ଯେତେବେଳେ ମସ୍ତିଷ୍କର ରକ୍ତବାହୀ ନଳୀକୁ ରକ୍ତ ଜମାଟ ଅବରୋଧ କରେ, ତାହାକୁ ମସ୍ତିଷ୍କ ରକ୍ତ ଜମାଟ ବା ସେରେବ୍ରାଲ୍ ଥ୍ରୋମ୍ବୋସିସ୍ କୁହାଯାଏ। ତାହା ମସ୍ତିଷ୍କଘାତ କିମ୍ବା ଅନ୍ୟାନ୍ୟ ଗମ୍ଭୀର ଜଟିଳତା ସୃଷ୍ଟି କରିବାର ଆଶଙ୍କା ଥାଏ। ତୁରନ୍ତ ଚିକିତ୍ସା ନ କଲେ, ତାହା ମାରାତ୍ମକ ହୋଇପାରେ। ତେବେ ଆଶ୍ବସ୍ତିର କଥା ଯେ ରକ୍ତ ଜମାଟ ହେବାର କିଛି ସପ୍ତାହ ପୂର୍ବରୁ ଆମ ଶରୀର କିଛି ସଙ୍କେତ ଦେଇଥାଏ। ସେଭଳି ଲକ୍ଷଣ ବିଷୟରେ ଜାଣିବା।
ମସ୍ତିଷ୍କରେ ରକ୍ତ ଜମାଟର ପ୍ରଥମ ଏବଂ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ହେଉଛି ଭୟଙ୍କର ମୁଣ୍ଡବିନ୍ଧା। ଏହି ଯନ୍ତ୍ରଣା କୌଣସି ସତର୍କ ସୂଚନା ବିନା ହୋଇପାରେ ଏବଂ କିଛି ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ଯନ୍ତ୍ରଣା ନିବାରକ ଔଷଧ ଖାଇବା ସତ୍ତ୍ବେ ଠିକ୍ ହୁଏ ନାହିଁ। ଦ୍ବିତୀୟ ଲକ୍ଷଣଟି ହେଉଛି ଶରୀରର ଗୋଟିଏ ପାର୍ଶ୍ୱରେ ଦୁର୍ବଳତା କିମ୍ବା ନିଷ୍କ୍ରିୟତା ଅନୁଭବ କରିବା। ବିଶେଷ କରି ବାହୁ, ଗୋଡ଼ କିମ୍ବା ମୁହଁର ଗୋଟିଏ ପାର୍ଶ୍ବରେ ହଠାତ୍ ଦୁର୍ବଳତା ଅନୁଭବ ହୋଇପାରେ। ହଠାତ୍ କଥା କହିବାରେ ଅସୁବିଧା, ଅସ୍ପଷ୍ଟ ଉଚ୍ଚାରଣ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ହୋଇପାରେ। ଦୃଷ୍ଟିରେ ହଠାତ୍ ପରିବର୍ତ୍ତନ, ଗୋଟିଏ କିମ୍ବା ଉଭୟ ଆଖିରେ ଅସ୍ପଷ୍ଟ, ଝାପ୍ସା କିମ୍ବା କିଛି ଦେଖା ନ ଯିବା ପରି ସମସ୍ୟା ମଧ୍ୟ ମସ୍ତିଷ୍କ ରକ୍ତ ଜମାଟର ଲକ୍ଷଣ।
ସେହିପରି ମୁଣ୍ଡ ବୁଲାଇବା, ଅସ୍ଥିରତା କିମ୍ବା ହଠାତ୍ ସନ୍ତୁଳନ ହରାଇବା ଆଦି ମଧ୍ୟ ଏହାର ଅନ୍ୟତମ ଲକ୍ଷଣ। ଦ୍ୱନ୍ଦ୍ୱ, ଦିଗଭ୍ରାନ୍ତି, କିମ୍ବା ସରଳ ବାକ୍ୟ ବୁଝିବାରେ ଅସୁବିଧା ମଧ୍ୟ ଆଉ କେତେକ ଲକ୍ଷଣ। ମାନସିକ ସ୍ଥିତିରେ ଏହିସବୁ ପରିବର୍ତ୍ତନ ମସ୍ତିଷ୍କ ପର୍ଯ୍ୟାପ୍ତ ଅମ୍ଳଜାନ ପାଉନଥିବାର ଏକ ସୂଚକ। ସେହିପରି ଗୁରୁତର ରକ୍ତ ଜମାଟ ବାନ୍ଧିବା ଦ୍ବାରା ରୋଗୀ ଚେତାଶୂନ୍ୟ ହୋଇପାରନ୍ତି। ଏହିପରି ଲକ୍ଷଣ ଲକ୍ଷ୍ୟ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଅପରିହାର୍ଯ୍ୟ।