ବ୍ୟାନାହଂ ଦାରୁମୟସ୍ତାତ ନେନ୍ଦ୍ରନୀଳମୟୋହ୍ୟହମ୍।
ଲୋକାନାଂ ମୋହନାର୍ଥାୟ ତାଦୃଗ୍‌ଭୂତୋ ଭବାମ୍ୟହମ୍।
-ଶ୍ରୀମହାପୁରୁଷବିଦ୍ୟା, ୩/୧୪୬
ସଦେବ ବିରଚିତ ‘ଶ୍ରୀମହାପୁରୁଷବିଦ୍ୟା’ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱଦର୍ଶନ ସମ୍ବଳିତ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ। ଏହାର ତୃତୀୟ ଅଧ୍ୟାୟରେ ଚର୍ମଚକ୍ଷୁଧାରୀ ମାନବମାନେ ଶ୍ରୀଜଗନ୍ନାଥଙ୍କୁ କିପରି ଭାବରେ ଦର୍ଶନ କରିବେ ତାହାର ବର୍ଣ୍ଣନା ଅଛି। ‘ସୁତ-ସୌନକ ସମ୍ବାଦ’ ମାଧ୍ୟମରେ ଏହି ଗ୍ରନ୍ଥ ମୁଖ୍ୟତଃ ବର୍ଣ୍ଣିତ ହୋଇଥିଲେ ମଧ୍ୟ, ଶ୍ରୀଭଗବାନ ସ୍ୱୟଂ ଏ ସଂପର୍କରେ କହିଛନ୍ତି।
ଚତୁର୍ମୁଖ ବ୍ରହ୍ମା ତାଙ୍କୁ ପଚାରିଛନ୍ତି- ହେ ଦେବେଶ! ହେ ଜଗତ୍‌ପତେ! ହେ ଜଗନ୍ନାଥ! କିପରି ମନୁଷ୍ୟମାନେ ଚର୍ମଚକ୍ଷୁରେ ତୁମକୁ ଦେଖିବାର ଅଧିକାରୀ ହୋଇପାରିବେ? ତାହାର ଉତ୍ତରରେ ସେ କହିଛନ୍ତି- ହେ ମହାଭାଗ! ହେ ଚତୁର୍ମୁଖ! ଏକାଗ୍ର ଚିତ୍ତରେ ମୋର ବଚନ ଶୁଣ। ତୁମର ପ୍ରଥମ ପରାର୍ଦ୍ଧରେ ମୁଁ ନୀଳମାଧବ ରୂପେ ପରିଚିତ ଥିଲି। ସେତେବେଳେ ମୁଁ ନୀଳେନ୍ଦ୍ରମଣି ମୂର୍ତ୍ତିରେ ଦେବଗଣଙ୍କୁ ଆନନ୍ଦିତ କରୁଥିଲି। ଦ୍ୱିତୀୟ ପରାର୍ଦ୍ଧରେ ଯେତେବେଳେ ମୁଁ ଦିବ୍ୟ ଦାରୁମୟୀ ରୂପରେ ଆବିର୍ଭୂତ ହେବି ସେତେବେଳେ ମାନବଗଣ ଚର୍ମଚକ୍ଷୁରେ ମୋର ଦାରୁବିଗ୍ରହଧାରୀ ପରମାନନ୍ଦ ରୂପ ଦେଖି ଏବଂ ମୋର ସୁଦୁର୍ଲଭ ଅନ୍ନ (ଶ୍ରୀମହାପ୍ରସାଦ) ଭୋଗକରି ଜୀବନ୍ମୁକ୍ତ ହେବେ। ତେବେ ଏହା କହିବା ପରେ, ପରିଶେଷରେ ଭଗବାନ୍ କହିଛନ୍ତି- “ହେ ବାପା! (ଅର୍ଥାତ୍ ହେ ମୋର ପୁତ୍ର ବ୍ରହ୍ମା!) ମୁଁ ତତ୍ତ୍ୱତଃ ଦାରୁମୟ ନୁହେଁ କି ଇନ୍ଦ୍ରନୀଳମଣିମୟ ନୁହେଁ। ଲୋକମାନଙ୍କୁ ମୋହିତ କରିବାପାଇଁ ମୁଁ ସେହି ସେହି ରୂପ ଧାରଣ କରିଥାଏ।