ତସ୍ମାତ୍ ପାନୀୟଦାନାଦ୍ ବୈ ନ ପରଂ ବିଦ୍ୟତେ କ୍ୱଚିତ୍।
ତଚ୍ଚ ଦଦ୍ୟାନ୍ନରୋ ନିତ୍ୟଂ ଯ ଇଚ୍ଛେଦ୍ ଭୂତିମାତ୍ମନଃ।ା
-ମହାଭାରତ, ଅନୁଶାସନ ପର୍ବ (ଅ-୬୬)
କାଳେ କାଳେ ଜଳକୁ ଜୀବନ ବୋଲି କୁହାହୋଇଆସିଛି। ଏହି ଜଳ ହେଉଛି- ସ୍ୱଚ୍ଛ ପାନୀୟ ଜଳ। ଏବେ ଅବଶ୍ୟ ପାନୀୟ କହିଲେ ବିଭିନ୍ନ ପ୍ରକାରର ମୃଦୁ ପାନୀୟଠାରୁ ଆରମ୍ଭ କରି ବିବିଧ କିସମର ମଦ୍ୟକୁ ଏହାର ଅନ୍ତର୍ଭୁକ୍ତ କରାଯାଉଛି। କିନ୍ତୁ ପାନୀୟ କହିଲେ, ମୁଖ୍ୟତଃ ପେୟ ବା ପିଇବାଯୋଗ୍ୟ ଜଳକୁ ହିଁ ବୁଝାଯାଏ।
କାଳେ କାଳେ ପାନୀୟ ଜଳ ଦାନକୁ ଶ୍ରେଷ୍ଠ ଦାନ ବୋଲି କୁହାହୋଇଆସିଛି। ‘ମହାଭାରତ’ର ‘ଅନୁଶାସନ ପର୍ବ’ରେ ଏହାର ପ୍ରମାଣ ଅଛି।
‘ମହାଭାରତ’ର ଆଖ୍ୟାନ ଅନୁସାରେ, ପିତାମହ ଭୀଷ୍ମ ଯେତେବେଳେ ଶରଶଯ୍ୟାରେ ଶାୟିତ ଥିଲେ, ସେତେବେଳେ ତାଙ୍କୁ ଶୋଷ କଲା। ତାହା ଜାଣି, ତାଙ୍କର ତୃଷା ନିବାରଣ ପାଇଁ ଧନୁର୍ଦ୍ଧର ଅର୍ଜୁନ ଭୂମିକୁ ଗୋଟିଏ ତୀର ମାରିଲେ ଏବଂ ତାହା ଗଭୀରତାକୁ ଯାଇ ସେଠାରୁ ଜଳର ଏକ ସ୍ୱଚ୍ଛ ଧାରା ଉପରକୁ ଉଠିଲା। ତାହା ସିଧା ଯାଇ ଭୀଷ୍ମଙ୍କର ପାଟିରେ ପଡ଼ି ତାଙ୍କର ତୃଷା ନିବାରଣ କଲା।
ପରବର୍ତ୍ତୀ କାଳରେ, ଶରଶଯ୍ୟାଶାୟୀ ଭୀଷ୍ମଙ୍କୁ ପାନୀୟ (ଜଳ) ଦାନ ସଂପର୍କରେ ଯୁଧିଷ୍ଠିର ପ୍ରଶ୍ନ କରିବାରୁ, ଭୀଷ୍ମ ତାଙ୍କୁ ଉପରୋକ୍ତ ଉତ୍ତର ଦେଇଥିଲେ। ଏହି ସୁଭାଷିତରେ ପିତାମହ ଭୀଷ୍ମ କହିଛନ୍ତି- ଏ ସଂସାରରେ ଯେତେ ଦାନ ଅଛି, ପାନୀୟ (ଜଳ) ଦାନ ସେସବୁ ମଧ୍ୟରେ ଶ୍ରେଷ୍ଠ। ଯେଉଁ ବ୍ୟକ୍ତି ଭୂତି ବା ଐଶ୍ୱର୍ଯ୍ୟ କାମନା କରନ୍ତି, ସେ ସର୍ବଦା ନିତିଦିନର କର୍ତ୍ତବ୍ୟ ରୂପେ ଜଳଦାନ କରିବା ଉଚିତ।
ଗ୍ରୀଷ୍ମ କାଳରେ ଏହି ପାନୀୟ (ଜଳ) ଦାନ ଅଧିକ ପୁଣ୍ୟପ୍ରଦ ବୋଲି ଶାସ୍ତ୍ର, ଗ୍ରନ୍ଥାଦିରେ କୁହାଯାଇଛି। ଗ୍ରୀଷ୍ମକାଳରେ ପାଦୁକା (ଜୋତା), ପ୍ରପାନକ (ପଣା) ଓ ପଙ୍ଖା (ବିଞ୍ଚଣା) ଆଦି ଦାନ ପାଇଁ ନିର୍ଦ୍ଦେଶ ରହିଛି।
ସୁଭାଷିତ: ଶ୍ରେଷ୍ଠ କର୍ତ୍ତବ୍ୟ ଓ ଶ୍ରେଷ୍ଠ ଦାନ- ‘ଜଳଦାନ’
/sambad/media/post_attachments/wp-content/uploads/2023/04/46f4h654sf65sfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)