ନିକଟରେ ହାଇଦ୍ରାବାଦ ଆଇଆଇଟିରେ ଆତ୍ମହତ୍ୟା କରିଛନ୍ତି ଓଡ଼ିଆ ଛାତ୍ରୀ ମମିତା ନାଏକ। ମମିତାଙ୍କୁ ମିଶାଇ ଚଳିତବର୍ଷ ପ୍ରାଣ ହରାଇ ସାରିଲେଣି ୨୦ ଛାତ୍ରଛାତ୍ରୀ। ଏଥିସହିତ, ‘ଆଇଆଇଟି ଫାକ୍ଟ୍ରି’ ବୋଲି କୁହାଯାଉଥିବା କୋଟାରେ ଆତ୍ମହତ୍ୟା କରିଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବି ୨୨ରେ ପହଞ୍ଚିଲାଣି। ଯାହାକି, ଏକ ଉଦ୍‌ବେଗଜନକ ଘଟଣାରେ ପରିଣତ ହୋଇଛି। ଏ ସମ୍ପର୍କରେ ‘ରବିବାର ଫିଚର୍ସ’ର ସ୍ବତନ୍ତ୍ର ଉପସ୍ଥାପନା..

Advertisment

ଜୁଲାଇ ୨୬ରୁ ଅଗଷ୍ଟ ୭ ତାରିଖ। ବ୍ୟବଧାନ କହିଲେ ମାତ୍ର ଏଗାର ଦିନ। ହେଲେ, ଏହି ସଂକ୍ଷିପ୍ତ ଅବଧି ଜୀବନକୁ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗା‌େର ପହଞ୍ଚାଇ ଦେଇପାରେ! ସ୍ବପ୍ନ ନିକଟରେ ପହଞ୍ଚିଗଲି ବୋଲି ଭାବୁ ଭାବୁ ମୃତ୍ୟୁ କୋଳକୁ ନେଇଯାଇପାରେ! କ‌ାହିଁକି ଏମିତି ଘଟିଲା ସେ ସମ୍ପର୍କରେ କାରଣ ଖୋଜୁଖୋଜୁ ସବୁକିଛି ଅତୀତ ପାଲଟିଯାଇପାରେ!

ଯାହାଙ୍କ ଉଦ୍ଦେଶ୍ୟରେ ଏହା କୁହାଯାଉଛି, ସେ ହେଉଛନ୍ତି ଆମ ରାଜ୍ୟର ଜଣେ ଏକୋଇଶି ବର୍ଷୀୟା ତରୁଣୀ ମମିତା ନାଏକ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଜଟେସିଂହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁମୁରି ଗ୍ରାମରେ ତାଙ୍କ ଘର। ହେଲେ, ଆଉ ଇହଧାମରେ ନାହାନ୍ତି ମମିତା। ଅଗଷ୍ଟ ୭ ତାରିଖରେ ହାଇଦ୍ରାବାଦ ଆଇଆଇଟି (ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି/ ଆଇଆଇଟି-ଏଚ୍‌) ପରିସରସ୍ଥ ଏକ ହଷ୍ଟେଲ୍‌ ରୁମ୍‌ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଜୁଲାଇ ୨୬ ପୂର୍ବାହ୍ନରେ ଅସୁମାରୀ ସ୍ବପ୍ନ ନେଇ ହାଇଦ୍ରାବାଦ ଆଇଆଇଟି‌େର ପହଞ୍ଚିଥିଲେ। ପିଜି ପିଲାଙ୍କ ପାଇଁ ହଷ୍ଟେଲ୍‌ରେ ‘ସିଙ୍ଗଲ୍‌ ରୁମ୍‌’ର ବ୍ୟବସ୍ଥା ଥିବାରୁ ସେଠି ସେ ରହୁଥିଲେ ଏକାକୀ। ‌େହଲେ, ରହିବାର ଏଗାରଦିନ ପରେ ନା ସେ ଥିଲେ ନା ତାଙ୍କ ସ୍ବପ୍ନ ଥିଲା, ଥିଲା କେବଳ ଦୁଇଧାଡ଼ି ଓଡ଼ିଆରେ ଲେଖା ହୋଇଥିବା ଏକ ସୁଇସାଇଡ୍‌ ନୋଟ୍‌। ‘ଅତ୍ୟଧିକ ମାନସିକ ଚାପ ପାଇଁ ମୁଁ ଏହିଭଳି ଏକ ଚରମ ନିଷ୍ପତ୍ତି ନେଉଛି... ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି।’

ଘଟଣାର ଆଠଦିନ ପରେ ଅର୍ଥାତ୍‌ ଅଗଷ୍ଟ ପନ୍ଦର ତାରିଖ ଦିନ ଆମ ‘ସୁବଳୟା’ ପ୍ରତିନିଧି ଯେତେବେଳେ ମମିତାଙ୍କ ଘରେ ପହଞ୍ଚିଲେ ଭାରି କରୁଣ ଦିଶୁଥିଲେ ପରିବାରର ଲୋକେ। ଚାରିଆଡ଼େ ସକାଳଠାରୁ ଦେଶ ସ୍ବାଧୀନତା ପ୍ରାପ୍ତିର ମହୋତ୍ସବ ଲାଗି ରହିଥିଲା, ହେଲେ ସେମାନେ ସମସ୍ତେ ଯେମିତି ଏକ ଶୂନ୍ୟତା ଭିତରେ ଆବଦ୍ଧ ହୋଇ ରହିଯାଇଥିଲେ। ସେମାନଙ୍କ ଆଖିର ଲୁହ ଆଠଦିନ ଧରି ବୋହି ଚାଲୁଥିଲା... ବନ୍ଦ କରିବା ପାଇଁ ଯେତେ ଚେଷ୍ଟାକଲେ ମଧ୍ୟ ତାହା ବନ୍ଦ ହେଉ ନ ଥିଲା। ସେହି କୋହଭିଜା କଣ୍ଠରେ ମୃତ ଛାତ୍ରୀଙ୍କ କାକା ଯଜ୍ଞେଶ୍ବର ନାଏକ କହୁଥିଲେ, ‘ଆମ ଝିଅ କେବେହେଲେ ଆତ୍ମହତ୍ୟା କରିପାରିବନି। ତାକୁ ମାରି ଦିଆଯାଇଛି। ମନ୍ଦ ଉଦ୍ଦେଶ୍ୟ ରଖି ବାହାର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମାରିଦିଆଯାଉଛି। ଏହା ପଛରେ କାରଣ ହେଉଛି, ସିଟ୍‌ ଖାଲିପଡ଼ିଲେ ସେମାନେ ସ୍ପଟ୍‌ ଆଡ୍‌ମିସନ୍‌ କରିପାରିବେ।’ ସେ ଆହୁରି ମଧ୍ୟ କହୁଥିଲେ, ‘ଏକ ବଡ଼ ସହରର ଉଚ୍ଚତର ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବ ବୋଲି ପିଲାଟିଦିନରୁ ମମିତାର ସ୍ବପ୍ନ ଥିଲା। ସେଥିପାଇଁ ବି ସେ ବହୁ କଷ୍ଟ ସହିତ ସଂଘର୍ଷ କରିଛି। ସେ କାହିଁକି ଆତ୍ମହତ୍ୟା କରିବ?’

publive-image

ଯ‌ଜ୍ଞେଶ୍ବର, ଯିଏ କି ସବୁବେଳେ ପାଠପଢ଼ି ବହୁତ ବଡ଼ ହେବା ପାଇଁ ମମିତାଙ୍କୁ ପ୍ରେରଣା ଯୋଗାଇ ଆସୁଥିଲେ। ଏହି ପ୍ରଶ୍ନ ସହ ସେ ଅଟକିଗଲା ପରେ ମୃତ ଛାତ୍ରୀଙ୍କ ବାପା ଦୁଃଖୀଶ୍ୟାମ ନାଏକ ସମାନ ଆର୍ଦ୍ରସ୍ବରରେ କହୁଥିଲେ ନିଜ ଝିଅର ସଂଘର୍ଷ କାହାଣୀ। ‘୨୦୧୫ ମସିହାରେ ସେ ମାଟ୍ରିକ୍‌ରେ ୮୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲା। ଯୁକ୍ତ ଦୁଇ ବିଜ୍ଞାନରେ ୭୫ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହେବାପରେ ଭୁବନେଶ୍ବରରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲା। ୨୦୧୯ ମସିହା ଜେଇଇ ପରୀକ୍ଷ‌ାରେ ଉତ୍ତୀର୍ଣ୍ଣ ହେବାପରେ ବୁର୍ଲାସ୍ଥିତ ଭିସୁଟ୍‌ରେ ସିଭିଲ୍‌ରେ ବି‌େଟକ୍‌ ପଢ଼ିଲା ଏବଂ ୨୦୨୨ ମସିହାରେ ୯୨ ପ୍ରତିଶତ ନମ୍ବର ରଖି ପାସ୍‌ କରିଥିଲା। ଚଳିତବର୍ଷ ଗେଟ୍‌ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯୨ତମ ରୢାଙ୍କ୍‌ ରଖିବାରେ ସଫଳ ହୋଇଥିଲା ଏବଂ ଆଇଆଇଟିରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା।’

ଏହିଭଳି ଜଣେ ମେଧାବୀ ଛାତ୍ରୀଙ୍କ ମୃତ୍ୟୁ କେବଳ ପରିବାର କାହିଁକି, ଗଁା ପାଇଁ କେତେ କଷ୍ଟଦାୟକ ତାହା ସହଜରେ ବୁଝି ହୋଇଯାଉଥିଲା। ମମିତାଙ୍କ ଗଁା କହିଲେ ପାଖରେ କୁଳୁକୁଳୁ ହୋଇ ବହିଯାଉଥିବା ମହାନଦୀ, ବିସ୍ତୀର୍ଣ୍ଣ ସବୁଜ କ୍ଷେତ ଏବଂ ସେହି ପ୍ରକୃତି ଉପରେ ଆଶ୍ରା କରି ରହିଥିବା ଛୋଟଠାରୁ ବଡ଼ ଯାଏ ୧୩୪୧ ସରିକି ଲୋକଙ୍କ ଅବସ୍ଥାନ। ଗଁାରେ ୩ ଜଣ ସ୍ନାତକୋତ୍ତର ଏବଂ ପାଖାପାଖି ୫୦ ଜଣ ସ୍ନାତକ ଶିକ୍ଷାଧାରୀ ଥିଲାବେଳେ ଆଇଆଇଟିରେ ନାମ ଲେଖାଇବାରେ ମମିତା ଥିଲେ ଗ୍ରାମର ପ୍ରଥମ ପିଲା। ସେଇଥିପାଇଁ ତ ମମିତାଙ୍କୁ ନେଇ ‌ଗଁାର ଲୋକମାନେ ଗର୍ବ କରୁଥିଲେ। ଆଉ ଯେତେବେଳେ ତାଙ୍କର ମୃତ୍ୟୁ ହୋଇଗଲା, ଦୁଃଖରେ ଭାଙ୍ଗି ପଡ଼ିଥିଲେ। କେହି କେହି ନିରାଶଭାବ ପ୍ରଦର୍ଶନ କରୁଥିଲେ, ‘ମମିତାଙ୍କ ସଫଳତାରୁ ହିଁ ଗଁାର ଅନ୍ୟ ପିଲାମାନେ ଆଗକୁ ବଢ଼ିବା ପାଇଁ ପ୍ରେରଣା ପାଇଥା’ନ୍ତେ। ହେଲେ, କାହା ପାଖରୁ ସେମାନେ ପରୋକ୍ଷ‌େର ପ୍ରେରଣା ଟିକକ ପାଇବେ?’

ଡୁମୁରିର ଏହି ଛୋଟିଅା ଧୂଳିଧୂସରିତ ଗଛଲତା ଘେରା ଗଁା ଏବଂ ୫୭୬ ଏକର ପରିମିତ ଜାଗା ଉପରେ ପ୍ରତିଷ୍ଠିତ ହାଇଦ୍ରାବାଦ ଆଇଆଇଟି ମଧ୍ୟରେ କାହିଁରେ କେତେ ଫରକ! ହେଲେ, ଏହି ଗଁାର ମାଟି, ପାଣି ଓ ପବନରେ ବଢ଼ିଥିବା ଅନୁସୂଚିତ ବର୍ଗର ଝିଅଟିଏ ଯେଭଳି ଆଇଆଇଟି ପର୍ଯ୍ୟନ୍ତ ପହଞ୍ଚି ପାରିଲେ, ତାହା ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଥ୍ରି ଇଡିୟଟ୍ସ’ର ଏକ ସଂଳାପକୁ ମନେପକାଇ ଦେଉଥିଲା। ‘ଆମେ ଯେତେବେଳେ ଟିକେ ବଡ଼ହେଲୁ, ଆ‌େମ ଭାବିନେଲୁ ଯେ ଜୀବନ ହେଉଛି ଏକ ଦୌଡ଼। ଆମେ ଯଦି ଅଧିକ ବେଗରେ ଦୌଡ଼ି ନ ପାରିବା, ତା’ହେଲେ ପଛରେ ପଡ଼ିଯିବା ଏବଂ ଅନ୍ୟମାନେ ଆମକୁ ଅତିକ୍ରମ କରିଯିବେ। ଆମେ ଜନ୍ମଲାଭ କରିବା ପାଇଁ ବି ୩୦୦ ନିୟୁତ ଶୁକ୍ରାଣୁକୁ ଦୌଡ଼ିବାକୁ ପଡ଼ିଥିଲା।’

ସତରେ, ନିଜର ଭବିଷ୍ୟତ ପାଇଁ ଏବଂ ଜୀବନର ଲକ୍ଷ୍ୟସ୍ଥଳ ନିକଟରେ ପହଞ୍ଚିବା ପାଇଁ ଦଉଡୁଥିଲେ ମମିତା। ମାତ୍ର, ଦଉଡୁ ଦଉଡୁ ଜୀବନର ଅଧାବାଟରେ ଝୁଣ୍ଟିପଡ଼ିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ହାଇଦ୍ରାବାଦ-ଆଇଆଇଟିରେ ଗୋଟିଏ ମାସ ମଧ୍ୟରେ ଏହା ହେଉଛି ଦ୍ବିତୀୟ ଘଟଣା। ଗତ ଜୁଲାଇ ୧୭ ତାରିଖରେ ସାଙ୍ଗାରାଡି କ୍ୟାମ୍ପସ୍‌ରୁ ନିଖୋଜ ହୋଇଯାଇଯାଇଥିବା ଧନବତ୍‌ କାର୍ତ୍ତିକ ନାମକ ଜଣେ ୨୧ ବର୍ଷୀୟ ଛାତ୍ରଙ୍କ ମୃତଦେହ ଭାଇଜାକ୍‌ର ରାମକୃଷ୍ଣ (ଆର.କେ.) ବେଳାଭୂମିରୁ ଉଦ୍ଧାର କରାଯାଇଥିଲା। ହାଇଦ୍ରାବାଦଠାରୁ ୫୦ କିଲୋମିଟର ଦୂର ତେଲେଙ୍ଗନାର ୧୫୦୦ ଜନସଂଖ୍ୟା ବିଶିଷ୍ଟ ଏକ ଆଦିବାସୀ ବହୁଳ ଗ୍ରାମ ଥାନ୍‌ଡା ହେଉଛି ଏହି ମୃତ ଛାତ୍ରଙ୍କ ଗଁା। କାର୍ତ୍ତିକଙ୍କ ବାପା କୁହନ୍ତି, ‘ତାଙ୍କ ପୁଅ ଅତ୍ୟନ୍ତ ମେଧାବୀ ଥିଲା। ସେ ଥିଲା ଗଁାର ପ୍ରଥମ ଆଦିବାସୀ ଛାତ୍ର, ଯିଏ କି ଆଇଆଇଟି ପଢ଼ିବାର କୃତିତ୍ବ ଅର୍ଜନ କରିଥିଲା।’ ତଦନ୍ତରୁ ଜଣାପଡ଼ିଥିଲା ଯେ, କାର୍ତ୍ତିକଙ୍କର ୩ଟି ବ୍ୟାକ୍‌ପେପର୍‌ ଥିଲା ଏବଂ ତଜ୍ଜନିତ ମାନସିକ ଚାପ ହିଁ ତାଙ୍କ ମୃତ୍ୟୁର କାରଣ। ସେହିଭଳି, ରାଜସ୍ଥାନର ଜଣେ ଛାତ୍ର ମେଘାକୁମାର ହାଇଦ୍ରାବାଦ ନିକଟରେ ଥିବା ଏକ ଲଜ୍‌ରୁ ଡେଇଁ ପ୍ରାଣ ହରାଇଥିଲେ। ତାଙ୍କର ବ୍ୟାକ୍‌ପେପର୍‌ ଥିଲା ଏବଂ ଏଥିପାଇଁ ‌େହବାକୁ ଥିବା ପରୀକ୍ଷାରେ ଅବତୀର୍ଣ୍ଣ ହେବାପାଇଁ ସେ ଲଜ୍‌ରେ ରହୁଥିଲେ। ତାଙ୍କ ପୂର୍ବରୁ ଆନ୍ଧ୍ରପ୍ରଦେଶର ଜଣେ ଏମ୍‌.ଟେକ୍‌. ଦ୍ବିତୀୟ ବର୍ଷର ଛାତ୍ର ଜି. ରାହୁଲ ଆତ୍ମହତ୍ୟା କରିଦେଇଥିଲେ। ସେ ମଧ୍ୟ ମାନସିକ ଚାପରେ ଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ନିଜ ସୁସାଇଡ୍‌
ନୋଟ୍‌ରେ ଲେଖିଥିଲେ, ‘ପ୍ଲେସ୍‌ମେଣ୍ଟ୍‌ ଚାପ, ଥେସିସ୍‌, ଭବିଷ୍ୟତରେ ଚାକିରିକୁ ନେଇ ସଂଘର୍ଷ ଯୋଗୁ ମୁଁ ଆଉ ବଞ୍ଚିବାକୁ ଚାହୁନାହିଁ।’ ମମିତା, କାର୍ତ୍ତିକ, ମେଘାକୁମାର ଓ ରାହୁଲ-ବର୍ଷକ ମଧ୍ୟରେ ହାଇଦ୍ରାବାଦ ଆଇଆଇଟିର ଏହି ୪ ଛାତ୍ରଛାତ୍ରୀ ପ୍ରାଣ ହରାଇ ସାରିଛନ୍ତି।

କେବଳ ହାଇଦ୍ରାବାଦ ଆଇଆଇଟିରେ ନୁହେଁ, ଦେଶରେ ଥିବା ସମୁଦାୟ ୨୩ଟି ଆଇଆଇଟିରେ ଛାତ୍ରମାନେ ଜଣକ ପରେ ଜଣେ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳୁଛି। ଗତ ଏପ୍ରିଲ ୩ ତାରିଖରେ କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁସ‌‌ାରେ, ୨୦୧୮ରୁ ୨୦୨୩ ମସିହା ମଧ୍ୟରେ ୩୫ ଜଣ ଛାତ୍ରଛାତ୍ରୀ ପ୍ରାଣ ବିିସର୍ଜନ କରିଛନ୍ତି। ଏହାପରେ ଗତ ଜୁଲାଇ ୨୬ରେ ରାଜ୍ୟସଭ‌ାରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାସ ସରକାର ଏକ ତଥ୍ୟ ଉପସ୍ଥାପନ କରି ଉଲ୍ଲେଖ କରିଥିଲେ ଯେ ୨୦୧୮ ମସିହା ଉଚ୍ଚତର ଶିକ୍ଷାନୁଷ୍ଠାନମାନଙ୍କରେ ୨୧ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି, ୨୦୧୯ ମସିହାରେ ଏହା ୧୯କୁ ହ୍ରାସ ପାଇଥିଲା। ୨୦୨୦ ମସିହାରେ କୋଭିଡ୍‌ ସମୟରେ ଏହି ସଂଖ୍ୟା ଥିଲା ୭। ୨୦୨୧ ମସିହାରେ ବି ଏହା ୭ ଥିଲା। କୋଭିଡ୍‌ ପରେ ଯେତେବେଳେ କଲେଜ ଖୋଲିଲା ଏହି ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା। ଚଳିତବର୍ଷ ଏପର୍ଯ୍ୟନ୍ତ ସୁଦ୍ଧା ୨୦ରେ ପହଞ୍ଚିଛି। ତେବେ, ଏହାପରେ ଚାରିମାସର ସମୟସୀମା ମଧ୍ୟରେ ଘଟିଥିବା ମୃତ୍ୟୁସଂଖ୍ୟାକୁ ହିସାବକୁ ନେଲେ ଏହା ୪୦ ନିକଟରେ ପହଞ୍ଚିଥିବା ଜଣାପଡ଼ିଛି।

ଖାଲି ଆଇଆଇଟି ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ନୁହନ୍ତି, ଏଥିପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ମଧ୍ୟ ଜୀବନ ହରାଇବାକୁ ପଛାଉ ନାହାନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି, ଚଳିତମାସ ୧୬ ତାରିଖରେ ଆଇଆଇଟି ଫାକ୍ଟ୍ରି କୁହାଯାଉଥିବା ରାଜସ୍ଥାନ ‘କୋଟା’ର କୋଚିଂ ସେଣ୍ଟରରେ ବିହାର ଗୟା ଜିଲ୍ଲାର ୧୮ ବର୍ଷୀୟ ବାଲ୍ମୀକି ଜଙ୍ଗିଦଙ୍କ ଆତ୍ମହତ୍ୟା ଘଟଣା। ଉଦ୍‌ବେଗଜନକ ବିଷୟ ହେଉଛି, କୋଟାଠାରେ ଚଳିତ ଅଗଷ୍ଟ ମାସରେ ଏହା ଚତୁର୍ଥ ଘଟଣା ହୋଇଥିବାବେଳେ ଏହି ବର୍ଷକ ମଧ୍ୟରେ ୨୨ତମ ମାମଲା। ଅତ୍ୟଧିକ ପାଠ ଚାପରେ ସେ ଆତ୍ମହତ୍ୟା କରି‌ଛନ୍ତି ବୋଲି କୁହାଯାଉଛି। ସମସ୍ତଙ୍କ ମନେଥିବ, ୨୦୧୭ ମସିହାରେ ଯେତେବେଳେ ଏଠାରେ ୧୭ ଜଣ ପ୍ରାଣ ହରାଇଲେ, ତାହା ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏଥିରୁ ସ୍ପଷ୍ଟ ଯେ ସତେଯେମିତି ଭବିଷ୍ୟତ ଗଢ଼ିବା ପାଇଁ ସ୍ବପ୍ନ ଏବଂ ମାନସିକ ଚାପ ସମାନ୍ତରାଳ ଭ‌ାବେ ଆଗକୁ ବଢ଼ିଚାଲିଛି। ଆଉ ଏକ ଦୁଃଖର ବିଷୟ ହେଉଛି, ଏହାର ପ୍ରଭାବ ବି ସିଧାସଳଖ ବାପାମା’ଙ୍କ ଉପରେ ପଡୁଛି। ଚଳିତ ଅଗଷ୍ଟମାସରେ ବି ଦୁଇଥର ନିଟ୍‌ରେ କୃତକାର୍ଯ୍ୟ ହେବାରେ ଅସଫଳତା ପରେ ଚେନ୍ନାଇର ଏସ୍‌.ଜଗଦୀସରନ ଆତ୍ମହତ୍ୟା କରିଦେଇଥିଲେ। ଏହାର ଦୁଇଦିନ ପରେ ତାଙ୍କ ବାପା ପି ସେଲଭାଶେଖର (୪୮ ବର୍ଷ) ଆତ୍ମହତ୍ୟା କରି ଦେଇଥିଲେ। ଏହି ଘଟଣା ତାହାର ଏକ ଜ୍ବଳନ୍ତ ଉଦାହରଣ।

publive-image

ଏହିସବୁ ଘଟଣାରୁ ସ୍ପଷ୍ଟ ଯେ ମାନସିକ ଚାପ ହିଁ ଆଇଆଇଟି ଭଳି ସର୍ବୋଚ୍ଚ ଶିକ୍ଷାନୁଷ୍ଠାନରେ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁର କାରଣ ପାଲଟିଛି। ଚଳିତବର୍ଷ ଦେଶର ୨୩ଟି ଆଇଆଇଟିରେ ସମୁଦାୟ ୧୭,୩୮୫ ଜଣ ନଁା ଲେଖାଇଛନ୍ତି। ପାଠପଢ଼ା ସହିତ ସେମାନଙ୍କ ସହପାଠୀଙ୍କର ଏହିଭଳି ଆତ୍ମହତ୍ୟା ଘଟଣା ଯେ ସେମାନଙ୍କ ଭିତରେ କିଭଳି ମାନସିକ ଚାପ ସୃଷ୍ଟି କରୁଥିବ, ତାହା ସହଜରେ ଅନୁମେୟ। ପ୍ରଶ୍ନଉଠେ, ଆଇଆଇଟିରେ ପହଞ୍ଚି ସଫଳତାର ନିକଟବର୍ତ୍ତୀ ହୋଇଥିବା ଛାତ୍ରଛାତ୍ରୀମାନେ କାହିଁକି ମୃତ୍ୟୁକୁ ଆପଣାଇଥା’ନ୍ତି? ବର୍ତ୍ତମାନର ପରିବେଶ ଓ ପରିସ୍ଥିତି ଏହାର ଏକ କାରଣ ନା ଆଇଆଇଟିରେ ଏହିଭଳି ନିରନ୍ତର ଭାବେ ଆତ୍ମହତ୍ୟା ଲାଗିରହିଛି? ଏ ସମ୍ପର୍କରେ ଜଣେ ଆଇଆଇଟିଆନ୍‌ ଜ‌େନ୍ମଜୟ ସୂତାର, ଯିଏକି ରାଉରକେଲା ଇସ୍ପାତ କାରଖାନାରୁ ମହାପ୍ରବନ୍ଧକ ପଦରୁ ଅବସର ଗ୍ରହଣ କରିଛନ୍ତି, କୁହନ୍ତି ଯେ ‘‌େସତେବେଳେ ଆମେ ସିନା ଆଇଆଇଟିରେ ଯୋଗଦେଲୁ, ହେଲେ ଅାମ ପାଖରେ ଏକ୍ସଟ୍ରା କୋ-କରିକୁଲାର ଆକ୍ଟିଭିଟିଜ୍ କିଛି ନ ଥିଲା। ଯିଏ ଆଗକୁ ଯାଇପାରୁ ନ ଥିଲା, ସେ ନିଜକୁ ଦୁର୍ବଳ ଭାବୁଥିଲା। ନାଟ ତ‌ାମସାରୁ ଖେଳକୁଦ ପର୍ଯ୍ୟନ୍ତ, ଏସବୁ‌ଥିରେ ଯିଏ ପାରଙ୍ଗମ ଥିଲା ତାକୁ ଗୁରୁତ୍ବ ଦିଆଯାଉଥିଲା। ସେହି ସମୟରେ ଅନ୍ୟମାନଙ୍କ ସହ ସଙ୍ଗତ କରିପାରିଲାନି ବୋଲି ଆମର ଜଣେ ଓଡ଼ିଆ ପିଲା ଚିତ୍ତରଞ୍ଜନ ମହାପାତ୍ର ଆତ୍ମହତ୍ୟା କରିଥିଲା। କେଉଁଝର ବଲାଣିରେ ତା’ ବାପା ଚାକିରି କରୁଥିଲେ। ଚିତ୍ତ କାହିଁକି ଆତ୍ମହତ୍ୟା କଲା, ଶେଷ ଯାଏ ତାହା ଆମମାନଙ୍କ ନିକଟରେ ଦୁର୍ବୋଧ୍ୟ ହୋଇ ରହିଗଲା?

ଏହି ମୃତ୍ୟୁ ପଛରେ ମନସ୍ତତ୍ତ୍ବବିତ୍‌ମାନେ ମଧ୍ୟ ମାନସିକ ଚାପକୁ ଦାୟୀ କରନ୍ତି। ସେମାନଙ୍କ ମତରେ, ଦୁଇଟି ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ମାନସିକ ଚାପର ବଶବର୍ତ୍ତୀ ହେଉଛନ୍ତି। ପ୍ରଥମ ହେଉଛି, ଅତ୍ୟଧିକ ପ୍ରତିଯୋଗିତାମୂଳକ ମନୋବୃତ୍ତି ଏବଂ ଦ୍ବିତୀୟରେ ସେମାନେ ଉଦାସୀନ ପର୍ଯ୍ୟାୟକୁ ଚାଲିଆସୁଛନ୍ତି। ଝୁମ୍‌କି ରଥ, ବିଜେବି ସ୍ବୟଂଚାଳିତ ମହାବିଦ୍ୟାଳୟ ମନସ୍ତତ୍ତ୍ବ ବିଜ୍ଞାନ ବିଭାଗର ମୁଖ୍ୟ କୁହନ୍ତି, ‘ବିଶେଷକରି ଇଞ୍ଜିନିୟରିଂ ଓ ମେଡିକାଲ୍‌ ସମେତ ସମସ୍ତ ଶିକ୍ଷାନୁଷ୍ଠାନରେ ସମାନ୍ତରାଳ ଭାବେ ପ୍ରତିଯୋଗିତା ଚାଲିଛି। ଯିଏ ବିଫଳ ହେଉଛି, ସିଏ ଆତ୍ମହତ୍ୟାର ବାଟ ବାଛି ନେଉଛି। ଦିନରାତି ବାପା ମା’ଙ୍କଠାରୁ ଶିକ୍ଷକ-ଶିକ୍ଷୟିତ୍ରୀ ପାଠପଢ଼ାର ଚାପ ପକାଉଥିବାରୁ ପିଲାମାନେ ମାନସିକ ଭାବେ ବିଷାଦଗ୍ରସ୍ତ ହେଉଛନ୍ତି। ଏହାଦ୍ବାରା ସେମାନଙ୍କ ମନୋବଳ ନଷ୍ଟ ହେଉଛି ଏବଂ ସେମାନେ ଆତ୍ମହତ୍ୟା କରୁଛନ୍ତି।’

ମମିତା ନାଏକଙ୍କ ମୃତ୍ୟୁ ଘଟଣା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବା ଆଇଆଇଟି ହାଇଦ୍ରାବାଦର ଜଣେ ପ୍ରଫେସରଙ୍କ ମତ‌େର, ‘ଆଜିକାଲି କୋଚିଂ ସେଣ୍ଟର ମାଧ୍ୟମରେ ହିଁ ଛାତ୍ରଛାତ୍ରୀମାନେ ଆଇଆଇଟିକୁ ଆସୁଛନ୍ତି, ଯେଉଁଠି ସେମାନଙ୍କୁ ଯାନ୍ତ୍ରିକ ଭାବରେ ସମସ୍ୟାର ସମାଧାନ କରିବାକୁ ଶିକ୍ଷା ଦିଆଯାଉଛି। ନା ସେମାନେ କୌଣସି ସାମାଜିକ ଏକ୍ସପୋଜର୍‌ ପାଇଥା’ନ୍ତି ନା ସେମାନେ ପରିବାର ଲୋକ ସମେତ ଆଉ କାହାରି ସଂସ୍ପର୍ଶରେ ଆସିଥା’ନ୍ତି। ସତ କହିବାକୁ ଗଲେ, ସେମାନଙ୍କ ମନରେ ସୃଷ୍ଟି ହେଉଥିବା ଭାବପ୍ରବଣତାକୁ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କର କୌଣସି ସାଧନ ନ ଥାଏ।’

ଏକ ବେସରକାରୀ ସଂସ୍ଥା ଅଧ୍ୟୟନରୁ ଜଣାପଡ଼ିିଛି ଯେ ପାଠପଢ଼ା ଚାପ ସହିତ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ଅବସ୍ଥା ଓ ସଂଘର୍ଷ, ଦଳିତ ଓ ଆଦିବାସୀ ଶିକାର ହେଉଥିବା ସାମାଜିକ ବୈଷମ୍ୟତା ବି ମାନସିକ ଚାପର ଅନ୍ୟତମ କାରଣ। ଯେମିତିକି, ଚଳିତବର୍ଷ ଫେବ୍ରୁଆରି ମାସରେ ଆତ୍ମହତ୍ୟା କରିବା ପୂର୍ବରୁ ବମ୍ବେ ଆଇଆଇଟି ଦଳିତ ଛାତ୍ର ଦର୍ଶନ ସୋଲାଙ୍କି ସେ କିଭଳି ଜାତି ପାଇଁ ଉପହାସର ଶିକାର ହେଉଛନ୍ତି, ସେସମ୍ପର୍କରେ ନିଜ ଭଉଣୀଙ୍କୁ ପତ୍ର ଲେଖି ଜଣାଇଥିଲେ। ନିକଟରେ ବମ୍ବେ ଆଇଆଇଟି ପକ୍ଷରୁ ଛାତ୍ରଛାତ୍ରୀଙ୍କ ସମନ୍ୱୟ ପ୍ରଦର୍ଶନ ସୂଚକାଙ୍କ (ସିପିଆଇ/ ଯାହାକି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ପ୍ରଦର୍ଶନର ପରିମାପ ) ସମ୍ପର୍କିତ ଏକ ତଥ୍ୟ ପ୍ରକାଶ ପାଇଥିଲା। ଯେଉଁଥିରେ ଦର୍ଶାଯାଇଥିଲା ଯେ ପାଞ୍ଚରୁ କମ୍ ସିପିଆଇ ଥିବା ୭୦ ପ୍ରତିଶତ ଛାତ୍ରଛାତ୍ରୀ ଅନୁସୂଚିତ ବର୍ଗରୁ ଆସିଛନ୍ତି। ଅଧିକାଂଶ ସାଧାରଣ ବର୍ଗ ଏବଂ ଓବିସି ଛାତ୍ରମାନଙ୍କ ପାଇଁ ସିପିଆଇ ୬ରୁ ୯ ମଧ୍ୟରେ ରହିଥିଲା। ତେବେ, ଏହିଭଳି ପ୍ରଦର୍ଶନ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନତା ସୃଷ୍ଟି କରିଥିଲା। ଯେଉଁଥିପାଇଁ ଆଇଆଇଟି ଭଳି ଉଚ୍ଚତର ଶିକ୍ଷାନୁଷ୍ଠାନରେ ଜାତି ବିବାଦକୁ ରୋକିବା ପାଇଁ ବାଧ୍ୟତାମୂଳକ ସମ୍ବେଦନଶୀଳ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଯିବା ଆବଶ୍ୟକ ବୋଲି ଅଧିକାଂଶ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।

ମାନସିକ ‌େରାଗ ବିଶେଷଜ୍ଞ ସମ୍ରାଟ କରଙ୍କ କହିବାନୁସ‌ାରେ, ଯେଉଁମାନେ ଆତ୍ମହତ୍ୟା କରନ୍ତି ବା କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ମଧ୍ୟରୁ ୫୦ରୁ ୯୦ ପ୍ରତିଶତଙ୍କର କିଛି ନା କିଛି ମାନସିକ ସମସ୍ୟା ରହିଥାଏ। ଯେପରିକି ମାନସିକ ବିଷାଦ। ଏହାର ମୁଖ୍ୟ କାରଣ ହେଲା ମାନସିକ ଚାପ। ଯାହାକୁ ପାଇବାକୁ ଆମେ ସବୁଠାରୁ ଭଲପାଉ, ତାହା ନ ମିଳିଲେ ସବୁଠାରୁ ଅଧିକ ମାନସିକ ଚାପ ପଡ଼େ। ଆଜିକାଲିର ଯୁବପିଢ଼ି ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ନହେବା, ପ୍ରେମରେ ବିଫଳତା ହେବା, ବେକାରି ସମସ୍ୟା ଏବଂ ନିଶା ସେବନ ଯୋଗୁ ଅଧିକ ମାନସିକ ଚାପରେ ରହୁଛନ୍ତି। ଆଇଆଇଟି ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ବାଦ୍‌ଦେଲେ, ଅାମ ଦେଶରେ ସାମଗ୍ରିକ ଭାବେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁସଂଖ୍ୟାର ଚିତ୍ର ଆହୁରି ସଙ୍ଗିନ। ୨୦୨୧ ମସିହାର ଏନ୍‌ସିଆର୍‌ବି (ନ୍ୟାସନାଲ୍‌ କ୍ରାଇମ ରିପୋର୍ଟ ବ୍ୟୁରୋ) ରପୋର୍ଟ ଅନୁସାରେ, ଏହିବର୍ଷ ୧୩,୦୦୦ ଛାତ୍ରଛାତ୍ରୀ ଆତ୍ମହତ୍ୟା କିମ୍ବା ସମାନ ଧରଣର କାରଣରୁ ମୃତ୍ୟୁବରଣ କରିଛନ୍ତି। ଯେଉଁମାନେ ଏହାପଛର କାରଣମାନଙ୍କୁ ଅନୁଶୀଳନ କରୁଛନ୍ତି, ଏହାକୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଜୋର୍‌ଦେଇ କହୁଛନ୍ତି। ଯେମିତିକି ‘ଥ୍ରି ଇଡିୟଟ୍ସ’ ଚଳଚ୍ଚିତ୍ରର ଏକ ସଂଳାପ ଭଳି। ‘ଏହି ଇଞ୍ଜିନିୟର୍‌ମାନେ ବହୁତ ସ୍ମାର୍ଟ ସାର୍‌। ସେମ‌ାନେ ଏକ ମେସିନ୍‌ ଉଦ୍ଭାବନ କରିନାହାନ୍ତି ଯାହା ମସ୍ତିଷ୍କ ଉପରେ ଚାପକୁ ମାପ କରିପାରିବ। ଯଦି ସେମାନେ କରିଥା’ନ୍ତେ, ଆମେ ଜାଣିଥା’ନ୍ତେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା!’
(ତଥ୍ୟ ଓ ଫଟୋ ସହାୟତା: ରାଧାକାନ୍ତ ବାଘ)