ଧନୁମାସ ହେଲା ପହିଲି ଭୋଗ, ମା ସରାଗ
ରାତି ନପାହୁଣୁ କାଉ କା ନକରୁ
ଭୁଞ୍ଜାଇ ଦିଅନ୍ତି ଲଘୁ ଦରବ, ମା’ ସରାଗ।
-ମାଧବୀ ଦାସୀ, ପଞ୍ଚପଦୀ
ମାଧବୀ ଦାସୀ ଷୋଡ଼ଶ ଶତାବ୍ଦୀର ଉତ୍କଳୀୟ ଭକ୍ତକବି। ଶ୍ରୀଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଅବସ୍ଥାନ କାଳରେ ସେ ଥିଲେ ତାଙ୍କର ଏକମାତ୍ର ଶିଷ୍ୟା। କିନ୍ତୁ ସେ ନାରୀ ହୋଇଥିବାରୁ, ଶ୍ରୀଚୈତନ୍ୟ ତାଙ୍କୁ ଅଧା ବୋଲି ଗଣନା କରୁଥିଲେ। ଶ୍ରୀ ରୂପଗୋସ୍ୱାମୀ, ରାୟ ରାମାନନ୍ଦ ଓ ଶିଖି ମହାନ୍ତିଙ୍କ ସହ ତାଙ୍କୁ ମିଶାଇ ସେମାନେ ଥିଲେ ଶ୍ରୀଚୈତନ୍ୟଙ୍କର ସାଢ଼େ ତିନିଜଣ ଶିଷ୍ୟ।
“ଚକାନୟନ ହେ, ଜଗୁଜୀବନ ଶ୍ରୀହରି” ମାଧବୀ ଦାସୀଙ୍କର ଏକମାତ୍ର ପ୍ରସିଦ୍ଧ ଭଜନ। କିନ୍ତୁ ସେ ଶ୍ରୀଜଗନ୍ନାଥଙ୍କ ‘ପହିଲି ଭୋଗ’କୁ ନେଇ ଗୋଟିଏ ‘ପଞ୍ଚପଦୀ’ ପଦ୍ୟ ଲେଖିଥିବା ଜଣାଯାଏ।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ‘ପହିଲି ଭୋଗ’ ହୁଏ। ଏଥି ମଧ୍ୟରେ ଝିଲି, ଦରସୁଆ ବଡ଼ି, ଅମାଲୁ, କାକରା, ମୁଗେଇ, ଏଣ୍ଡୁରି, ଆରିସା, ଝଡ଼େଇ ନଦା, ଚୁଡ଼ାପୁଆ, ଛତୁ, ନଡ଼ୁ, ଗଜା, ଖଇରଚୂଳ, ମଣ୍ଡା, ଗଇଁଠା ଆଦି ଅନ୍ତର୍ଭୁକ୍ତ।
କଥିତ ଅଛି, ପୌଷ ସଂକ୍ରାନ୍ତିରେ ଝିଅ ବାପଘରକୁ ଯିବାର ଉତ୍କଳୀୟ ପ୍ରଥା ଅନୁସାରେ, ମହାଲକ୍ଷ୍ମୀ ନିଜ ବାପଘରକୁ ଯାଇଥାନ୍ତି। ସେ ଫେରନ୍ତି ମକର ସଂକ୍ରାନ୍ତିରେ। ଏହି ଗୋଟିଏ ମାସ, ମାଆ ଅତି ସରାଗରେ, ବଡ଼ି ସକାଳୁ ସହଳ ସହଳ ରାନ୍ଧି, ତାଙ୍କୁ ପହିଲିଭୋଗ ଖୁଆଇ ଥାଆନ୍ତି। ସେଥିପାଇଁ ମାଧବୀ ଦାସୀ ଏହି ପହିଲି ଭୋଗକୁ କହିଛନ୍ତି- “ମା ସରାଗ”। ତାହାରି ପ୍ରତିଫଳନ ମାଧବୀ ଦାସୀଙ୍କର ଏହି ‘ପଞ୍ଚପଦୀ’ର ଉପରୋକ୍ତ ପଦରେ ରହିଛି।
ସେଥିରେ ମାଧବୀ ଦାସୀ ଆହୁରି ମଧ୍ୟ କହିଛନ୍ତି-
“ବଡ଼ି ଚୁଡ଼ାପୁଆ, ମୁଆଁ, ଟାକୁଆ, ଗୁଟି ଲବଣୀ
ପାହାନ୍ତି ପହରେ ମଣୋହି କରାନ୍ତି
ଆପଣା ହାତରେ ନନ୍ଦ ଘରଣୀ, ରୁଟି ଲବଣୀ।”