କରୋନା କାଳରେ ବଢୁଛି ଆତ୍ମହତ୍ୟାପ୍ରବଣତା: ନକାରାତ୍ମକ ଚିନ୍ତା ଓ ଖବରରୁ ଦୂରେଇ ରହନ୍ତୁ

ଡା. ସତ୍ୟକାମ ମହାପାତ୍ର

କରୋନା ମହାମାରୀ ଗତ ଦେଢ଼ବର୍ଷ ହେବ ଆମ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଛି। ଏହା ଫଳରେ ମାନସିକ ଅବସାଦ, ଉଦ୍‌ବେଗ, ଛାନିଆ, ମାନସିକ ଚାପ ଓ ଅନିଦ୍ରା ଆଦି ଲୋକଙ୍କ ମଧ୍ୟରେ ବୃଦ୍ଧି ପାଇଛି। ଏବେ ଦେଖାଯାଉଛି, ଅନେକ ଲୋକ ହଠାତ୍‌ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଛନ୍ତି। କରୋନା ମହାମାରୀର ଦ୍ଵିତୀୟ ଲହରରେ ଦେଶରେ ଆତ୍ମହତ୍ୟା-ପ୍ରବଣତା ବଢ଼ିଛି।

କିଛି ଲୋକ  ନିଜେ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହେବା ଜାଣିବା ପରେ ହଠାତ୍‌ ଆତ୍ମହତ୍ୟା କରୁଛନ୍ତି। କିଛି ଲୋକ ନିଜେ ସଂକ୍ରମିତ ହୋଇଛନ୍ତି ଜାଣି ଏହାକୁ ବିଶ୍ଵାସ କରିପାରୁ ନାହାନ୍ତି। ସେମାନେ ଅନେକ ମାତ୍ରାରେ ଛାନିଆ ଓ ଭୟଭୀତ ହୋଇ ଯାଉଛନ୍ତି। କ’ଣ କରିବେ, କ’ଣ ନ କରିବେ ହଠାତ୍‌ କିଛି ଭାବିପାରୁ ନାହାନ୍ତି। କେମିତି ଡାକ୍ତରଙ୍କ ପାଖକୁ ଯିବ‌େ, କେମିତି ଚିକିତ୍ସା କରେଇବେ, ସେ ନେଇ ଅତ୍ୟଧିକ ଚିନ୍ତିତ ହୋଇ ପଡ଼ୁଛନ୍ତି। ତାଙ୍କଠାରୁ ତାଙ୍କ ପରିବାରର ଅନ୍ୟମାନେ ସଂକ୍ରମିତ ହୋଇଯିବାର ଆଶଙ୍କାରେ ଭୟଭୀତ ହେଉଛନ୍ତି। ପଡୋଶୀମାନେ ଜାଣିଲେ ସେମାନେ କିଭଳି ବ୍ୟବହାର କରିବେ? ଏଭଳି ଚିନ୍ତା କରି ହତାଶ ହୋଇ ପଡ଼ୁଛନ୍ତି। କରୋନାରେ ମୃତ୍ୟୁ ହୋଇଯିବା ଆଶଙ୍କାରେ ତ ଅନେକ ସଂକ୍ରମିତ ଆତ୍ମହତ୍ୟା କରି ଦେଉଛନ୍ତି। ସଂକ୍ରମିତ ହେବା ପରେ କିଛି ଲୋକ ଆର୍ଥିକ ସଙ୍କଟ ଓ ପାରିବାରିକ ବୋଝ ଭୟରେ ମଧ୍ୟ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଛନ୍ତି।

ଅନ୍ୟପଟେ ସଂକ୍ରମିତ ପୃଥଗ୍‌ବାସରେ ରହିବା ସମୟରେ ନିଜକୁ ଏକୁଟିଆ ମନେ କରେ। ନିଜର ମନକଥା ଅନ୍ୟ କାହା ସହ ଭଲରେ ଆଲୋଚନା କରିପାରେ ନାହିଁ। ହତାଶ ତଥା ମାନସିକ ଅବସାଦଗ୍ରସ୍ତ ହୋଇ ବି ଅନେକେ ଏଭଳି କ୍ଷେତ୍ରରେ ଆତ୍ମହତ୍ୟା କରୁଛନ୍ତି।

କରୋନା ରୋଗ ଓ ଏହାର ଚିକିତ୍ସାକୁ ନେଇ ଅନେକ ଗୁଜବ ଓ ଭ୍ରାନ୍ତ ଖବର ପ୍ରସାରିତ ହେଉଛି, ଯାହା ଦେଖି ଲୋକମାନଙ୍କ ମନରେ ଛାନିଆ ସୃଷ୍ଟି ହେଉଛି। ଦ୍ଵିତୀୟ ଲହର ସମୟରେ ଅନେକ ରାଜ୍ୟରେ ଅକ୍ସିଜେନ୍‌, ହସ୍ପିଟାଲ୍‌ରେ ବେଡ୍‌, ଭେଣ୍ଟିଲେଟର୍‌ର ଘୋର ଅଭାବ ସୃଷ୍ଟି ହୋଇଥିଲା। ଅନେକ ଲୋକ ଏହାଦ୍ଵାରା ମୃତ୍ୟୁବରଣ କରିଥିଲେ। ଏ ସବୁ ଖବର ନ୍ୟୁଜ୍‌ ଚ୍ୟାନେଲରେ ଦେଖି ବହୁ ଲୋକଙ୍କ ମନରେ ଏକ ପ୍ରକାର ନିରାଶାଭାବ ସୃଷ୍ଟି ହେଉଛି।

ଗତ ଦେଢମାସ ହେବ ଆମ ରାଜ୍ୟରେ ଲକ୍‌ଡାଉନ୍‌ ଚାଲିଛି, ଯାହାଫଳରେ ଲୋକେ ଘର ଭିତରେ ବନ୍ଦ ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରେ ବେରୋଜଗାରୀ, ଭବିଷ୍ୟତକୁ  ନେଇ ଅନିଶ୍ଚିତତା, ଏକୁଟିଆପଣ ଓ ନିରାଶାଭାବ ବୃଦ୍ଧି ପାଇଛି। ଲୋକଙ୍କ ମଧ୍ୟରେ ଅବସାଦ, ମାନସିକ ଚାପ, ଉଦ୍‌ବେଗ ଓ ଅନିଦ୍ରା ଭଳି ସମସ୍ୟା ସୃଷ୍ଟି ହେଉଛି।

ଏହି କଠିନ ସମୟରେ ପ୍ରଥମତଃ ପ୍ରତ୍ୟେକ ନିଜ ମନକୁ ଦୃଢ ରଖନ୍ତୁ। କରୋନା ରୋଗ ବିଷୟରେ ଠିକ୍‌ ତଥ୍ୟ ଜାଣନ୍ତୁ। କୌଣସି ଗୁଜବରେ ବିଶ୍ଵାସ କରନ୍ତୁ ନାହିଁ। କରୋନା-ସମ୍ପର୍କିତ କୌଣସି ଖବରର ସତ୍ୟତା ଜାଣିବା ପରେ ହିଁ ତାହା ଉପରେ ବିଶ୍ଵାସ କରନ୍ତୁ। ଏହା ଜାଣି ରଖନ୍ତୁ ଯେ, ଯେତେ ଲୋକ ସଂକ୍ରମିତ ହେଉଛନ୍ତି ସେଥି ମଧ୍ୟରୁ କମ୍‌ ଲୋକଙ୍କ ସ୍ଵସ୍ଥ୍ୟାବସ୍ଥା ଗମ୍ଭୀର ହେଉଛି। ଏଥି ମଧ୍ୟରୁ ଖୁବ୍‌ କମ୍‌ ଲୋକ ମୃତ୍ୟୁବରଣ କରୁଛନ୍ତି। ତେଣୁ ଯଦି ବି ଆପଣ କିମ୍ବା ଆପଣଙ୍କ ପରିବାରରୁ କିଏ ସଂକ୍ରମିତ ହେଉଛି, ସେହି ସମୟରେ ଅତ୍ୟନ୍ତ ଛାନିଆ ନ ହୋଇ ଠିକ୍‌ ଚିକିତ୍ସା କରାନ୍ତୁ। ଘରେ ପୃଥଗ୍‌ବାସରେ ଥିବା ସଂକ୍ରମିତଙ୍କୁ ଏହି କଠିନ ସମୟରେ ସାହସ ଦିଅନ୍ତୁ, ସେମାନଙ୍କ ମନୋବଳ ବୃଦ୍ଧି କରାନ୍ତୁ। ଏହି ସମୟରେ ଟିଭି ଓ ସୋସିଆଲ ମିଡିଆରେ କରୋନା ସମ୍ପର୍କିତ ଖବର ବେଶି ଦେଖନ୍ତୁ ନାହିଁ କିମ୍ବା ପରିବାର ସଦସ୍ୟଙ୍କ ସହ ବେଶି ଏ ବିଷୟରେ ଆଲୋଚନା କରନ୍ତୁ ନାହିଁ। ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ଅତିବାହିତ କରନ୍ତୁ। ସମସ୍ତେ ଏକଜୁଟ ହୋଇ ରୁହନ୍ତୁ। ନିଜ ମନର କଥା ଅନ୍ୟମାନଙ୍କ ସହ ଆଲୋଚନା କରନ୍ତୁ, ଯାହା ଫଳରେ ମନ ଖୁସି ଓ ହାଲକା ରହିବ। ମନରେ ଆସୁଥିବା ନକାରାତ୍ମକ ଭାବନା ବିଷୟରେ ନିକଟ ଲୋକଙ୍କ ସହ ଆଲୋଚନା କରନ୍ତୁ। ଆତ୍ମହତ୍ୟାର କୌଣସି ବି ବିଚାର ମନରେ ଆସିଲେ ତାକୁ ଆଦୌ ଅବହେଳା କରନ୍ତୁ ନାହିଁ। ଦରକାର ପଡିଲେ ମାନସିକ ରୋଗ  ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

ମନରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ। ମନୋବଳକୁ ଦୃଢ ରଖିବା ସହ କରୋନା ବିରୋଧରେ ଲଢେଇ ଜାରି ରଖିବା। ଏହି ଭାଇରସ୍‌ ଆମକୁ ସଂକ୍ରମିତ କରିବା ପୂର୍ବରୁ ଏହାର ଡର ଯେପରି ଆମର ମନକୁ ସଂକ୍ରମିତ ନ କରେ ସେଥିପାଇଁ ଆମ ସମସ୍ତଙ୍କୁ ଦୃଢ ଓ ସଚେତନ ହେବାକୁ ପଡିବ।

ଆସୋସିଏଟ୍‌ ପ୍ରଫେସର,
ଏସ୍‌ସିବି ଉତ୍କୃଷ୍ଟ ମାନସିକ ପ୍ରତିଷ୍ଠାନ, କଟକ

ସମ୍ବନ୍ଧିତ ଖବର