ଯେ ଦେବ ଗୁରୁ ଏକ କରେ। ନମନ୍ତି ଅଜ୍ଞାନ ବେଭାରେ ାା
ତାହାର ଛେଦି ଯେବେ କର। ସେ ଅପରାଧୁଁ ହୋଇ ପାର ାା
ନୋହିଲେ ଯେତେ ଜନ୍ମ ହୋଇ। କର ଯୁଗଳ ତା’ ନ ଥାଇ ାା
-ଜଗନ୍ନାଥ ଦାସ, ଭାଗବତ, ୧୦,୨୩
ବ୍ୟାସଦେବ ବିରଚିତ ‘ଶ୍ରୀମଦ୍‌ଭାଗବତ’ ସୁଭାଷିତର ଏକ ଅନୁପମ ଗନ୍ତାଘର। ଜଗନ୍ନାଥ ଦାସ ସରଳ, ନବାକ୍ଷରୀ ଓଡ଼ିଆରେ ତାହାକୁ ଆମପାଇଁ ରସପୂର୍ଣ୍ଣ ଭାବରେ ପରିବେଷଣ କରିଛନ୍ତି। ପୁଣି ସେଥିମଧ୍ୟରୁ ଦଶମ ସ୍କନ୍ଧର ‘ଗୋପଲୀଳା’ ଅତ୍ୟନ୍ତ ରସପୂର୍ଣ୍ଣ। ଉପରୋକ୍ତ ସୁଭାଷିତ ତାହାର ଅନ୍ତର୍ଭୁକ୍ତ।
ଭାଗବତର ଦଶମସ୍କନ୍ଧ, ତ୍ର‌ୟୋବିଂଶ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ବସ୍ତ୍ରହରଣ ପ୍ରସଙ୍ଗ।
ଶରତ ଋତୁ ଶେଷ ହୋଇ ହେମନ୍ତ ଋତୁର ଆଗମନ ହେଲା। ଗୋପକୁମାରୀମାନେ ଗୌରୀପୂଜନ ଆରମ୍ଭ କଲେ। ରାତିର ପାହାନ୍ତି ପ୍ରହରରେ ଯମୁନାର ଶୀତଳ ଜଳରେ ସ୍ନାନ କରି ନଦୀତଟରେ ସେମାନେ ବାଲୁଙ୍କା ପୂଜା କଲେ।
ସେହି ସମୟର କଥା। ନିଜ ନିଜର ବସ୍ତ୍ରମାନ ନଦୀତଟରେ ଥୋଇଦେଇ ସେମାନେ ନିର୍ବସ୍ତ୍ର ହୋଇ ଯମୁନାରେ ଜଳକେଳି ଓ ସ୍ନାନ କରୁଥାଆନ୍ତି। ଶ୍ରୀକୃଷ୍ଣ ସେମାନଙ୍କର ବସ୍ତ୍ର ନେଇ ତଟଦେଶର କଦମ୍ବ ବୃକ୍ଷର ଡାଳରେ ବାନ୍ଧିଦେଇ ବଂଶୀ ବଜାଇଲେ। ଗୋପଯୁବତୀମାନେ ବଂଶୀସ୍ବନ ଶୁଣି ଜଳକେଳି ଛାଡ଼ି ଦେଖନ୍ତି ତ ସେମାନଙ୍କର ବସ୍ତ୍ରମାନ ମାଳ ମାଳ ହୋଇ ପତାକା ପରି ଗଛଡାଳରେ ଉଡ଼ୁଛି।
ତାହା ଦେଖି, ସେମାନେ ଶ୍ରୀକୃଷ୍ଣଙ୍କୁ ସେମାନଙ୍କର ବସ୍ତ୍ର ମାଗିଲେ। ମାତ୍ର ଶ୍ରୀକୃଷ୍ଣ କହିଲେ- ଉପରକୁ ଆସି ନିଜ ନିଜର ବସ୍ତ୍ର ବାଛି ନିଅ।
ମାତ୍ର ସେମାନେ କିପରି ବା ଆସି ବସ୍ତ୍ର ନେବେ! ବାଧ୍ୟ ହୋଇ ଗୋଟିଏ ହାତରେ ଲଜ୍ଜା ନିବାରଣ କରି ଜଳରୁ ଉପରକୁ ଉଠିଲେ। ତାହା ଦେଖି ଶ୍ରୀକୃଷ୍ଣ ତାଙ୍କୁ ଦେବତାଙ୍କୁ ନମସ୍କାର କରିବାକୁ କହିବାରୁ, ସେମାନେ ଗୋଟିଏ ହାତ କପାଳରେ ଲଗାଇ ନମସ୍କାର କଲେ। ସେହି ପ୍ରସଙ୍ଗରେ ଏହି କଥାଟି କୁହାଯାଇଛି।
ଶ୍ରୀକୃଷ୍ଣ କହିଲେ- ହେ ବ୍ରଜଯୁବତୀଗଣ, ଶୁଣ! ଗୋଟିଏ ହାତରେ ନମସ୍କାର ଅତ୍ୟନ୍ତ ଅନୁଚିତ କାର୍ଯ୍ୟ। ଯେ ଦେବତା ଓ ଗୁରୁଙ୍କୁ ଗୋଟିଏ ହାତରେ ନମସ୍କାର କରନ୍ତି, ସେ ଅଜ୍ଞାନ। ତାଙ୍କର ହାତ କାଟିଦେଲେ ହିଁ ସେହି ଅପରାଧର ପ୍ରାୟଶ୍ଚିତ ହୁଏ। ତା’ ନହେଲେ ସେ ଯେତେ ଜନ୍ମ ନିଏ, ସବୁଜନ୍ମରେ ଖଣ୍ଡିଆହାତ ହୋଇ ଜନ୍ମ ନେଇଥାଏ।
ଏହି ସୁଭାଷିତରେ ଆମପାଇଁ ଏହି ଶିକ୍ଷା ଅଛି, ଯେ ଆମେ କାହାକୁ ବି ଗୋଟିଏ ହାତରେ ନମସ୍କାର କରିବା ନାହିଁ। ସବୁବେଳେ ଯୋଡ଼ହସ୍ତ ହୋଇ ସମସ୍ତଙ୍କୁ ନମସ୍କାର କରିବା।