ସର୍ବେଷାଂ ଚୈବ କ୍ଷେତ୍ରାଣାଂ ରାଜା ଶ୍ରୀପୁରୁଷୋତ୍ତମଃ ।
ସର୍ବେଷାଂ ଚୈବ ଦେବାନାଂ ରାଜା ଶ୍ରୀପୁରୁଷୋତ୍ତମଃ ାା
-କପିଳ ସଂହିତା, ୫/୩୯
‘ବ୍ରହ୍ମପୁରାଣ’ରେ ଯେପରି ପୁରୁଷୋତ୍ତମ ତୀର୍ଥକୁ ତୀର୍ଥମାନଙ୍କ ମଧ୍ୟରେ ଶ୍ରେଷ୍ଠ ଓ ବରିଷ୍ଠ ବୋଲି କୁହାଯାଇଛି, ‘କପିଳସଂହିତା’ରେ ମଧ୍ୟ‌ ସେହିପରି ଶ୍ରୀପୁରୁଷୋତ୍ତମକ୍ଷେତ୍ରକୁ ସବୁକ୍ଷେତ୍ରମାନଙ୍କ ମଧ୍ୟରେ ରାଜା କୁହାଯାଇଛି।
ଏକାମ୍ର କ୍ଷେତ୍ରକୁ ନେଇ ଲିଖିତ ଉପପୁରାଣମାନଙ୍କ ମଧ୍ୟରେ ‘କପିଳ ସଂହିତା’ ପ୍ରମୁଖ। ଅନ୍ୟ ଉପପୁରାଣ ମାନ ହେଉଛି–‘ଏକାମ୍ର ପୁରାଣ’, ‘ସ୍ବର୍ଣ୍ଣାଦ୍ରି ମହୋଦୟ’ ଓ ‘ଏକାମ୍ର ଚନ୍ଦ୍ରିକା’। ଏମାନଙ୍କ ମଧ୍ୟରେ ‘କପିଳ ସଂହିତା’ ସର୍ବପ୍ରାଚୀନ। ତେବେ ଏହାର ବିଶେଷତ୍ବ ହେଉଛି- ଉଲ୍ଲିଖିତ ଅନ୍ୟ ତିନିଟି ଗ୍ରନ୍ଥ କେବଳ ଏକାମ୍ରକ୍ଷେତ୍ରକୁ ନେଇ ରଚିତ ହୋଇଥିବା ବେଳେ, ‘କପିଳ ସଂହିତା’ରେ ସାମଗ୍ରିକ ଭାବେ ଉତ୍କଳଦେଶ ସଂପର୍କରେ ବର୍ଣ୍ଣନା ରହିଛି।
‘କପିଳ ସଂହିତା’ର ମୋଟ ୨୧ଟି ଅଧ୍ୟାୟ ମଧ୍ୟରୁ ତୃତୀୟ, ଚତୁର୍ଥ ଓ ପଞ୍ଚମ ଅଧ୍ୟାୟରେ ନୀଳାଚଳ ସଂପର୍କରେ ବର୍ଣ୍ଣନା ଅଛି। ‘କପିଳ ସଂହିତା’ ଏ ବାବଦରେ ବର୍ଣ୍ଣନା ଥିବା ଓଡ଼ିଶାର ପ୍ରଥମ ଓ ପ୍ରାମାଣିକ ଉପପୁରାଣ। ଏହାର ରଚନା ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ବୋଲି ଜଣାଯାଏ।
ଏହି ଉପପୁରାଣର ପଞ୍ଚମ ଅଧ୍ୟାୟର ୩୯ତମ ଶ୍ଳୋକ ହେଉଛି ଉପରୋକ୍ତ ସୁଭାଷିତ। ଏହାର ପୂର୍ବର ଦୁଇ ଶ୍ଳୋକ (ଶ୍ଳୋକ ୩୭ ଓ ୩୮)ରେ କୁହାଯାଇଛି- କଳ୍ପବଟ ମୂଳରେ ବଟେଶ ସର୍ବପାପରୁ ମୁକ୍ତିକାରକ ଅଟନ୍ତି, ଯଦିଓ ଉତ୍କଳରେ ବାରାଣସୀ କ୍ଷେତ୍ର ତୁଲ୍ୟ ଏକାମ୍ର କ୍ଷେତ୍ର ରହିଛି। ତଥାପି ପୁରୁଷୋତ୍ତମ କ୍ଷେତ୍ରର ସମକକ୍ଷ ହେବାପରି କ୍ଷେତ୍ର ସମଗ୍ର ତ୍ରୈଲୋକ୍ୟମଣ୍ଡଳରେ ନାହିଁ।
ଏହାପରେ, ଉପରୋକ୍ତ ସୁଭାଷିତରେ କୁହାଯାଇଛି–ସମସ୍ତ କ୍ଷେତ୍ରମାନଙ୍କ ମଧ୍ୟରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ରାଜା ବା ଶ୍ରେଷ୍ଠ ଏବଂ ସକଳ ଦେବତାଙ୍କ ମଧ୍ୟରେ ଶ୍ରୀପୁରୁଷୋତ୍ତମ (ଜଗନ୍ନାଥ) ରାଜା ବା ଶ୍ରେ‌ଷ୍ଠ ଅଟନ୍ତି।