ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରିର ଅଖ୍ୟାତ ପଲ୍ଲୀରୁ ଏବେ ଭାରତ-ବାଂଲାଦେଶ ସୀମାବର୍ତ୍ତୀ ସୁରକ୍ଷା ପୋଷ୍ଟ। ଏହା କେବଳ ଏକ ଭୌଗୋଳିକ ଦୂରତ୍ବ ନୁହେଁ, ଏହା ହେଉଛି ଏକ ଦୀର୍ଘ ଲକ୍ଷ୍ୟ ଆଉ ସ୍ବପ୍ନ। ଏହି ଲକ୍ଷ୍ୟ ବା ସ୍ବପ୍ନ ନିକଟରେ ପହଞ୍ଚିବା ବି ଏତେ ସହଜ ନଥିଲା। ନିଜର ସଂଘର୍ଷ ଓ ଦୃଢ଼ ସଂକଳ୍ପ ବଳରେ ହିଁ ପହଞ୍ଚିବା ସମ୍ଭବପର ହୋଇଥିଲା। ସଂଘର୍ଷ ପରେ ଯିଏ ଏହି ସଫଳତା ହାସଲ କରିଛନ୍ତି ଏବଂ ଜାଗ୍ରତ ପ୍ରହରୀ ଭାବେ ଏବେ ସୀମାକୁ ଜଗିଛନ୍ତି, ସେ ହେଉଛନ୍ତି ସୁଚିସ୍ମିତା ସାହୁ।
ସୁଚିସ୍ମିତା ହେଉଛନ୍ତି ନୀଳଗିରି ଅନ୍ତର୍ଗତ ବାଲିଗୋହିରି ଗ୍ରାମର ଝିଅ। ବାପା କୃଷ୍ଣଚନ୍ଦ୍ର ସାହୁ ଓ ମାଆ ମମତା ସାହୁଙ୍କ ଚତୁର୍ଥ କନ୍ୟା। ଘରର ସାନଝିଅ ସେ। ପିଲାବେଳୁ ସୁଚିସ୍ମିତାଙ୍କର ନାଚ,ଗୀତ, ଖେଳ, ଦୌଡ଼ ଆଦିରେ ରୁଚି ଥିଲା। ନିଜର ଆଚାରବ୍ୟବହାର, ଚାଲିଚଳଣି ପୁଅ ସଦୃଶ ହିଁ ଥିଲା। ଏହାପଛରେ ବୋଧହୁଏ ବାପାମା’ଙ୍କର ପୁଅଟିଏ ନହେବାର ଦୁଃଖକୁ ଲାଘବ କରିବା ଥିଲା। ତେବେ, ଏଥିପାଇଁ ଖୁବ୍ ଟାହିଟାପରା ସହିବାକୁ ପଡ଼ିଥିଲା ସୁଚିସ୍ମିତାଙ୍କୁ । ତା’ରି ଭିତରେ ନୀଳଗିରି ରତ୍ନାକର ଟାଉନ ହାଇସ୍କୁଲରେ ପାଠପଢ଼ା। ନୀଳଗିରି ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରେ ନୀଳଗିରି ମହାବିଦ୍ୟାଳୟରେ ଯୁକ୍ତ ୩ ପଢ଼ି କୃତକାର୍ଯ୍ୟ ହୋଇଥିଲେ। ସୁଚିସ୍ମିତାଙ୍କ ବାପା ଗୃହରକ୍ଷୀ ଭାବେ କାର୍ଯ୍ୟରତ। ସୀମିତ ସମ୍ବଳ, ସାମନାରେ ଅନେକ ପ୍ରତିବନ୍ଧକ।
ହେଲେ, ଏ ସବୁକୁ ଖାତିର ନ କରି ଜୀବନରେ କିଛି କରିବା ପାଇଁ ସେ ପଣ କରିଥିଲେ। ସମାଲୋଚକଙ୍କ ମୁହଁକୁ ବନ୍ଦ କରିବାପାଇଁ ସେନାରେ ସାମିଲ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। କେତେକ ଘଟଣାରେ ବି ତାଙ୍କୁ ହତୋତ୍ସାହିତ ହେବାକୁ ପଡ଼ିଥିଲା। ବଡ଼ ହେବା ପରେ ଭଉଣୀ ସହ ମୋବାଇଲ ସାହାଯ୍ୟରେ ସେନା ପାଇଁ ପ୍ରଶିକ୍ଷଣ ନେଉଥିଲେ। ନୀଳଗିରି ଥାନା ପଡ଼ିଆରେ ପ୍ରତ୍ୟେକ ଦିନ ଯାଇ ଅଭ୍ୟାସ କରୁଥିଲେ। ହେଲେ, ବଡ଼ଭଉଣୀ ରଶ୍ମିତା ସାହୁ ଯବାନ ହେବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ଏହା ସତ୍ତ୍ବେ ନିଜର ସଂକଳ୍ପରୁ ବିଚ୍ୟୁତ ହୋଇନଥିଲେ ସୁଚିସ୍ମିତା। ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ବଳରେ ୨୦୨୧ ମସିହାରେ ସୀମା ସୁରକ୍ଷା ଦଳ (ବିଏସ୍ଏଫ୍) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ସୁଚିସ୍ମିତା। ସେତେବେଳେ ତାଙ୍କୁ ମାତ୍ର ୧୮ବର୍ଷ ବୟସ। ଏବେ ସେ ବାଲାଂଦେଶ-ଭାରତ ସୀମା ତ୍ରିପୁରାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି। ଅସମ୍ଭବ ବୋଲି ଶବ୍ଦ ଦୁନିଆରେ କିଛି ନାହିଁ, ଜୀବନରେ ସବୁକିଛି ସମ୍ଭବ ହେବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କୁହନ୍ତି ସୁଚିସ୍ମିତା।