ସୁଖବାସ ଋତୁ

ଋତୁଚକ୍ରର ଆବର୍ତ୍ତନରେ ଶୀତ ପରେ ଆସେ ବସନ୍ତ। ଏହାର ଅନ୍ୟନାମ ଋତୁରାଜ। କାରଣ, ଏହା ଅନ୍ୟ ପାଞ୍ଚଋତୁ- ଯଥା, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ ଓ ଶୀତ ଅପେକ୍ଷା ଶ୍ରେଷ୍ଠ। ତେଣୁ ଏହା ଋତୁମାନଙ୍କ ମଧ୍ୟରେ ରାଜା। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ‘ଗୀତା’ରେ କହିଛନ୍ତି- “ମାସାନାଂ ମାର୍ଗଶୀର୍ଷୋଽହମ୍ ଋତୁନାଂ କୁସୁମାକରଃ” ଅର୍ଥାତ୍‌, ମୁଁ ମାସମାନଙ୍କ ମଧ୍ୟରେ ମାର୍ଗଶିିର ଓ ଋତୁମାନଙ୍କ ମଧ୍ୟରେ କୁସୁମାକର। ‘କୁସୁମାକର’ ବସନ୍ତର ଅନ୍ୟନାମ। କାରଣ, ବିଶେଷତଃ ଏହି ଋତୁରେ ବୃକ୍ଷମାନେ ପୁଷ୍ପବତୀ ହୁଅନ୍ତି। କବିଉକ୍ତି ଅଛି- “ଦ୍ରୁମାଃ ସପୁଷ୍ପାଃ, ସ୍ତ୍ରିୟଃ ସକାମାଃ”। ଅର୍ଥାତ୍ ଏହି ଋତୁରେ ବୃକ୍ଷମାନେ ପୁଷ୍ପବତୀ ହେବା ପରି ନାରୀମାନେ କାମବତୀ ହୁଅନ୍ତି।

ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ, ବର୍ଷାର ଘନ ଘୋର ବାରିପାତ, ଶରତର ଶାନ୍ତ ନିସ୍ତରଙ୍ଗତା, ହେମନ୍ତର କରକାପାତ ଓ ଶୀତର ନିଦାରୁଣ ଜଡ଼ତା ଓ ଶୁଷ୍କତା ବସନ୍ତରେ ନଥାଏ। ବସନ୍ତରେ ଥାଏ ଏକ ନାଶୀତିତୋଷ୍ଣ ପରିବେଶ। ଥାଏ ଜୀବନର ଓ କାମନାର ଉଲ୍ଲାସ। ସେଥିପାଇଁ ଏହାକୁ କୁହାଯାଏ ସୁଖବାସ ଋତୁ।
‘ବସନ୍ତ’ ଶବ୍ଦର ବ୍ୟୁତ୍ପତ୍ତିରୁ ମଧ୍ୟ ଏହା ସାବ୍ୟସ୍ତ ହୁଏ। ଏହି ଶବ୍ଦଟି ସୃଷ୍ଟି ହୋଇଛି ‘ବସ୍‌’ ଧାତୁରୁ। ଏହାର ଅର୍ଥ- ବାସ କରିବା। ଯେଉଁ ଋତୁରେ ପ୍ରାଣୀମାନେ ସୁଖରେ ବାସ କରନ୍ତି, ତାହା- ବସନ୍ତ। ‘ଅମରକୋଷ’ ଏହି ଶବ୍ଦର ଅନ୍ୟ ଏକ ବ୍ୟୁତ୍ପତ୍ତି ଦେଇଛନ୍ତି। ତାହା ହେଉଛି- ବସ୍‌+ଅନ୍ତରୁ ବସନ୍ତର ସୃଷ୍ଟି। ଯେଉଁ ଋତୁରେ କାମ ବା କନ୍ଦର୍ପ ବାସ କରନ୍ତି, ତାହା ବସନ୍ତ। ସାରା ଭାରତବର୍ଷରେ ବହୁ ଉଲ୍ଲାସ ଓ ଉନ୍ମାଦନାର ପର୍ବ ଓ ଉତ୍ସବ, ଏହି ଋତୁରେ ପାଳିତ ହୋଇଥାଏ।

ସମ୍ବନ୍ଧିତ ଖବର