ନୂଆଦିଲ୍ଲୀ: ଲକ୍ଷ୍ୟ ହାସଲ ନକରିବା ପର୍ଯ୍ୟନ୍ତ ପରିଶ୍ରମ ଜାରି ରଖ, ସଫଳତା ଦିନେ ନା ଦିନେ ମିଳିବ। ଏ କଥାଟିକୁ ପ୍ରମାଣ କରି ଦେଖାଇଛନ୍ତି ଦିଲ୍ଲୀର ଜଣେ ଯୁବକ। ଦିନେ ରାସ୍ତାକଡ଼ରେ ବିରିୟାନୀ ବିକୁଥିବା ଜଣେ ଯୁବକ ଏବେ ଏକ ବ୍ୟାଙ୍କରେ ଚାକିରି କରିବାର ଅଫର ପାଇଛନ୍ତି। ଏଠାରେ ଆମେ ଶାକିରଙ୍କ କଥା କହୁଛୁ। ଆର୍ଥିକ ସ୍ଥିତି ଭଲ ନଥିବାରୁ ଶାକିର ନୂଆଦିଲ୍ଲୀର ଜାମିଆ ନାଗରରେ ଏକ ଠେଲାରେ ବିରିୟାନୀ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ, ଏବେ ଶାକିରଙ୍କ ଭାଗ୍ୟ ବଦଳି ଯାଇଛି। ସେ ନିଜ ହାତରେ ନିଜର ଭାଗ୍ୟ ବଦଳାଇଛନ୍ତି। ନିକଟରେ ସେ ଦେଶର ଏକ ବଡ ବ୍ୟାଙ୍କରେ ବାର୍ଷିକ ଦରମା ୮.୫ ଲକ୍ଷ ଟଙ୍କାର ଚାକିରି ଅଫର ପାଇଛନ୍ତି।

Advertisment

ଶାକିର ଦକ୍ଷିଣ-ଦିଲ୍ଲୀର ଓଖଲାରେ ଥିବା ଏକ ବସ୍ତିରେ ରୁହନ୍ତି। ଓଖଲା ଟାଇମ୍ସ ଅନୁଯାୟୀ ଶାକିରଙ୍କୁ ବାର୍ଷିକ ଦରମା ୮.୫ ଲକ୍ଷ ଟଙ୍କାର ଚାକିରି ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଜାମିଆ ନାଗରରେ ବିରିୟାନୀ ବିକ୍ରି କରୁଥିଲେ। କୁହାଯାଉଛି ଯେ, ଶାକିରଙ୍କ ପାଇଁ ସଫଳତାର ରାସ୍ତା ସହଜ ନଥିଲା। 'ଅସୀମ ଆଶା' ଫାଉଣ୍ଡେସନର ସାହାଯ୍ୟ ବିନା ତାଙ୍କର ସ୍ୱପ୍ନ ସାକାର ହୋଇପାରି ନଥାନ୍ତ‌ା। ନିଜ ପରିଶ୍ରମ ଓ 'ଅସୀମ ଆଶା' ଫାଉଣ୍ଡେସନର ସାହାଯ୍ୟ ସହିତ ଶାକିର ଏବେ ଏତେ ବଡ଼ ସଫଳତା ହାସଲ କରିଛନ୍ତି। 'ଅସୀମ ଆଶା' ଫାଉଣ୍ଡେସନ ନିର୍ଦ୍ଦେଶକ ଅସୀମ ଉସମାନ ଶାକିରଙ୍କୁ ପାଠ ପଢ଼ିବାରେ ସାହାଯ୍ୟ କରିଥିଲେ। ଯେତେବେଳେ ଶାକିରଙ୍କୁ ଆମିଟିରେ ଏମବିଏ ପାଇଁ ଆଡମିଶନ ମିଳିଲା, ସେତେବେଳେ ଫାଉଣ୍ଡେସନ୍ ତାଙ୍କର ସବୁ ଖର୍ଚ୍ଚ ବହନ କରିଥିଲେ। ଏହିପରି ଭାବରେ ଶାକିର ତାଙ୍କର ଅଧ୍ୟୟନ ସମାପ୍ତ କରିଥିଲେ। ଭଲ କଥା ହେଉଛି ବର୍ତ୍ତମାନ ଶାକିରଙ୍କୁ ଚାକିରି ମିଳିଛି। ଖୁବ୍ ଶୀଘ୍ର ସେ ବାର୍ଷିକ ୮ଲକ୍ଷ ୫୦ହଜାର ବେତନ ପ୍ୟାକେଜ୍ ସହିତ ଏକ ନୂତନ ଜୀବନ ଆରମ୍ଭ କରିବେ।