ମହାପ୍ରଭୁଙ୍କ କଥା ମନେ ପକାଇଲେ ବାଗ୍‌ଚୀ : ୨୨ଥର ଲକ୍ ଡାଉନରେ ଥିଲେ ଠାକୁରେ

ଏବେ ପରସ୍ପରକୁ ସାହସ ଓ ସାନ୍ତ୍ୱନା ଦେବା ଉଚିତ୍

ଭୁବନେଶ୍ବର : ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୮ଟି ସହରରେ ୨୯ ତାରିଖ ପର୍ଯ୍ୟନ୍ତ କରିଥିବା ସମ୍ପୂର୍ଣ୍ଣ ତାଲା ବନ୍ଦ ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯୋ଼ଡିଛନ୍ତି। ଶ୍ରୀ ବାଗ୍‌ଚୀ ଆଜି କହିଥିଲେ, ଏକଦା ମହାପ୍ରଭୁ ବି ବର୍ହିଶତ୍ରୁ ବିପଦ ଥିବା କାରଣରୁ ତାଙ୍କୁ ବର୍ଷ ବର୍ଷ ଧରି ସେବକମାନେ ଲକ୍ ଡାଉନ୍ ଅବସ୍ଥାରେ ରଖିଥିଲେ। ଇତିହାସ ଓ ମାଦଳାପାଞ୍ଜି ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ୨୨ଥର ଲକ୍‌ଡାଉନ୍ ଅବସ୍ଥାରେ ରହିଥିଲେ। ଏହି ଆଠ ଦିନ ବିଚଳିତ କରିପାରେ, କିନ୍ତୁ ଏହି ଘଟଣାରୁ ନୀତିଶିକ୍ଷା ଲାଭ କରି ପରସ୍ପରକୁ ସାହସ ଦେବା ସହିତ ସାନ୍ତ୍ବନା ଉଚିତ୍।

ଶ୍ରୀ ବାଗ୍‌ଚୀ କହିଥିଲେ, କରୋନା ଭୂତାଣୁ ଭଳି ମାରାତ୍ମକ ବର୍ହିଶତ୍ରୁର ବିପଦକୁ ଏଡ଼ାଇବା ପାଇଁ ସମ୍ପୂର୍ଣ୍ଣ ତାଲାବନ୍ଦ ଜରୁରୀ। ଏହି ଲକ୍ ଡାଉନ୍ ଓଡ଼ିଶା ପାଇଁ ନୂଆ କଥା ନୁହେଁ। ପୂର୍ବରୁ ପାତାଳୀ ଅବସ୍ଥାରେ ମହାପ୍ରଭୁ ଯେଉଁ ୨ଥର ଲକ୍ ଡାଉନ୍ ରହିଥିଲେ ତାହା କିଛି ସମୟ ପାଇଁ ନୁହେଁ ବରଂ ୧୪୪ବର୍ଷ ପାଇଁ ରହିଥିଲେ। ସୋନପୁରର ବାଘାପାଲ୍ଲୀ ସୁଧଲିପ୍ତ ମଣ୍ଡପରେ ୪୫ବର୍ଷ ଓ ଛଳିଆ ପାହାଡ଼ରେ ୯୯ବର୍ଷ ମହାପ୍ରଭୁ ଲକଡାଉନ ଅବସ୍ଥାରେ ରହିଥିଲେ।

ସେତେବେଳର ଘଟଣା ଓ ଏବେ ମଧ୍ୟରେ ଫରକ ହେଉଛି, ବର୍ହିଶତ୍ରୁଙ୍କ ବିପଦରୁ ମହାପ୍ରଭୁଙ୍କୁ ତାଙ୍କର ସେବକମାନେ ସ୍ଥାନାନ୍ତର କରି ଲକଡାଉନ୍ ରଖୁଥିଲେ। ଆମ ସମସ୍ତଙ୍କ ଦେହରେ ଠାକୁର ଅଛନ୍ତି। ଆମେ ଉଭୟ ଠାକୁର ଓ ସେବକ ପରି କରୋନା ଭଳି ବର୍ହିଶତ୍ରୁ ବିପଦ ଏଡ଼ାଇବା ପାଇଁ ୮ଦିନର ଲକ ଡାଉନରେ ରହିଛୁ। ଏହି ଲକ ଡାଉନ୍ ସମୟରେ ଆମେ ନିଜକୁ ମାନସିକ ଓ ଶାରୀରିକସ୍ତରରେ ଶକ୍ତି ଦେବା ଉଚିତ୍ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ।

ସମ୍ବନ୍ଧିତ ଖବର