
କିନ୍ତୁ ପରଦିନ ଅସୁରସଭା ଡକାଇ, ସେମାନଙ୍କୁ ସେ କଥା କହିବାରେ, ସେମାନେ ସେଥିରେ ସମ୍ମତ ହୋଇ ନଥିଲେ। କହିଥିଲେ- ଦେବୀଙ୍କ ସତର୍କବାଣୀ ଅନୁସାରେ, ତୁମ୍ଭର ଶତ୍ରୁ ଚକ୍ରଧର ଅନ୍ୟତ୍ର ରହିଛନ୍ତି। ତେଣୁ ଦିନକର ଶିଶୁଙ୍କଠାରୁ ଆରମ୍ଭ କରି ସମସ୍ତଙ୍କୁ ମାରି ପକାଇବା।
ସେମାନେ କଂସକୁ ଏହା ମଧ୍ୟ ବୁଝାଇଲେ- ତୁମ୍ଭର ଶତ୍ରୁ ହେଉଛନ୍ତି କୃଷ୍ଣ। ସେ ସକଳ ଘଟରେ ବିରାଜିତ। ଯେଉଁମାନେ ବ୍ରାହ୍ମଣଙ୍କୁ ଗୋ-ଦାନ କରନ୍ତି, ଯଜ୍ଞ କରନ୍ତି, ତୀର୍ଥାଟନ ଓ ତପ କରନ୍ତି, ବିଷ୍ଣୁ ଭଜନ ଓ ଦୁଃଖୀଜନଙ୍କୁ ଦୟା କରନ୍ତି, ପରୋପକାର କରନ୍ତି; ସେହି ହରି ତାଙ୍କ ଶରୀରରେ ଅବସ୍ଥାନ କରନ୍ତି। ତେଣୁ ତାଙ୍କୁ ମାରି ପକାଇଲେ ହରି ମରିଯିବେ।
ତାହାକୁ କଂସ ବିଶ୍ୱାସ କଲା। ଫଳରେ ସେମାନେ ଗ୍ରାମ, ପାଟଣା, ପୁର, ଦେଶ ଖୋଜି ଶିଶୁଙ୍କୁ ମାରିବାରେ ଲାଗିଲେ।
ଏହି ପ୍ରସଙ୍ଗରେ ଉପରୋକ୍ତ ସୁଭାଷିତରେ କୁହାଯାଇଛି- ଯେ ତମଃଗୁଣ ଆଚରଣ କରେ, ନିଶ୍ଚିତ ଭାବରେ ସେ ନିକଟ ମରଣ ଲୋଡ଼େ। ଯେ ପରହିଂସା କରେ, ତା’ର ଆୟୁଷ, ଯଶ, ବଳ ଓ ଧର୍ମ ନାଶ ହୁଏ।

ସମ୍ବନ୍ଧିତ ଖବର