ନ ସ୍ବପେନ ଜୟେତ୍‌ ନିଦ୍ରାଂ ନ କାମେନ ସ୍ତ୍ରିୟଂ ଜୟେତ୍‌।
ନେନ୍ଧନେନ ଜୟେଦଗ୍ନିଂ ନ ପାନେନ ସୁରାଂ ଜ‌ୟେତ୍‌ାା
-ମହାଭାରତ, ଉଦ୍ୟୋଗପର୍ବ
ବ୍ୟାସଦେବ ବିରଚିତ ସଂସ୍କୃତ ‘ମହାଭାରତ’ ହେଉଛି ସୁଭାଷିତର ଏକ ଗନ୍ତାଘର। ସେଥିରେ ରହିଛି ଅଗଣିତ ଅମୂଲ୍ୟ ସୂକ୍ତି। ମାନବ ଜ୍ଞାନର ଏପରି କୌଣସି ବିଭାବ ନାହିଁ, ଯାହାର ଅବତାରଣା ସେଥିରେ କରାଯାଇ ନାହିଁ। ସେଥିପାଇଁ‌ କୁହା ହୋଇ ଆସିଛି- ‘‘ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ।’’ ଅର୍ଥାତ୍‌, ଯାହା ‘ମହାଭାରତ’ରେ ନାହିଁ, ତାହା ସମଗ୍ର ଭାରତବର୍ଷରେ ନାହିଁ।
ଏହି ଅମୂଲ୍ୟ ଗନ୍ତାଘରର ଗୋଟିଏ ମୋତି ହେଉଛି ଉପରୋକ୍ତ ସୁଭାଷିତ। ଏଥିରେ କୁହାଯାଇଛି- ଯେଉଁ ଚାରିଟି କାଳେ କାଳେ ଅଜେୟ, ତାହା ହେଉଛି- ନିଦ୍ରା, ନାରୀ, ଅଗ୍ନି ଓ ସୁରା।
ନିଦ୍ରା ଏକ ସହଜ ସାଧନ। ଅର୍ଥାତ୍‌, ଆମେ ନ ଚାହିଁଲେ ମଧ୍ୟ ଆମକୁ ନିଦ୍ରା ଆସେ। ଏହା ଶରୀରର ଏକ ସ୍ବାଭାବିକ କ୍ରିୟା। ଆମେ ଯଦି ଭାବିବା- ଖୁବ୍‌ ଶୋଇଲେ, ତା’ପରେ ଆମକୁ ଆଉ ନିଦ୍ରା ଘାରିବ ନାହିଁ, ତାହା ଭୁଲ୍‌। କାରଣ, ପୁଣି ସମୟ ଆସିବ, ଯେତେବେଳେ ପୁଣି ନିଦ୍ରା ଘାରିବ। ଏପରିକି କୁମ୍ଭକର୍ଣ୍ଣର ନିଦ୍ରାର ମଧ୍ୟ ଇତି ଅଛି। ଏଣୁ ନିଦ୍ରା ଅଜେୟ। ତାହାକୁ ଆମେ ଜିତି ପାରିବା ନାହିଁ।
ସେହିପରି ନାରୀ। ନାରୀର ଅନ୍ୟନାମ କାମିନୀ। କେହି ଯଦି ଭାବେ‌, ପ୍ରତିଦିନ କୌଣସି ଏକ ନାରୀ ସହିତ କାମକ୍ରୀଡ଼ାରେ ରତ ହେଲେ ଚିରକାଳ ପାଇଁ ତାହାର କାମନାର ଇତି ଘଟି ପାରିବ, ତେବେ ତାହା ଠିକ୍‌ ନୁହେଁ। ତେଣୁ ନାରୀ ଅଜେୟା।
ଅଗ୍ନି ମଧ୍ୟ ସେହିପରି। ତାହା ଇନ୍ଧନ ପାଇଲେ ପ୍ରଜ୍ଜ୍ବଳିତ ହୁଏ। ଯଦି କେହି ମନେକରେ, ଯେ ଅଧିକରୁ ଅଧିକ ଇନ୍ଧନ ଦେଇ ଅଗ୍ନିକୁ ପ୍ରଜ୍ଜ୍ବଳିତ କରିବା ପରେ ଅଗ୍ନିର ଦାହିକାଶକ୍ତି ଶାନ୍ତ ହୋଇଯିବ, ତେବେ ତାହା ଭୁଲ୍‌। ଏ ଦୃଷ୍ଟିରୁ ଅଗ୍ନି ମଧ୍ୟ ଅଜେୟ।
ସେହିପରି ମଧ୍ୟ ମଦ୍ୟପାନ। ଯେ ମଦ୍ୟପ, ତାର ମଦ୍ୟପାନର ତୃଷ୍ଣା କେବେ ପ୍ରଶମିତ ହୁଏ ନାହିଁ। ଯେତେ ମଦ୍ୟପାନ କଲେ ମଧ୍ୟ ତା ମନରେ ମଦ୍ୟପାନର ତୃଷ୍ଣା ପୁଣି ଜାଗ୍ରତ ହୁଏ। ସେଥିପାଇଁ ସୁରାକୁ ସେ ଜୟ କରିପାରେ ନାହିଁ। ସେଥିପାଇଁ ମହାଭାରତରେ ନିଦ୍ରା, ନାରୀ, ଅଗ୍ନି ଓ ସୁରା- ଏ ଚାରିଟିକୁ ଅଜେୟ କୁହାଯାଇଛି।