ସଫଳ ବ୍ୟକ୍ତିତ୍ୱ

ଅଜୟ କୁମାର ପଟ୍ଟନାୟକ

ମୋର ବଡ଼ ଭାଇ ପରମ ପୂଜନୀୟ ଏବଂ ‘ସମ୍ବାଦ’ର ପୂର୍ବତନ ପ୍ରକାଶକ, ବିଜୟ କୁମାର ପଟ୍ଟନାୟକଙ୍କ ଦେହାନ୍ତ ହେବା, ଏହା ଭିତରେ ଏକ ବର୍ଷ ହୋଇଗଲାଣି, ତାହା କଦାପି ବିଶ୍ବାସ କରିହେଉନାହିଁ! ସତେ ଯେପରି ଲାଗୁଛି, ସେ ଆମ ପାଖେ ପାଖେ ଅଛନ୍ତି କିମ୍ବା କେଉଁ ଦୂର ସହରକୁ ଯାଇଛନ୍ତି, ଅଳ୍ପ ଦିନ ପରେ ଫେରିଆସିବେ। ମାତ୍ର, ଏହା ନିରାଟ ସତ, ସେ ଭଗବାନଙ୍କ ପାଖକୁ ଚାଲିଯାଇଛନ୍ତି। ଭାଇଙ୍କ ଦେହାନ୍ତ ହେବାର ତିନି ମାସ ପରେ ‘ସମ୍ବାଦ’ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକଙ୍କୁ, ମୁଁ ଓ ମୋର ପୁତୁରା ସ୍ବରୂପ ପଟ୍ଟନାୟକ ଯାଇ ସାକ୍ଷାତ କରିଥିଲୁ। ଭାଇଙ୍କ ମୃତ୍ୟୁରେ ସେ ଗଭୀର ଭାବେ ମର୍ମାହତ ହୋଇଥିଲେ ମଧ୍ୟ ଆମର କୋହକୁ ଦେଖି ଆମକୁ ବୁଝାଇଥିଲେ, “ତୁମେମାନେ କାହିଁକି ଏତେ ଦୁଃଖ କରୁଛ? ତୁମ ଭାଇ ବିଜୟ ଜଣେ ସଫଳ ବ୍ୟକ୍ତି। ଏପରି ଜଣେ ବ୍ୟକ୍ତି ଲ‌େକ୍ଷରେ ଜଣେ ମିଳିବା କଷ୍ଟକର। ସେ କେବଳ କର୍ମକ୍ଷେତ୍ରରେ ସଫଳ ନ ଥିଲେ, ବରଂ ସାମାଜିକ, ପାରିବାରିକ ଏବଂ ଧାର୍ମିକ କାର୍ଯ୍ୟରେ ସେ ଏତେ ମାତ୍ରାରେ ସଫଳ ଥିଲେ ଯେ ଆଜି ଶହ ଶହ ଲୋକ ତାଙ୍କୁ ଝୁରି ହେଉଛନ୍ତି।’’

ସଫଳତାର ପାହାଚ ଚଢ଼ିବାକୁ ସେ ବହୁତ ପରିଶ୍ରମ କରିଥିଲେ। ଯେଉଁ ନିଷ୍ଠା, ଅନ୍ୟକୁ ସାହାଯ୍ୟ କରିବାର ଯେଉଁ ମନୋଭାବ, ଅନ୍ୟର ଦୁଃଖରେ ନିଜକୁ ସାମିଲ କରିବା, ଦୁଃଖ ସମୟରେ ଦୁଃଖୀ ଲୋକ ପାଖରେ ପହଁଚିବା, ସତେ ଯେମିତି ମୋ’ର ପରମପୂଜ୍ୟ ବିଜୟ ଭାଇଙ୍କ ଗୋଟିଏ ଦୈନନ୍ଦିନ କାର୍ଯ୍ୟରେ ପରିଣତ ହେଉଥିଲା, ତାହା କେବଳ ପରିବାରର ସଦସ୍ୟ ଭାବରେ ମୁଁ ଅ‌େଙ୍ଗ ଅ‌େଙ୍ଗ ଲିଭାଇଛି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଶ୍ଚୟ ସେ କଥା ଅନୁଭବ କରିଥିବେ। ସଫଳତାର ଶେଷ ପାହାଚରେ ପହଞ୍ଚିବା‌େର ତାଙ୍କର ପ୍ରଗାଢ଼ ନିଷ୍ଠା ଥିଲା, ତାହା ‘ସମ୍ବାଦ’କୁ ଏକ ନମ୍ବର ଖବରକାଗଜର ମାନ୍ୟତା ଦେବା ହେଉ, ଧର୍ମ କାର୍ଯ୍ୟରେ ସଂଶ୍ଳିଷ୍ଟ ହୋଇ ବହୁ ଦେବାଦେବୀ ମନ୍ଦିର ପ୍ରତିଷ୍ଠା ହେଉ, ନିଜ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ହେଉ, ବହୁ ଦରିଦ୍ର ଓ ଗରୀବ ଶ୍ରେଣୀର ଲୋକଙ୍କୁ କର୍ମନିଯୁକ୍ତିର ଯୋଗାଣ ହେଉ, ପାରିବାରିକ ସଂପର୍କକୁ ବଜାୟ ରଖି ଯୌଥ ପରିବାରକୁ ଚଳାଇବା ହେଉ ଅବା ନିଃସ୍ୱାର୍ଥପର ଭାବରେ ଅନ୍ୟକୁ ସେବା କରିବା ହେଉ। ଏ ଗୁଣ ମୁଁ ଅନ୍ୟ କାହାଠାରେ ଦେଖିବାକୁ ପାଇ ନ ଥିଲି। ଏମିତି କୌଣସି ବ୍ୟକ୍ତି ନାହିଁ ଯାହାଠାରୁ ମୁଁ କେବେ ବ୍ୟକ୍ତିଗତ ଭାବରେ ଭାଇଙ୍କ ବିଷୟରେ ନକାରାତ୍ମକ ଭାବନା ଶୁଣିବାକୁ ପାଉଥିଲି। ପରକୁ ଆପଣାର କରିବାର କଳା, ଦୁଃଖ ସମୟରେ ସାହାଯ୍ୟ କରିବା ଏବଂ ବନ୍ଧୁମାନଙ୍କ ପାଖରେ ପହଞ୍ଚିବାର କଳା ବୋଧେ ଭଗବାନ ତାଙ୍କୁ ଦେଇ ଏ ଧରାପୃଷ୍ଠକୁ ପଠାଇଥିଲେ ଏବଂ ଜନ୍ମରୁ ତାଙ୍କର ନାମ ଦେଇଥିଲେ ବିଜୟ।

ସେ ଆଜି ସମସ୍ତଙ୍କ ପାଖରେ ଅପରା‌େଜୟ ହୋଇ ରହିଯାଇଛନ୍ତି। ଖୁବ କମ୍ ବୟସରେ ଏ ମହାମାରୀ ମୋ’ର ଭାଇଙ୍କୁ ଛଡ଼ାଇ ନେଇ ଆମକୁ ଦୁଃଖ ଓ ଗ୍ଲାନିରେ ତିଳ ତିଳ କରି ମାରୁଛି। ବହୁ ଲୋକ ବୁଝାଉଥିଲେ, ସଫଳ ବ୍ୟକ୍ତିମାନେ ଖୁବ କମ୍ ଦିନ ପାଇଁ ଏ ଭବ ସାଗରକୁ ଆସିଥାନ୍ତି। ସେ ରାମକୃଷ୍ଣ ପରମହଂସ ବା ସ୍ବାମୀ ବିବେକାନନ୍ଦ ହୁଅନ୍ତୁ, ସେମାନେ ଯେପରି କମ୍ ଦିନରେ ଏ ସଂସାରରୁ ବିଦାୟ ନେଇଛନ୍ତି ଏବଂ ଯଶ କୀର୍ତ୍ତି ଅର୍ଜନ କରିଥାନ୍ତି, ତୁମ ଭାଇ ଯେଉଁ କର୍ମ କରିଛନ୍ତି ତାଙ୍କୁ ତାଙ୍କ ଭିଟାମାଟି ଏବଂ ସାରା ଓଡ଼ିଶା, ସମ୍ବାଦ ପରିବାର ଏବଂ ତାଙ୍କ ଧର୍ମ ମାଟି ସଂକଟମୋଚନ ହନୁମାନ ମନ୍ଦିର ଆଜି ଝୁରି ହେଉଛି । ସେ ଯାହା ବି ହେଉ ମୋ ପାଇଁ ମୋ ଭାଇ ଏକ ନିଆରା ବ୍ୟକ୍ତିତ୍ବର ମଣିଷ। ଯାହାର ମନ ପୃଥିବୀ ଠାରୁ ଓ ହୃଦୟ ଆକାଶ ଠାରୁ ବଡ଼ ଥିଲା। ମୋ ପାଇଁ ସେ ଦେବତୁଲ୍ୟ ଭାଇ ଥିଲେ। ତାଙ୍କର ଅନୁପସ୍ଥିତିକୁ ମୁଁ ଆଜି ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛି। ତାଙ୍କର କର୍ମ, ମଣିଷ ଜୀବନକୁ ସାର୍ଥକ କରିଛି। ଉତ୍ସର୍ଗୀକୃତ କର୍ମ ତାଙ୍କୁ ଅମର କରିଛି। ଆଜିର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଭଗବାନଙ୍କୁ ପ୍ରାର୍ଥନା କରୁଛି- “ତାଙ୍କୁ ଯେଉଁଠି ରଖିଥାନ୍ତୁ, ଭଲରେ ରଖିଥାନ୍ତୁ, ସେ ମୋତେ ଓ ମୋ ପରିବାରକୁ ତାଙ୍କର ଆଶିଷ ଓ ଆଶୀର୍ବାଦ ଦେଇଚାଲିଥାନ୍ତୁ।’’

ଏମ୍ – ୮୩, ବରମୁଣ୍ଡା ହାଉସିଂବୋର୍ଡ କଲୋନୀ,
ଭୁବନେଶ୍ବର

ସମ୍ବନ୍ଧିତ ଖବର