ନିଜ ଜୀବନକୁ ନିଜେ ଅନ୍ତ କରିବାଠାରୁ ଅଧିକ ଦୁର୍ଭାଗ୍ୟଜନକ ଓ ଦୁଃଖଦ ଆଉ କିଛି ନହୋଇପାରେ। ଯେଉଁମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନିଅନ୍ତି ସେମାନେ ଖାଲି ସେମାନଙ୍କ ଜୀବନ ନୁହେଁ, ବରଂ ସେମାନଙ୍କୁ ଭଲ ପାଉଥିବା ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ଅନ୍ୟାୟ କରି ବସନ୍ତି। ଆତ୍ମହତ୍ୟା କେବେ ସମାଧାନର ରାସ୍ତା ନୁହେଁ। ମଣିଷ ଜୀବନରେ ଅନେକ ପରିସ୍ଥିତି ଆସେ। ଆମକୁ ଅନେକ ଆହ୍ବାନ ଏବଂ କଷ୍ଟର ସାମ୍ନା କରିବାକୁ ହୁଏ। ଜୀବନର ସାର୍ଥକତା ହିଁ ପ୍ରତିକୁଳ ପରିସ୍ଥିତିକୁ ସଫଳ ଭାବେ ସାମ୍ନା କରିବାରେ ହିଁ ଲୁଚି ରହିଥାଏ। ଏ ଜୀବନ ଖାଲି ଆମର ଅବଦାନ ନୁହେଁ, ତେଣୁ ଏହାର ଅନ୍ତ କରିବାର ଅଧିକାର ମଧ୍ୟ ଆମର ନାହିଁ। ଆମେ ନିଜର ଚରିତ୍ର ଓ ମାନସିକତାକୁ ଦୃଢ଼ କରିବା ଆବଶ୍ୟକ। ଆମେ ନିଜକୁ ଏମିତି ବି ଦୁର୍ବଳ ଭାବିବା ଅନୁଚିତ ଯେ କାହା ବିନା ଆମର ବଞ୍ଚିବା ଅସମ୍ଭବ ପାଲଟିଯିବ। ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆମର ବିଶ୍ବାସ ଅତୁଟ ରହିବା ଦରକାର।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ଆମେ ନିଜେ ହିଁ ନିଜର ଭାଗ୍ୟ ବିଧାତା। ଆମ ଭିତରେ ଅସୀମ ଐଶ୍ବରୀୟ ଶକ୍ତି ରହିଛି। ଆମେ ତାହାର ସନ୍ଧାନ କରିବା ଦରକାର। ବିଶ୍ବାସ, ଧୈର୍ଯ୍ୟ, ପ୍ରେମ ଓ ଅଧ୍ୟବସାୟ ଦ୍ବାରା ସବୁକିଛି ସମ୍ଭବ। ଆମର ବ୍ୟକ୍ତିତ୍ବ ସ୍ବତନ୍ତ୍ର। ଏହା ଅତୁଳନୀୟ, କାହା ସହ ନିଜକୁ ତୁଳନା କରି ନିଜ ବିଷୟରେ କୌଣସି ଅବଧାରଣା ସୃଷ୍ଟି କରିବା ଉଚିତ ନୁହେଁ। ନିଜ ଉପରେ ବିଶ୍ବାସ ରହିଲେ ନିଜ ସାମର୍ଥ୍ୟର ସନ୍ଧାନ ସମ୍ଭବ। ତେଣୁ ଆମେ ସକଳ ଦୁର୍ବଳତାରୁ ଉପରକୁ ଉଠିବାକୁ ଚେଷ୍ଟା କରିବା ଦରକାର। ଯେ କୌଣସି ପରିସ୍ଥିତିରେ ବି ନିଜ ପ୍ରତି ପ୍ରେମ ଓ ଆଦର କମ ନ ହେବା ଦରକାର। ସାଗରରେ ଯାହା ପଡ଼େ ତାହା ସାଗରର କ୍ଷତି କରେ ନାହିଁ, ବରଂ ନିଜର ସତ୍ତା ହରାଏ। ସେହିଭଳି ଆମେ ଆମ ହୃଦୟକୁ ସାଗର ଭଳି ବିଶାଳ କରିବା ଦରକାର। ଆତ୍ମହତ୍ୟା ନିଶ୍ଚିତ ଭାବେ ଏକ ଦୁର୍ବଳ ବା ବିକୃତ ମାନସିକତା। ଆମ ଭିତରେ ବଞ୍ଚିବାର ଆଶା ରହିବା ଦରକାର। ଗୋଟିଏ ସ୍ବପ୍ନ ଭାଙ୍ଗିଲେ ଆଉ ଗୋଟିଏ ସ୍ବପ୍ନ ଦେଖିବାର ମାନସିକତା ଦରକାର।
ଆତ୍ମହତ୍ୟା ଭଳି ଘଟଣାର ନିବାରଣ ନିମନ୍ତେ ୨୦୦୩ ମସିହାରେ ଇଣ୍ଟର ନ୍ୟାସନାଲ ଆସୋସିଏସନ ଫର ସୁଇସାଇଡ୍ ପ୍ରିଭେନ୍ସନ୍ (ଆଇଏଏସ୍ପି) ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ମିଳିତ ପ୍ରୟାସରେ ପ୍ରଥମ ଥର ପାଇଁ ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ ପାଳିତ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଏହା ବିଶ୍ବବ୍ୟାପୀ ପାଳିତ ହେଉଛି। ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ଏହାର ବିଷୟ ରହିଛି କାର୍ଯ୍ୟ ମାଧ୍ୟମରେ ଆଶାର ସଞ୍ଚାର। ଆମ ଚାରିପଟେ ଅବସାଦଗ୍ରସ୍ତ ବା ଆତ୍ମହତ୍ୟା ପ୍ରବଣ ଲୋକମାନଙ୍କର ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଆଗଲେ ସେମାନଙ୍କ ଜୀବନରେ ନୂତନ ଆଶା ସୃଷ୍ଟି ହୋଇପାରିବ।
ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ
[email protected]