ମାତ୍ର ୫୦ ଟଙ୍କାରେ ଦିନମଜୁରିଆ ଭାବେ କାମ କରୁଥିବା ବ୍ୟକ୍ତି ଏବେ ନିଜ ଜମିରେ ଚାଷ କରି ବାର୍ଷିକ ରୋଜଗାର କରୁଛନ୍ତି ୫୦ ଲକ୍ଷ ଟଙ୍କା!

ସମୟ ସହିତ ତାଳଦେଇ ବଦଳୁଛି ଲୋକଙ୍କ ଚିନ୍ତାଧାରା। ଆଜିକାଲି ଗାଁର ଯୁବକମାନେ ଚାଷ କାମକୁ ପସନ୍ଦ କରୁନାହାଁନ୍ତି। ଚାଷକାମ ଛାଡି ଚାକିରି କରିବାକୁ ବିଦେଶକୁ ଧାଉଁଥିବା ବେଳେ ଏବେ ଶିକ୍ଷିତ ଯୁବକମାନେ ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଚାଷ କ୍ଷେତରେ ସୁନେଲୀ ଭବିଷ୍ୟତର ସ୍ୱପ୍ନ ଦେଖିବା ଆରମ୍ଭ କଲେଣି। ଏଭଳି ଅନେକ ଉଦାହରଣ ଏବେ ଦେଖିବାକୁ ମିଳୁଛି। ସେହିଭଳି ଆଉ ଜଣେ ସଫଳ ଚାଷୀ ହେଉଛନ୍ତି ଗଂସୁ ମହତୋ।

ଝାଡ଼ଖଣ୍ଡର ଗଂସୁ ମହତୋ। ବୟସ ୪୦। ଜଣେ ସଫଳ ଚାଷୀ ଭାବେ ପୂରା ଅଞ୍ଚଳରେ ଜଣାଶୁଣା। ୨୦୧୭ ମସିହାରେ ଏକ ଏକର ଜମିରୁ ଜଳବେରା ଫୁଲ ବିକ୍ରି କରି ୩୫ ଲକ୍ଷ ଓ ବାକି ୮ ଏକର ଜମିରୁ ୧୫ ଲକ୍ଷ ଟଙ୍କାର ପନିପରିବା ବିକ୍ରି କରି ନିଜକୁ ସଫଳ ଚାଷୀ ଭାବେ ପ୍ରମାଣିତ କରି ପାରିଛନ୍ତି। ସବୁଠୁ ବଡ଼ କଥା ହେଲା, ୯ ଏକର ଜମିରେ ଚାଷ ପାଇଁ ମୋଟ ୨୦ ଲକ୍ଷ ଖର୍ଚ୍ଚ କରିଥିଲେ ଗଂସୁ। ଆଉ ଗୋଟିଏ ବର୍ଷରେ ଲାଭ ବାବଦକୁ ପାଇଥିଲେ ୩୦ ଲକ୍ଷ ଟଙ୍କା। କିନ୍ତୁ ଏତିକିରେ ସନ୍ତୁଷ୍ଟ ନୁହଁନ୍ତି ଗଂସୁ। ତାଙ୍କ କହିବା ଅନୁଯାୟୀ, ଚଳିତବର୍ଷ କେବଳ ୫୦ ଲକ୍ଷ ଟଙ୍କାର ପନିପରିବାକୁ ବିକ୍ରି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

୫୦ ଟଙ୍କାରୁ ୫୦ ଲକ୍ଷ ଟଙ୍କାର ଯାତ୍ରା । ଏହି ସଫଳତାର ଯାତ୍ରାରେ ଅନେକ ବାଧାବିଘ୍ନ ଆସିଛି କିନ୍ତୁ ହାର ମାନି ନାହାନ୍ତି ଗଂସୁ । ଗଂସୁଙ୍କ ଏହି ସଫଳତା ପଛରେ ଏକ ସଂଘର୍ଷମୟ କାହାଣୀ ଲୁଚି ରହିଛି। ଗୋଟିଏ ସମୟରେ ଦିନ ମଜୁରିଆ ଭାବେ କାମ କରିବାକୁ ୨୫ କିଲୋମିଟର ଦୂର ରାଞ୍ଚି ସହରକୁ ଯାଉଥିଲେ। ପୂରା ଦିନ କାମ କରିବା ପରେ ମାତ୍ର ୫୦ ଟଙ୍କା ପାଉଥିଲେ ଗଂସୁ । ଏପରିକି କାମ ସମୟରେ ଟିକିଏ ବିଶ୍ରାମ ନେଲେ ଠିକଦାରର ଗାଳି ଶୁଣିବାକୁ ପଡ଼ୁଥିଲା । ଯାହା ତାଙ୍କୁ ବେଶ ବାଧୁଥିଲା। ନିଜର ୧୪ ଏକର ଜମି ଥିଲେ ମଧ୍ୟ ଏଥିରେ କୌଣସି ଫସଲ ହେଉନଥିଲା। ଯାହା ଫଳରେ ଏହା ପଡ଼ିଆ ପଡ଼ିଥିଲା । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଅଧାରୁ ପାଠପଢ଼ାରେ ମଧ୍ୟ ଡୋରି ବନ୍ଧା ହୋଇଥିଲା। ତେଣୁ ୨୦ ବର୍ଷ ବୟସରୁ ୫୦ ଟଙ୍କା ପାରିଶ୍ରମିକରେ ଦିନ ମଜୁରିଆ ଭାବେ କାମ ଆରମ୍ଭ କରିଥିଲେ ଗଂସୁ। କିନ୍ତୁ ୩ ବର୍ଷ ଏହି କାମ କରିବା ପରେ ଦିନ ମଜୁରିଆ କାମ ଛାଡ଼ିଦେଇଥିଲେ ଗଂସୁ । ଆଉ କିଛି ନୂଆ ଆରମ୍ଭ କରିବା ଲକ୍ଷ୍ୟରେ ଚାଷ କ୍ଷେତକୁ ନିଜର ନୂଆ କର୍ମଭୂମି ଭାବେ ବାଛି ନେଇଥିଲେ।

ପଡ଼ିଆ ପଡ଼ିଥିବା ଜମିରେ ସୁନା ଫଳାଇବା ଲକ୍ଷ୍ୟରେ ପ୍ରଥମେ କ୍ଷେତରେ ଧାନ ଚାଷ ଆରମ୍ଭ କରିଥିଲେ। ଏହା ଭିତରେ ଏହି ଜମିକୁ ଜୈବିକ ସାର ଦେଇ ଚାଷ ଉପଯୋଗୀ କରିଥିଲେ। ୧୯୯୮ ମସିହାରେ ୧୨ ଡିସିମିଲ ଜମିରେ ଶିମଲା ଲଙ୍କା ଚାଷ କରି ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ଏହାପରେ ଗଂସୁଙ୍କର ଆତ୍ମବିଶ୍ୱାସ ବଢ଼ିଥିଲା। ଆଉ ଏହିଠାରୁ ହିଁ ଗଂସୁଙ୍କର ସଫଳତାର ଯାତ୍ରା ଆରମ୍ଭ ହୋଇଥିଲା। ପରେ ସରକାରଙ୍କ ସବସିଡ଼ ସହାୟତାରେ ୨୫ ଡିସିମିଲ ଲେଖାଏଁ ଦୁଇଟି କ୍ଷେତରେ ଦୁଇଟି ପୋଲି ହାଉସ ଓ ଦୁଇଟି ଗ୍ରୀନ ହାଉସ ନିର୍ମାଣ କରିଥିଲେ। ପରେ ଏହି ସ୍ଥାନରେ ଜରବେରା ଫୁଲ ଚାଷ ଆରମ୍ଭ କରିଥିଲେ।ଚାଷର ଠିକ୍‌ ୭୫ ଦିନ ପରେ ଫୁଲ ଉତ୍ପାଦନ ଆରମ୍ଭ ହୋଇଥିଲା। ପ୍ରଥମ ବର୍ଷ ଫୁଲ ଚାଷରେ ଏକ ଏକର ଜମିରୁ ଗଂସୁ ୩୫ ଲକ୍ଷ ଟଙ୍କା ଆୟ କରିଥିଲେ। ଯେଉଁଥିରେ ତାଙ୍କର ୨୦ଲକ୍ଷ ଟଙ୍କା ଲାଭ ହୋଇଥିଲା । ତେବେ ଏହି ଫୁଲ ଚାଷ ଥରେ କଲେ ଏଥିରୁ ଚାରି ବର୍ଷ ଯାଏଁ ଫୁଲ ଉତ୍ପାଦନ କରାଯାଇପାରିବ। ତେଣୁ ଚଳିତ ବର୍ଷ ଏଥିରୁ ୨୦ରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାଇବାକୁ ଲକ୍ଷ୍ୟ ରଖିଛନ୍ତି ଗଂସୁ।

କେବଳ ଚାଷ କରି ଅର୍ଥ ଉପାର୍ଜନ କରିବା ଏହା ଗଂସୁଙ୍କର ଲକ୍ଷ୍ୟ ନୁହେଁ। ଅଧିକରୁ ଅଧିକ ଚାଷୀ କିପରି ଆଧୁନିକ ପ୍ରଣାଳୀରେ ଚାଷ କରି ଭଲ ଆୟ କରିପାରିବେ ତାହାର ଟ୍ରେନିଂ ମଧ୍ୟ ଦେଉଛନ୍ତି। ଏବେ ପର୍ଯ୍ୟନ୍ତ ୧୦,୦୦୦ରୁ ଅଧିକ ଚାଷୀଙ୍କୁ ପ୍ରଶିକ୍ଷିତ କରି ପାରିଛନ୍ତି ଗଂସୁ। ତେବେ ୨୦୧୮ ମସିହାରେ ଫୁଲକୁ ଛାଡ଼ି ପନିପରିବା ଚାଷରୁ ୫୦ ଲକ୍ଷ ଟଙ୍କା ଆୟ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସବୁଠୁ ବଡ଼ କଥା ହେଲା, ୯ ଏକର ଜମିରେ ଚାଷ କରୁଥିଲେ ମଧ୍ୟ ଫସଲରେ ଆଦୌ କୀଟନାଶକ ସେ ବ୍ୟବହାର କରନ୍ତି ନାହିଁ। ସମସ୍ତ ପ୍ରକାର ଜୈବିକ ସାର ସେ ନିଜେ ହିଁ ଘରେ ପ୍ରସ୍ତୁତ କରନ୍ତି ।

ସମ୍ବନ୍ଧିତ ଖବର