ସନ୍ତର୍ପୟ ତୃଣାନ୍ ଶୁଷ୍କାନ୍ କୃଷ୍ଣମେଘ ନମୋଽସ୍ତୁ ତେ।
କଳିକଳ୍ମଷସଂମୂଢ଼ାନୁଦ୍ଧର୍ତ୍ତୁଂ ଜଗତାଂ ପତେ।।
-ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍, ୪୬/୨୬
ବ୍ୟାସଦେବ ବିରଚିତ ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟମ୍’ର ୪୬ ଅଧ୍ୟାୟରେ ଅଛି ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଉତ୍ସବର ବର୍ଣ୍ଣନା। ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟାଠାରୁ ୪୨ ଦିନ ବ୍ୟାପୀ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ। “ଯଥା ଦେହେ ତଥା ଦେବେ” ନ୍ୟାୟରେ, ଆମ ପରି ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ବୈଶାଖର ଗ୍ରୀଷ୍ମତାପ ବାଧେ ଏବଂ ସେଥିପାଇଁ ଏହି ଉତ୍ସବ ଆୟୋଜିତ ହୋଇଥାଏ।
‘ସ୍କନ୍ଦପୁରାଣ’ ଓ ଅନ୍ୟାନ୍ୟ ଶାସ୍ତ୍ରଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କ ଚନ୍ଦନଲେପନର ବିଧି ବର୍ଣ୍ଣିତ ହୋଇଛି। କିନ୍ତୁ ‘ସ୍କନ୍ଦପୁରାଣ’ରେ ଏ ପ୍ରସଙ୍ଗରେ ଏକ ତାତ୍ତ୍ୱିକ ଆଖ୍ୟାନ ଅଛି। ତାହା ଅନୁସାରେ- ପୂର୍ବକାଳରେ ଦକ୍ଷ ନାମକ ପ୍ରଜାପତି କଳିଯୁଗର ମାନବଗଣଙ୍କୁ ତ୍ରିତାପ ବା ତ୍ରିବିଧ ଦୁଃଖରେ ପୀଡ଼ିତ ହେବାର ଦେଖି, କୃପା ପରବଶ ହୋଇ ଶ୍ରୀକ୍ଷେତ୍ର ଆସିଥିଲେ। ବୈଶାଖ ଶୁକ୍ଳପକ୍ଷ ତୃତୀୟାରେ ସେ ଆନନ୍ଦ ଚିତ୍ତରେ ଶ୍ରୀଜଗନ୍ନାଥଙ୍କର ସର୍ବାଙ୍ଗରେ ଚନ୍ଦନ ଲେପନ କରି ତାଙ୍କୁ ସ୍ତୁତି କରିଥିଲେ। ସେ କହିଥିଲେ- ହେ ଦେବଦେବ ଜଗନ୍ନାଥ! ଆପଣଙ୍କଠାରେ କୌଣସି ପ୍ରକାରର ମାଳିନ୍ୟ ନାହିଁ; ଅର୍ଥାତ୍ ଆପଣ ସୁନିର୍ମଳ। ଆପଣ ସହଜଆନନ୍ଦମୟ। ଏଣୁ ହେ ପରମେଶ୍ୱର! ସଂସାର ସାଗରରେ ନିମଗ୍ନ ଆମ୍ଭମାନଙ୍କୁ ଏହି ତ୍ରିତାପ ବା ତ୍ରିବିଧ ଦୁଃଖରୁ ପରିତ୍ରାଣ କରନ୍ତୁ।
‘ସ୍କନ୍ଦପୁରାଣ’ରେ ଏହି ପ୍ରସଙ୍ଗରେ ଶ୍ରୀଜଗନ୍ନାଥଙ୍କୁ ‘କୃଷ୍ଣମେଘ’ ବୋଲି ସମ୍ବୋଧନ କରାଯାଇ, ଉପରୋକ୍ତ ଶ୍ଳୋକରେ କୁହାଯାଇଛି- ହେ କୃଷ୍ଣମେଘ! ଆପଣଙ୍କୁ ନମସ୍କାର। ଶୁଷ୍କ ତୃଣପରି ଆମେ ମନୁଷ୍ୟମାନେ ବହୁବିଧ ସନ୍ତାପରେ ସନ୍ତାପିତ। ଏଣୁ ଆପଣଙ୍କ ଶୁଭ ଦୃଷ୍ଟିପାତର ଅମୃତ ବର୍ଷଣ କରି ଆମ୍ଭମାନଙ୍କୁ ପରିତୃପ୍ତ କରନ୍ତୁ!