ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଞ୍ଚିର ଚିପ୍ରା ଗାଁରେ ବସବାସ କରୁଥିବା ସତୀଶ ମହାତୋଙ୍କ ଅଳିଆ ଗଦାରୁ କୋଟିପତି ହେବାର ଯାତ୍ରା ଖୁବ ଚର୍ଚ୍ଚାରେ ରହିଛି।
ସତୀଶ ଜଣେ କୃଷି-ଉଦ୍ୟୋଗୀ। ଚାରି ପିଢ଼ି ଧରି କୃଷି ଉପରେ ନିର୍ଭରଶୀଳ ତାଙ୍କ ପରିବାରର ସଂଘର୍ଷକୁ ଦେଖି ସେ ଚାଷୀମାନଙ୍କ ଅସୁବିଧାକୁ ସ୍ପଷ୍ଟ ଭାବେ ବୁଝିପାରିଥିଲେ। ଚାଷୀମାନଙ୍କ ଅସୁବିଧାକୁ ଅଙ୍ଗେ ନିଭେଇଥିବା ସତୀଣ ୨୦୧୬ରେ ଫିଡକୋ ଏଗ୍ରିକୋର୍ଟ ପ୍ରତିଷ୍ଠା କରିବାକୁ ଅଣ୍ଟା ଭିଡ଼ିଥିଲେ। ଏହା ଏପରି ଏକ ପ୍ଲାଟଫର୍ମ ଯାହା କେବଳ ଚାଷୀମାନଙ୍କୁ ଭଲ ମୂଲ୍ୟ ପ୍ରଦାନ କରେ ନାହିଁ ବରଂ ଚାଷଜମିର ଅଳିଆ ଓ ଆବର୍ଜନାକୁ ଆୟର ଉତ୍ସରେ ପରିଣତ କରେ। ଯାହା ଗ୍ରାମୀଣ ଅର୍ଥନୀତିକୁ ଏକ ନୂତନ ସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ। ଆସନ୍ତୁ ସତୀଶ ମହାତୋଙ୍କ ସଫଳତାର ଯାତ୍ରା ବିଷୟରେ ଜାଣିବା...
କିଶୋର ଅବସ୍ଥାରେ ସତୀଶ ତାଙ୍କ ବାପାଙ୍କ ସହିତ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା ବଜାରକୁ ପନିପରିବା ବିକ୍ରି ପାଇଁ ଯାଉଥିଲେ। ଏହି ସମୟରେ ସତୀଶ ମହାତୋ ଅନୁଭବ କରିଥିଲେ ଯେ ଚାଷୀମାନେ ସେମାନଙ୍କ ଉତ୍ପାଦନର ଉଚିତ ମୂଲ୍ୟ ପାଉନାହାଁନ୍ତି ଏବଂ ଯୋଗାଣ ଶୃଙ୍ଖଳାରେ ପ୍ରମୁଖ ତ୍ରୁଟି ରହୁଛି।
କଲେଜ ପାଠଶେଷ ପରେ ସତୀଶ ପର୍ଯ୍ୟଟନ ପରିଚାଳନାରେ ସ୍ନାତକ ଏବଂ ଆଇଆଇଟିଟିଏମ ଭୁବନେଶ୍ୱରରୁ ଲଜିଷ୍ଟିକ୍ସରେ ଏମବିଏ ଡିଗ୍ରି ହାସଲ କରିଥିଲେ। ଏହି ଡିଗ୍ରି ଯୋଗୁ ସେ ଚାଷୀମାନଙ୍କ ସମସ୍ୟାଗୁଡ଼ିକର ସହଜରେ ସମାଧାନ ପାଇଯାଇଥିଲେ। ଏହାପରେ ଲଜିଷ୍ଟିକ୍ସ କ୍ଷେତ୍ରରେ କିଛି କମ୍ପାନିରେ କାମ କରି ବ୍ୟବହାରିକ ଜ୍ଞାନ ହାସଲ କରିବା ପରେ ସତୀଶ ଫିଡକୋ ଏଗ୍ରିକୋର୍ଟ ପ୍ରତିଷ୍ଠା କରିଥିଲେ। ଏହି ପ୍ଲାଟଫର୍ମ ସିଧାସଳଖ ସୀମାନ୍ତ ଚାଷୀ, କୃଷକ ଉତ୍ପାଦକ ସଂଗଠନକୁ ଖୁଚୁରା ବ୍ୟବସାୟୀ, ସୁପରମାର୍କେଟ୍ ଏବଂ ବଡ଼ ସଂସ୍ଥାଗତ କ୍ରେତାଙ୍କ ସହିତ ସଂଯୋଗ କରେ। ଯାହାଦ୍ବାରା ଉତ୍ପାଦନର ଗୁଣବତ୍ତା ଏବଂ ଗ୍ରେଡିଂ ସୁନିଶ୍ଚିତ ହୋଇଥାଏ। ଏଥିସହିତ ଚାଷୀମାନଙ୍କୁ ଉତ୍ତମ ଏବଂ ସ୍ଥିର ମୂଲ୍ୟ ମିଳିଥାଏ।
ସତୀଶ ମାହାତୋଙ୍କ ସବୁଠାରୁ ବଡ଼ ଶକ୍ତି ହେଉଛି ଫସଲ ଅବଶିଷ୍ଟ୍ୟ। ସତୀଶଙ୍କର ଷ୍ଟାର୍ଟଅପ୍ ପ୍ରତିବର୍ଷ ୧୫୦୦ ଟନ୍ କୃଷି ବର୍ଜ୍ୟବସ୍ତୁ (ଯେପରିକି ମକା, ମଟର, ବାଦାମ ପତ୍ର ଏବଂ କୁଟା) ପରିଚାଳନା କରେ। ଏହି ବର୍ଜ୍ୟବସ୍ତୁ ପଶୁ ଖାଦ୍ୟ, ପ୍ୟାକେଜିଂ ସାମଗ୍ରୀ ଏବଂ ଔଷଧ ଶିଳ୍ପରେ ମଧ୍ୟ ବ୍ୟବହୃତ ହୋଇଥାଏ।
ସତୀଶ ମାହାତୋ ଚାଷୀମାନଙ୍କୁ ଏହି ବର୍ଜ୍ୟବସ୍ତୁ ପାଇଁ ଦେୟ ମଧ୍ୟ ଦେଇଥାଆନ୍ତି। ଏହା ଚାଷୀମାନଙ୍କୁ ସେମାନଙ୍କର କ୍ଷେତକୁ ଶୀଘ୍ର ସଫା କରିବାରେ ସାହାଯ୍ୟ କରିବା ସହିତ ବର୍ଷକୁ ତିନିରୁ ଚାରି ଥର ଫସଲ କରିବା ପାଇଁ ସୁଯୋଗ ବି ମିଳିଥାଏ। ଏପର୍ଯ୍ୟନ୍ତ ପ୍ରାୟ ୭୦୦୦ ଚାଷୀ ଏହି ମଡେଲରୁ ଉପକୃତ ହୋଇଛନ୍ତି, ସେମାନଙ୍କର ଆୟ ୪୦% ବୃଦ୍ଧି ପାଇଛି। ସେମାନେ ପ୍ରତି ମାସରେ ହାରାହାରି ୧୮,୦୦୦ଟଙ୍କା ରୋଜଗାର କରି ପାରୁଛନ୍ତି।
ସତିଶଙ୍କ କମ୍ପାନି ୨୦୨୩-୨୪ ଆର୍ଥିକ ବର୍ଷରେ ୬୦ ଲକ୍ଷଟଙ୍କା ରାଜସ୍ୱ ହାସଲ କରିଥିଲା। କେବଳ ଫସଲ ଅବଶିଷ୍ଟ୍ୟ କାମରୁ ୨୦୨୪-୨୫ ରେ ତାଙ୍କର ରାଜସ୍ୱ ଏକକୋଟି ଟଙ୍କା ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/05/21820b8c-a488-4742-bce3-e5294c6dadc7-2025-10-05-15-02-10.jpg)