ବୈଜ୍ଞାନିକମାନେ ଷ୍ଟ୍ରାଟୋସ୍ଫିଅରରେ ସଲ୍‌ଫେଟ୍‌ କଣିକା ବିଦ୍ଧ କରି ଜାଣିବାକୁ ପାଇଛନ୍ତି ଯେ ଏହା ଜଳବାୟୁ ଢାଞ୍ଚାରେ ପରିବର୍ତ୍ତନ ଆଣି ଅସମୟରେ ଝଡ଼ ଓ ବନ୍ୟା ବିତ୍ପାତର ଆଶଙ୍କା ସୃଷ୍ଟି କରୁଛି ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଆମେ ଆମର ସୁବିଧା ପାଇଁ ନାନା ଜ୍ଞାନକୌଶଳ ଉପଯୋଗ କରି ଚାଲିଛେ। ମାତ୍ର ଏହା ବେଳେ ବେଳେ ଆମ ଅଜାଣତରେ ନିଜ ଗୋଡ଼ରେ କୁରାଢ଼ି ଚୋଟ ମାରିଲା ସଦୃଶ ହୋଇଥାଏ। ଉଦାହରଣ ସ୍ବରୂପ, ସୂର୍ଯ୍ୟକିରଣର ଉତ୍କଟ ପ୍ରତିଫଳନ ଓ ଆଗ୍ନେୟଗିରି ଉଦ୍‌ଗୀରଣର ଉତ୍ତପ୍ତ ପ୍ରଭାବକୁ କୃତ୍ରିମ ଉପାୟରେ ଶୀତଳ କରିବା ପାଇଁ ସାଧାରଣତଃ ଗନ୍ଧକ ବା ସଲ୍‌ଫରର ଅନ୍ୟତମ ଯୌଗିକ ସଲ୍‌ଫେଟ୍‌ କଣିକାକୁ କୃତ୍ରିମ ଭାବରେ ବାୟୁମଣ୍ଡଳକୁ ଛଡ଼ାଯାଇଥାଏ। ଏଥି ସହିତ ଗାଡ଼ିମୋଟର ଧୂଆଁ ଓ କଳକାରଖାନାରୁ ନିର୍ଗତ ସଲ୍‌ଫର କଣିକା ମଧ୍ୟ ଅମ୍ଳଜାନ ସହ ମିଶି ସଲ୍‌ଫେଟ୍‌ କଣିକାରେ ପରିବର୍ତ୍ତିତ ହୋଇଥାଏ। ମାତ୍ର ସେହି କଣିକାଗୁଡ଼ିକ ବାୟୁମଣ୍ଡଳରେ ଉପଯୁକ୍ତ ସ୍ଥିତିରେ ନ ରହିଲେ ସବୁଜଗୃହ ବାଷ୍ପ ଜଳିବା ଠାରୁ ଅଧିକ ଉଷ୍ମତା ସୃଷ୍ଟି କରେ। ସେତିକି ନୁହେଁ, ଏହି ପ୍ରକ୍ରିୟା ଆହୁରି ଅଧିକ ବିପଜ୍ଜନକ ଜଳବାୟୁ ବିପର୍ଯ୍ୟୟ ଆଣିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି।

Advertisment

ସାଧାରଣତଃ ପୃଥିବୀର ବିଷୁବରେଖା ଉପରିସ୍ଥ ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିଅର ସ୍ତରରେ ବିଭିନ୍ନ କଣିକା ବହୁଦିନ ଧରି ଭାସମାନ ଅବସ୍ଥାରେ ରହିପାରିଥାଏ। ସୁତରାଂ ବିଭିନ୍ନ ପ୍ରକାର ବାୟୁମଣ୍ଡଳୀୟ ପରୀକ୍ଷାନିରୀକ୍ଷା ପାଇଁ ଏହି ଇଲାକା ଏକ ଲକ୍ଷ୍ୟସ୍ଥଳ ଭାବେ ବିବେଚିତ। ଏହି କ୍ରମରେ ସ୍ବିଡେନ୍‌ର ପ୍ରଖ୍ୟାତ ବାୟୁମଣ୍ଡଳୀୟ ଓ ଜଳବାୟୁ ଅଧ୍ୟୟନ ଅନୁଷ୍ଠାନ ଇଟିଏଚ୍‌ ଜୁରିକ୍‌ର ଦଳେ ବୈଜ୍ଞାନିକ ଷ୍ଟ୍ରାଟୋସ୍ଫିଅରରେ କିଛି ସଲ୍‌ଫେଟ୍‌ କଣିକା ବିଦ୍ଧ କରି ତାହାର ଫଳାଫଳ ଅନୁଧ୍ୟାନ କରିଥିଲେ। ତାହାର ପରିମାଣ ବଢ଼ିବା ସହିତ ସେଠାରେ ଦୁଇ ତିନି ବର୍ଷ ପରେ ସଲ୍‌ଫେଟ୍‌ର ଶୀତଳକାରୀ ଗୁଣ କମିଥିବା ସେମାନେ ଲକ୍ଷ୍ୟ କରିଥିଲେ। ଯଦିଓ ସଂପୃକ୍ତ ବିଷୁବମଣ୍ଡଳୀୟ ଷ୍ଟ୍ରାଟୋସ୍ଫିଅରରେ ତାପମାତ୍ରା ଏକ ଡିଗ୍ରି ସେଲସିଅସ୍‌ ଯାଏ ଖସିପାରିଥିଲା, ତେବେ କ୍ରାନ୍ତିମଣ୍ଡଳୀୟ ଷ୍ଟ୍ରାଟୋସ୍ଫିଅରର ନିମ୍ନଭାଗର ତାପମାତ୍ରା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବା ଜଣା ପଡ଼ିଥିଲା। ଏହା ଦ୍ବାରା ଦୁଇ ମଣ୍ଡଳର ଷ୍ଟ୍ରାଟୋସ୍ଫିଅରରେ ତାପମାତ୍ରା ଫରକ ଯୋଗୁଁ ଭୀଷଣ ବେଗରେ ଉତ୍ତପ୍ତ ପବନ ବହିବା ସାର ହୋଇଥିଲା। ଏହାଦ୍ବାରା ବାୟୁମଣ୍ଡଳର ସମସ୍ତ ସ୍ତରରେ ଭାସମାନ କଣିକା (ଏରୋସଲ)ଗୁଡ଼ିକର ସାନ୍ଦ୍ରତାରେ ତାରତମ୍ୟ ଘଟି ଟ୍ରପୋସ୍ଫିଅରରୁ ଜଳୀୟବାଷ୍ପ ପରିବହନକୁ ପ୍ରଭାବିତ କରିଥିଲା। ଏହାର ପରିଣାମ ସ୍ବରୂପ, ବାର୍ଷିକ ଜଳବାୟୁ ଢାଞ୍ଚାରେ ପରିବର୍ତ୍ତନ ଆସି ଅସମୟରେ ଝଡ଼ ଓ ବନ୍ୟା ବିତ୍ପାତର ଆଶଙ୍କା ରହିବ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।