ସୁଭାଷିତ: ଜୀବନ ଏକ ପ୍ରେମ, ସେଥିରେ ନିମଜ୍ଜିତ ହୁଅ

-ଶ୍ରୀ ସତ୍ୟସାଇବାବା

୨୪ ଏପ୍ରିଲ୍‌, ସତ୍ୟସାଇବାବାଙ୍କର ପୁଣ୍ୟତିଥି। ପୁଟପୂର୍ତ୍ତିଠାରେ ତାଙ୍କର ଆବିର୍ଭାବ ହୋଇଥିଲା ୨୩ ନଭେମ୍ବର ୧୯୨୬ରେ ଏବଂ ସେହି ପୁଟପୂର୍ତ୍ତିଠାରେ ହିଁ ୨୦୧୧ ମସିହା ଏପ୍ରିଲ ୨୪ ତାରିଖ ଦିନ ତାଙ୍କର ଦେହାବସାନ ଘଟିଥିଲା। ମାତ୍ର ୧୪ ବର୍ଷ ବୟସରେ ସତ୍ୟସାଇବାବା ନିଜକୁ ଶିରିଡ଼ି ସାଇବାବାଙ୍କ ଅବତାର ବୋଲି ଘୋଷଣା କରି, ଗୃହତ୍ୟାଗ କରିଥିଲେ। କ୍ରମେ ସେ ଜଣେ ଭାରତୀୟ ଗୁରୁ ଓ ଜନସେବୀ ଭାବରେ ପ୍ରସିଦ୍ଧି ଲାଭ କଲେ। ତାଙ୍କର ଅଲୌକିକତା ବହୁ ଅନୁଗାମୀ ସୃଷ୍ଟି କଲା।

ଜୀବନ ସଂପର୍କରେ ସତ୍ୟସାଇବାବାଙ୍କର ଅନେକ ସଦୁକ୍ତି ବା ସୁଭାଷିତ ରହିଛି। ସେ କହିଛନ୍ତି- ଜୀବନ ଏକ ଗୀତ, ତାହାକୁ ଗାନ କର। ପୁଣି, କହିଛନ୍ତି- ଜୀବନ ଏକ ଆହ୍ୱାନ, ତାର ସାମ୍ନା କର। ସେହିପରି, ଜୀବନକୁ ଏକ ଖେଳ ବୋଲି କହି, ସେହି ଖେଳ ଖେଳିବାକୁ ସେ ଆହ୍ୱାନ ଦେବା ସହିତ, ଜୀବନ ଏକ ତ୍ୟାଗ ବୋଲି କହି, ବଳିଦାନ ଦିଅ ବୋଲି ଅନୁଗାମୀମାନଙ୍କୁ ଉଦ୍‌ବୋଧିତ କରିଛନ୍ତି। ଜୀବନ ସଂପର୍କରେ ସତ୍ୟସାଇବାବାଙ୍କର ଶ୍ରେଷ୍ଠବାଣୀ ରୂପେ ଗ୍ରହଣ କରାଯାଏ- “ଜୀବନ ଏକ ପ୍ରେମ- ସେଥିରେ ନିମଜ୍ଜିତ ହୁଅ”କୁ। ଏହାର ଅଧିକ ବ୍ୟାଖ୍ୟା କରି ସେ କହିଛନ୍ତି- ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯେଉଁ ପ୍ରେମ, ତାହା ହେଉଛି- ମୋହ। ସେହିପରି ବନ୍ଧୁ ବନ୍ଧୁ ମଧ୍ୟରେ ଯେଉଁ ପ୍ରେମ, ତାହା ହେଉଛି- ବନ୍ଧନ ଏବଂ କୌଣସି ବସ୍ତୁ ପ୍ରତି ଯେଉଁ ପ୍ରେମ, ତାହା ହେଉଛି- କାମନା।

କିନ୍ତୁ ସତ୍ୟସାଇବାବାଙ୍କ ଦୃଷ୍ଟିରେ ପ୍ରକୃତ ପ୍ରେମ ହେଉଛି- ଈଶ୍ୱରଙ୍କ ପ୍ରତି ପ୍ରେମ। ସେ କହିଛନ୍ତି- ସାମଗ୍ରିକ ଭାବରେ ଈଶ୍ୱରଙ୍କ ପ୍ରତି ପ୍ରେମ ହେଉଛି- ଭକ୍ତି। ଯଦି ତୁମେ ଥରେ ଏହି ଈଶ୍ୱରପ୍ରେମ ହୃଦୟରେ ଅନୁଭବ କର, ତେବେ କୌଣସି ମନ୍ଦପଣ ଆଉ ସେଠାରେ ପ୍ରବେଶ କରି ପାରିବ ନାହିଁ। ଏ ପ୍ରେମ ଅମୃତ; ତାହା କେବେ ବି ପ୍ରଦୂଷିତ ହୁଏ ନାହିଁ।

ସମ୍ବନ୍ଧିତ ଖବର