ନୂଆଦିଲ୍ଲୀ: କୌଣସି କାମ ଆରମ୍ଭ କରିବା ପୂର୍ବରୁ ସେଥିପ୍ରତି ମଣିଷର ଇଚ୍ଛା ଓ ଆତ୍ମବିଶ୍ବାସ ରହିବା ନିହାତି ଆବଶ୍ୟକ। କାରଣ ମଣିଷର ଯଦି କାମକୁ ନେଇ ନିଜ ଉପରେ ଆତ୍ମବିଶ୍ବାସ ଅଛି ତେବେ ତା’ ପାଇଁ କୌଣସି କାମ ଅସମ୍ଭବ ହୋଇ ନଥାଏ।
୨୦୧୧ମସିହାରେ ଦୁଇଜଣ ସାଙ୍ଗ ଚକ୍ରଧର ଏବଂ ନୀତିନ ନିଜ କାମ ଉପରେ ବିଶ୍ବାସ ରଖି ଦିଲ୍ଲୀରେ ୫୦ଟି ଗାଈକୁ ନେଇ ଏକ ବ୍ୟବସାୟ ଆରମ୍ଭ କରିଥିଲେ। ଏହି ବ୍ୟବସାୟ ଦୁଇସାଙ୍ଗଙ୍କ ପାଇଁ ସହଜ ନଥିଲା। କାରଣ କୌଣସି ମୁହୂର୍ତ୍ତରେ ଦୁହିଁଙ୍କୁ କ୍ଷତି ସହିବାର ଭୟ ଲାଗି ରହିଥିଲା। ତଥାପି ଦୁଇସାଙ୍ଗ ହାର ମାନି ନଥିଲେ। ଆଗକୁ ବଢ଼ିବା ପାଇଁ ଅଣ୍ଟା ଭିଡ଼ିଥିଲେ।
ଏହିଠାରୁ କଣ୍ଟ୍ରି ଡିଲାଇଟ୍ ଆରମ୍ଭ ହୋଇଥିଲା। କମ୍ପାନିର ଲକ୍ଷ୍ୟ ଥିଲା ଗ୍ରାହକଙ୍କୁ ତାଜା ଏବଂ ଶୁଦ୍ଧ କ୍ଷୀର ଯୋଗାଇବା। ଆଜିକାଲି, ବଜାରରେ ଉପଲବ୍ଧ ହେଉଥିବା କ୍ଷୀର ପ୍ରାୟତଃ ମିଶ୍ରଣ କିମ୍ବା ଦୀର୍ଘ ସମୟ ପାଇଁ ପ୍ରକ୍ରିୟାକରଣ କରାଯାଇଥାଏ। ଚକ୍ରଧର ଏବଂ ନୀତିନ ଏହାକୁ ପରିବର୍ତ୍ତନ କରିବାକୁ ସ୍ଥିର କରିଥିଲେ।
୫୦ଟିକୁ ଗାଈକୁ ନେଇ ଚକ୍ରଧର ଏବଂ ନୀତିନ ଆରମ୍ଭ କରିଥିବା ବ୍ୟବସାୟକୁ ଦୁଇ ବର୍ଷ ମଧ୍ୟରେ ବୃଦ୍ଧି କରି ୫୦୦ଟି ଗାଈ କରିବାର ଆଶା ରଖିଥିଲେ। ଗାଈ ପାଇଁ ଜମି ଖୋଜିବା, ସେମାନଙ୍କ ଯତ୍ନ ନେବା ଏବଂ କ୍ଷୀରର ଗୁଣବତ୍ତା ବଜାୟ ରଖିବା ସହଜ ନଥିଲା। ତଥାପି, ତାଙ୍କର କଠିନ ପରିଶ୍ରମ ଫଳପ୍ରଦ ହୋଇଥିଲା।
ଦୁହେଁ ଚାଷୀଙ୍କଠାରୁ ସିଧାସଳଖ କ୍ଷୀର ସଂଗ୍ରହ କରୁଥିଲେ ଏବଂ କିଛି ଘଣ୍ଟା ମଧ୍ୟରେ ଗ୍ରାହକମାନଙ୍କ ପାଖରେ ପହଞ୍ଚାଇ ଦେଉଥିଲେ। ଦୁଇସାଙ୍ଗଙ୍କ କମ୍ପାନି ଏବେ କେବଳ କ୍ଷୀର ନୁହେଁ, ବରଂ ଘିଅ, ପନିର, ଦହି, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ରୋଷେଇ ଘରର ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ବିକ୍ରି କରିବା୍ରେ ଲାଗିଛି।
ଏସବୁ ବ୍ୟବସାୟ ଏକ ମୋବାଇଲ୍ ଆପ୍ ମାଧ୍ୟମରେ କରାଯାଏ, ଯେଉଁଠାରେ ଗ୍ରାହକମାନେ ଅର୍ଡର ଦିଅନ୍ତି ଏବଂ ସବସ୍କ୍ରିପସନ୍ ଆଧାରରେ ଡେଲିଭରି ପାଆନ୍ତି। କମ୍ପାନି ୧୮ଟି ସହର ଏବଂ ୧୧ଟି ରାଜ୍ୟରେ କାମ କରୁଛି।କଣ୍ଟ୍ରି ଡିଲାଇଟ୍ର ୫୦୦,୦୦୦ରୁ ଅଧିକ ଗ୍ରାହକ ଅଛନ୍ତି । ପ୍ରତି ମାସରେ ୫୦ ଲକ୍ଷରୁ ଅଧିକ ଗ୍ରାହକଙ୍କ ଅର୍ଡର ପୂରଣ କରିଥାଏ କମ୍ପାନି।