ସୁକାନ୍ତ କୁମାର ଦାସ
କଥାରେ ଅଛି- ଭାଗ୍ୟବଳେ ନଳରାଜା କାଟେ ଘୋଡ଼ାଘାସ, ଭାଗ୍ୟ ଯୋଗୁଁ ରାମଚନ୍ଦ୍ର ଗଲେ ବନବାସ। ଯଦିଓ ଏଥିଯୋଗୁଁ ସଂସାରର ବହୁତ କଲ୍ୟାଣ ହୋଇଛି, କିନ୍ତୁ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଅନେକ ଝଡ଼ଝଞ୍ଜା ସାମନା କରିବାକୁ ପଡ଼ିଛି। ୧୯୫୨ରୁ ୧୯୭୭ ପର୍ଯ୍ୟନ୍ତ ଯେତେଜଣ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେମାନେ ପ୍ରତ୍ୟାଶିତ ଥିଲେ। ଜନମାନସରେ ସେମାନଙ୍କୁ ନେଇ କଳ୍ପନାଜଳ୍ପନା ଓ ଆଳକନ ଥିଲା। କିନ୍ତୁ ୧୯୮୪ ମସିହାଠାରୁ ଏହି ଧାରାରେ ପରିବର୍ତ୍ତନ ଆସିଥିଲା। ଇନ୍ଦିରା ଗାନ୍ଧୀ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ରୂପେ ସାନପୁଅ ସଂଜୟ ଗାନ୍ଧୀଙ୍କୁ ଗଢ଼ି ତୋଳିଥିଲେ, କିନ୍ତୁ ନିୟତିର ଇଚ୍ଛା କିଛି ଅଲଗା ଥିଲା। ବିମାନ ଦୁର୍ଘଟଣାରେ ସଞ୍ଜୟଙ୍କ ମୃତ୍ୟୁ ଏବଂ ୧୯୮୪ରେ ଅଙ୍ଗରକ୍ଷୀଙ୍କ ଦ୍ବାରା ଇନ୍ଦିରାଙ୍କ ହତ୍ୟା ଗାନ୍ଧୀ ପରିବାରର ବଡ଼ପୁଅ ରାଜୀବଙ୍କୁ ରାଜନୀତିରେ ପାଦ ରଖିବାକୁ ବାଧ୍ୟ କରିଥିଲା। ବୃତ୍ତିରେ ପାଇଲଟ୍ ରାଜୀବ ରାଜନୀତି ପ୍ରତି ଅନାସକ୍ତ ଥିଲେ ହେଁ ଦେଶର ଶାସନଭାର ଗ୍ରହଣ କରିଥିଲେ। ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୮୪ ନିର୍ବାଚନରେ ଇନ୍ଦିରାଙ୍କ ହତ୍ୟାକାଣ୍ଡର ଅନୁକମ୍ପା ଭୋଟ୍ ତାଙ୍କୁ ବିପୁଳ ବିଜୟ ଦେଇଥିଲା।
୧୯୮୯ ମସିହାରେ ବୋଫର୍ସ ଦୁର୍ନୀତି ଏବଂ ଦେଶବ୍ୟାପୀ ସରକାରୀ ବିରୋଧୀ ହାୱା ଯୋଗୁଁ ହାର୍ ମାନିବାକୁ ପଡ଼ିଥିଲା ରାଜୀବଙ୍କୁ। ବିରୋଧୀ ନିର୍ବାଚନ ତ ଜିତିଗଲେ, କିନ୍ତୁ ପ୍ରଧାନମନ୍ତ୍ରୀ କିଏ ହେବ ସେ ନେଇ ଦ୍ବନ୍ଦ୍ବ ଉପୁଜିଲା। କାରଣ ବହୁ ବଡ଼ ବଡ଼ ନେତା ଥିଲେ ଦାବିଦାର। ପ୍ରକୃତରେ ସର୍ବମାନ୍ୟ ନେତା ଥିଲେ ଜାତୀୟ ସାମ୍ମୁଖ୍ୟର ପ୍ରତିଷ୍ଠାତା ଏନ୍.ଟି. ରାମାରାଓ। କିନ୍ତୁ ଦୁର୍ଭାଗ୍ୟକୁ ୧୯୮୪ର ଅନୁକମ୍ପା ହାୱାକୁ ପ୍ରତିହତ କରି ୪୨ରୁ ୩୬ଟି ଆସନ ଅକ୍ତିଆର କରିଥିବା ତେଲୁଗୁ ଦେଶମ୍ ପାର୍ଟିକୁ ୧୯୮୯ରେ ମିଳିଥିଲା ମାତ୍ର ୩ଟି ଆସନ। ତେଣୁ ସେ ଦୌଡ଼କୁ ଆସିଲେ ନାହିଁ। ସେହିପରି ଆଉ ଜଣେ ନିର୍ବିବାଦୀୟ ନେତା ଥିଲେ କର୍ଣ୍ଣାଟକର ରାମକୃଷ୍ଣ ହେଗ୍ଡ଼େ। କିନ୍ତୁ ଦେଶର ସବୁ ରାଜ୍ୟରେ ସଫଳତା ହାସଲ କରି ୧୪୩ଟି ଆସନ ପାଇଥିବା ଜନତା ଦଳକୁ ହେଗ୍ଡ଼େଙ୍କ ନିଜ ରାଜ୍ୟ କର୍ଣ୍ଣାଟକ ନିରାଶ କଲା। ତେଣୁ ତାଙ୍କ ଭଳି ଜଣେ ଦକ୍ଷ, ସଚ୍ଚୋଟ ଓ ଆଦର୍ଶବାଦୀ ନେତାଙ୍କର ଏହି ଗୌରବମୟ ପଦବି ଅଳଂକୃତ କରିବାର ସୁଯୋଗରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା।
କେହି କେହି କହନ୍ତି, ରାଜନୀତି ହେଉଛି କିଛି କୁତ୍ସିତ ଲୋକଙ୍କ ଦ୍ୱାରା ଖେଳାଯାଉଥିବା ଏକ କୁତ୍ସିତ ଖେଳ। ସେଥିପାଇଁ ପ୍ରଫେସର ମଧୁ ଦଣ୍ଡବତେ ଓ ଜର୍ଜ ଫର୍ଣ୍ଣାଣ୍ଡିସ୍ଙ୍କ ଭଳି ଆଦର୍ଶବାଦୀ, ସମାଜବାଦୀ ଚିନ୍ତାଧାରାର ଜନନାୟକଙ୍କ ନାମ ଏହି ଦୌଡ଼ରେ ସାମିଲ କରାଯାଇ ନଥିଲା। ୧୯୭୭ ମସିହାରେ ଜନତା ପାର୍ଟି ଗଠନ ପରଠାରୁ ଦଳର ସର୍ବେସର୍ବା ରହି ଆସିଥିଲେ ଚନ୍ଦ୍ରଶେଖର। ତାଙ୍କର ପ୍ରଧାନମନ୍ତ୍ରୀ ପଦ ପ୍ରତି ଲାଳସା କାହାକୁ ଅଛପା ନଥିଲା। ସେ ସମୟରେ ଅଧିକାଂଶ ସାଂସଦ ଚାହୁଥିଲେ ରାଜୀବଙ୍କ ବନ୍ଧୁ ତଥା ତାଙ୍କର ପୂର୍ବତନ କ୍ୟାବିନେଟ୍ ସହଯୋଗୀ ନିର୍ମଳ ଭାବମୂର୍ତ୍ତି ସଂପନ୍ନ ବିଶ୍ବନାଥ ପ୍ରତାପ ସିଂହ ପ୍ରଧାନମନ୍ତ୍ରୀ ହୁଅନ୍ତୁ । କିନ୍ତୁ ଚନ୍ଦ୍ରଶେଖର ତାଙ୍କ ସମର୍ଥକଙ୍କ ଦ୍ବାରା ଏକ ଚାଲ୍ ଖେଳିଲେ ଯେ ଏହି ପଦ ଜନତା ପରିବାରର କୌଣସି ସଦସ୍ୟଙ୍କୁ ମିଳୁ। ବିଶ୍ବନାଥ ପ୍ରତାପ ସିଂହଙ୍କ ସମର୍ଥକ ପ୍ରସ୍ତାବ ଦେଲେ ଚରଣ ସିଂହଙ୍କ ଭଳି ଜଣେ କିଷାନ ନେତା ପ୍ରଧାନମନ୍ତ୍ରୀ ହେଲେ ତା’ର ସୁଫଳ ଆଗକୁ ଆସୁଥିବା ବିଧାନସଭା ନିର୍ବାଚନରେ ମିଳିବ। ସେତେବେଳେ ଦେଶର ସବୁଠାରୁ ବଡ଼ କିଷାନ ନେତା ଥିଲେ ହରିୟାଣା ମୁଖ୍ୟମନ୍ତ୍ରୀ ଚୌଧୁରୀ ଦେବୀଲାଲ। ତାଙ୍କ ନାମ ଉପରେ ପାର୍ଲାମେଣ୍ଟାରି ବୋର୍ଡ ମିଟିଂରେ ସହମତି ହୋଇଗଲା। ସମସ୍ତେ ମିଟିଂ ସାରି ଆସିଲା ପରେ ଦେବୀଲାଲ ଏକ ପ୍ରେସ୍ ବାର୍ତ୍ତାରେ କହିଲେ- ‘‘ମୁଁ ଦେଶୀ ଲୋକ, ହିନ୍ଦୀ ବି ହରିୟାଣୀ ଷ୍ଟାଇଲ୍ରେ କହେ, ଇଂରାଜୀ ମୋତେ ଜଣାନାହିଁ, ତେଣୁ ପ୍ରଧାନମନ୍ତ୍ରୀ ଦାୟିତ୍ବ ବିଶ୍ବନାଥ ପ୍ରତାପ ସିଂହ ନିଅନ୍ତୁ। ମୁଁ ଉପ-ପ୍ରଧାନମନ୍ତ୍ରୀ ସହିତ କୃଷି ମନ୍ତ୍ରାଳୟ ଦାୟିତ୍ବ ନେବି।’’ ଚନ୍ଦ୍ରଶେଖରଙ୍କ ପାଖରେ ଏହାର ପ୍ରତିକାର ନଥିଲା। ବାଧ୍ୟ ହୋଇ ସେ ଭି ପି ସିଂହଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଗ୍ରହଣ କଲେ ଓ ନିଜେ କୌଣସି ମନ୍ତ୍ରୀପଦ ଗ୍ରହଣ କଲେନାହିଁ। ୧୯୮୯ ଡିସେମ୍ବର ୨ରେ ଭି ପି ସିଂହ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ। ଶୀର୍ଷ ପଦବିରେ ବସିବା ତାଙ୍କ ଭାଗ୍ୟରେ ଥିଲା, ଯାହା ତାଙ୍କୁ କଂଗ୍ରେସରେ ରହି କେବେ ବି ମିଳି ନଥାନ୍ତା। ତେବେ ଜାତୀୟ ସାମ୍ମୁଖ୍ୟ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ହେତୁ ୧୯୯୦ ନଭେମ୍ବର ୧୦ରେ ଭି ପି ସିଂ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ମଣ୍ଡଳ-କମଣ୍ଡଳ ରାଜନୀତିରେ ଯେତେବେଳେ ଭାରତ ଜଳୁଥିଲା, ତାକୁ ଆଶାବାଡ଼ି କରି ଚୌଧୁରୀ ଚରଣସିଂହଙ୍କ ଭଳି ଦଳରେ ବିଭାଜନ କରି, କଂଗ୍ରେସ ସହାୟତାରେ ପ୍ରଧାନମନ୍ତ୍ରୀ ହେବାର ନିଜର ମହତ୍ତ୍ବାକାଙ୍କ୍ଷା ପୂରଣ କରିଥିଲେ ଚନ୍ଦ୍ରଶେଖର। ମାତ୍ର କିଛି ମାସ ସେ ପଦରେ ରହିଥିଲେ।
ଦେଶର ଆର୍ଥିକ ସ୍ଥିତି ଖରାପ ଆଡ଼କୁ ଗତି କରୁଥିବା ଦ୍ବାହି ଦେଇ, ଚନ୍ଦ୍ରଶେଖର ସରକାରର ପତନ ଘଟାଇ ୧୯୯୧ରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରାଇଥିଲା କଂଗ୍ରେସ। ଆଉ ମଣ୍ଡଳ-କମଣ୍ଡଳ ବିବାଦରେ ବିଭାଜିତ ଭାରତୀୟ ଭୋଟରଙ୍କ ମିଜାଜ ବୁଝିବା ବଡ଼ କଷ୍ଟକର ଥିଲା। ନିର୍ବାଚନ ପୂର୍ବରୁ ଯାହା ବୁଝାପଡୁଥିଲା- ଦେଶରେ ଖଣ୍ଡିତ ଜନାଦେଶ ଆସିବ। ବିଧିର ବିଧାନ କେ କରିବ ଆନ। ନିର୍ବାଚନ ପ୍ରକ୍ରିୟା ମଧ୍ୟଭାଗରେ ୧୯୯୧ ମେ ୨୧ରେ ତାମିଲନାଡୁର ଶ୍ରୀପେରୁମ୍ବଦୁରଠାରେ ଏକ ସଭାରେ ଉଦ୍ବୋଧନ ଦେବାକୁ ଗଲାବେଳେ ମାନବବୋମା ବିସ୍ଫୋରଣର ଶିକାର ହେଲେ ରାଜୀବ ଗାନ୍ଧୀ ଏବଂ ଏହା ନିର୍ବାଚନ ଚଳଚ୍ଚିତ୍ରର ପରିଦୃଶ୍ୟକୁ ବଦଳାଇ ଦେଇଥିଲା। ଯଦିଓ କଂଗ୍ରେସକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳି ନଥିଲା, କିନ୍ତୁ କ୍ଷେତ୍ରୀୟ ଦଳଙ୍କ ସହାୟତାରେ କଂଗ୍ରେସ ସରକାର ଗଠନ କରିଥିଲା। ସବୁ କଂଗ୍ରେସିଆଙ୍କ ଧାରଣା ଥିଲା, ରାଜୀବଙ୍କ ଭଳି ସୋନିଆ ଆଗକୁ ଆସି ସ୍ବାମୀଙ୍କ ଦାୟିତ୍ବ ନିଜ କାନ୍ଧକୁ ନେବେ ବୋଲି। କିନ୍ତୁ ଶାଶୂ ଆଉ ସ୍ବାମୀଙ୍କ ନୃଶଂସ ହତ୍ୟାର ଦାରୁଣ ଆଘାତ ତାଙ୍କୁ ଏତେ ବିଚଳିତ କରିଥିଲା ଯେ, ସେ ସବୁ ଅନୁରୋଧ ପ୍ରତ୍ୟାଖ୍ୟାନ କରିଦେଲେ। ଶେଷରେ ହାତୀ ସୁନାକଳସ ଢାଳିଥିଲା ଅଭିଜ୍ଞ ରାଜନେତା ପି ଭି ନରସିଂହ ରାଓଙ୍କ ମୁଣ୍ଡରେ। ସେ ଯେଉଁ ପଦବିର ସ୍ବପ୍ନ ମଧ୍ୟ ଦେଖି ନଥିଲେ, ତାହା ତାଙ୍କ ହାତକୁ ଚାଲିଆସିଲା। ଆଉ ଦେଶ ଏକ ସଂକଟଜନକ ଅବସ୍ଥା ଦେଇ ଗତି କରୁଥିବା ବେଳେ ପି ଭି ନରସିଂହ ରାଓ ଯେଭଳି ଶାସନ ବ୍ୟବସ୍ଥା ଚଳାଇଲେ ଏବଂ ଅର୍ଥନୈତିକ କ୍ଷେତ୍ରରେ ସଂସ୍କାର ଓ ପରିବର୍ତ୍ତନ ଆଣିଲେ ତାହା ତାଙ୍କୁ ବିରଳ ବ୍ୟକ୍ତିତ୍ବରେ ପରିଣତ କରିଥିଲା। ସେ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ।