ସୁଭାଷିତ: ଆମେ ସମସ୍ତେ ବିଷ୍ଣୁଙ୍କ ଲୀଳାର ପିତୁଳା

ବିଷ୍ଣୁର ଲୀଳା ସର୍ବଦେହୀ। ତା’ବିନୁ ଅନ୍ୟ ଗତି ନାହିଁ।ା
-ମହାଦେବ ଦାସ, କାର୍ତ୍ତିକ ମାହାତ୍ମ୍ୟ, (ଅ.୨)
ମହାଦେବ ଦାସ ବିରଚିତ ‘କାର୍ତ୍ତିକ ମାହାତ୍ମ୍ୟ’ କାର୍ତ୍ତିକ ମହାବ୍ରତର ଏକ ଅତ୍ୟନ୍ତ ଲୋକପ୍ରିୟ ପୁରାଣ। କାର୍ତ୍ତିକ ମାସରେ ବ୍ରତ କରୁଥିବା ଲୋକେ ଏହାକୁ ପାଠ କରିଥାଆନ୍ତି ବା ଏହାର ପଠନ ଶୁଣିଥାଆନ୍ତି। ଏହାର ପଠନ ବା ଶ୍ରବଣରେ ଅଶେଷ ଜନ୍ମର ପାପ ନଷ୍ଟ ହୋଇ ସର୍ବଧର୍ମ ଲାଭ ହୁଏ ବୋଲି କୁହାଯାଇଛି।
କାର୍ତ୍ତିକବ୍ରତ ଏକ ବିଷ୍ଣୁବ୍ରତ। ତେଣୁ ସେଥିରେ ଭଗବାନ ବିଷ୍ଣୁଙ୍କର ମହିମା ବର୍ଣ୍ଣିତ ହୋଇଛି। ଏ ସଂସାରର ସମସ୍ତଙ୍କୁ ବିଷ୍ଣୁଙ୍କ ଲୀଳାର ପିତୁଳା ବୋଲି କୁହାଯାଇଛି। ଏହି ବ୍ରତକଥାର ଦ୍ୱିତୀୟ ଅଧ୍ୟାୟ, ସତ୍ୟଭାମାଙ୍କ ପୂର୍ବଜନ୍ମ ପ୍ରସଙ୍ଗରେ ମଧ୍ୟ ଏହି କଥା କୁହାଯାଇଛି।

ପୂର୍ବଜନ୍ମରେ ସତ୍ୟଭାମା ଥିଲେ ଗୁଣବତୀ ନାମ୍ନୀ ଜଣେ ବିପ୍ରକନ୍ୟା। ଚନ୍ଦ୍ରହୋତ୍ର ନାମଙ୍କ ବିପ୍ରଙ୍କ ସହ ବିବାହ ଦେଇ ପିତା ଦେବଶର୍ମା ଦୁହିଁଙ୍କୁ ନିଜ ଗୃହରେ ରଖିଥିଲେ। ମାତ୍ର ଉଭୟ ପିତା ଓ ପତିଙ୍କର ବିୟୋଗ ଘଟିଲା। ପତିଙ୍କ ବିୟୋଗରେ, ଗୁଣବତୀ ଆତ୍ମାହୁତି ଦେଇ ପତିଙ୍କର ସହଗାମିନୀ ହେବାକୁ ଇଚ୍ଛା କରିଥିଲେ। ମାତ୍ର ପରେ ଚିନ୍ତା କଲେ, ପିତା ଓ ପତି ଉଭୟଙ୍କର ବିୟୋଗ ଘଟିଥିବାରୁ ତାଙ୍କର ପ୍ରେତକୃତ୍ୟ କିଏ କରିବ?
ତେଣୁ ଶୋକ ସମ୍ବରଣ କରି ସେ ଦୁହିଁଙ୍କର ସମସ୍ତ ପ୍ରେତକୃତ୍ୟ କଲେ। ପିତା ଓ ପତିଙ୍କର ଦିବ୍ୟଗତି ହେବା ପରେ, ତାଙ୍କର ଅବବୋଧ ହେଲା, ଯେ ଏ ସଂସାରର ସାର ହେଉଛନ୍ତି ଭଗବାନ ବିଷ୍ଣୁ। ସଂସାରର ସମସ୍ତେ ତାଙ୍କର ଲୀଳାର ପିତୁଳା। ତାଙ୍କ ବିନା ଅନ୍ୟ ଗତି ନାହିଁ। ଏହି ଅବବୋଧ ଫଳରେ ସେ ବିଷ୍ଣୁଙ୍କର ଶରଣ ନେଲେ ଏବଂ କାର୍ତ୍ତିକବ୍ରତ ନାମକ ବିଷ୍ଣୁବ୍ରତ କଲେ। ତାହା ଫଳରେ ସେ ପରଜନ୍ମରେ ଭଗବାନବିଷ୍ଣୁଙ୍କୁ ପତି ରୂପେ ଲାଭ କଲେ।
ଆମେ ଏ ସଂସାରରେ ବହୁ ଦୁଃଖକଷ୍ଟ ପାଉ। କିନ୍ତୁ ଅନେକ ସମୟରେ ତାହାକୁ ଭଗବାନଙ୍କର ଇଚ୍ଛା ବୋଲି ମନେ କରୁନାହିଁ। ତାହା ପଛରେ ଆମର ମଙ୍ଗଳ ଅଛି ବୋଲି ମନେକଲେ ଆମେ ସେଥିରୁ ନିସ୍ତାର ପାଇପାରିବା। ଏ ପ୍ରସଙ୍ଗ ସେଇ କଥା କହେ।

ସମ୍ବନ୍ଧିତ ଖବର