ଘରୁ ଅଫିସ୍, ଅଫିସ୍ରୁ ଘର। ଚନ୍ଦୁ ଅନୁଭବ କରୁଥିଲା ଜୀବନ ଯେମିତି ତା’ର ନିରସ ହେବାରେ ଲାଗିଛି।
କୁଆଡ଼େ ଟିକେ ବୁଲିଯାଆନ୍ତା କି ସାଙ୍ଗସାଥୀମାନଙ୍କ ସହ ମଉଜମସ୍ତି କରନ୍ତା ଯେ, ସୁମିତ୍ରାର ତାଗିଦ୍ ଘରେ ଠିକ୍ ସମୟରେ ପହଞ୍ଚିବ। ଘରେ ଟିକିଏ ବିଳମ୍ବରେ ପହଞ୍ଚିଲେ ସୁମିତ୍ରାର ସନ୍ଦେହୀ ଆଖି ତା’ ଉପରେ ଘୂରିଆସିବ। ଅଫିସ୍ର କୋଉ ଝିଅଫିଅ ଚକ୍କରରେ ଆଉ ସେ ପଡ଼ିଯାଇନି ତ! ତେଣୁ ଚନ୍ଦୁକୁ ଠିକ୍ ସମୟରେ ଫେରିଆସିବାକୁ ପଡ଼େ ଘରକୁ।
ଘରକୁ ଫେରିବା ବାଟରେ ପଡ଼େ ଏକ ତ୍ରିନାଥ ମନ୍ଦିର। ଠିକ୍ ଘରକୁ ଲାଗିକି ମନ୍ଦିରଟି। ଅନେକ ସମୟରେ ସେଠି ମେଳାହୁଏ, ଖଞ୍ଜଣି ଭଜନ ଶୁଣିବାକୁ ମିଳେ। ଉପସ୍ଥିତ ଭକ୍ତମାନଙ୍କ ମଧ୍ୟରୁ କେହି ସ୍ବରରେ ତ କେହି କେହି ବେସୁରା ସଂଗୀତ ଗାନ କରୁଥିବା ସେ ଶୁଣିବାକୁ ପାଏ। କେହି କୋମଳ ସ୍ବରରେ ତ କେହି କର୍କଶ ସ୍ବରରେ ଭଜନ ଗାନ କରୁଥାନ୍ତି। ଚନ୍ଦୁର ବି ବେଳେ ବେଳେ ଇଚ୍ଛାହୁଏ ସେ ଭଜନ ଗାନ କରନ୍ତା, ପ୍ରସାଦ ସେବନ କରନ୍ତା ଆଉ ନିଜର ଅବସାଦକୁ ଭୁଲିଯାଆନ୍ତା! ମାତ୍ର ସୁମିତ୍ରାର ଡରରେ ସେମିତି ହୁଏନି।
ଯେଉଁଦିନ ସେଠି ମେଳା ନଥାଏ, ଜାଗାଟି ଭାରି ଶୂନ୍ଶାନ୍ ଲାଗେ ଚନ୍ଦୁକୁ। ତଥାପି ଦୁଇ ତିନି ଜଣ ବସିି ସେଠି ଚିଲମରେ ନିଆଁ ଧରାଉଥିବା ସେ ଦେଖିବାକୁ ପାଏ। ସେମାନଙ୍କ ଭିତରେ ଥା’ନ୍ତି ରଘୁଜେଜେ। ଚନ୍ଦୁର ବାପା ତାଙ୍କୁ ‘ଦାଦି’ ବୋଲି ଡାକନ୍ତି।
ଚାରି-ପାଞ୍ଚଦିନ ତଳର କଥା। ସନ୍ଧ୍ୟାରେ ଚନ୍ଦୁ ଅଫିସ୍ରୁ ଫେରି ଦେଖିଲା ରଘୁଜେଜେ ତ୍ରିନାଥ ମନ୍ଦିର ପିଣ୍ଡିରେ ଏକା ଏକା ବସିଥାନ୍ତି। ହାତରେ ଧରିଥାନ୍ତି ଚିଲମଟିଏ। ବୋଧହୁଏ କାହାକୁ ଅପେକ୍ଷା କରିଛନ୍ତି। ଚନ୍ଦୁ ଉପରେ ନଜର ପଡ଼ିବା କ୍ଷଣି ସେ ତାକୁ ପାଖକୁ ଡାକିଲେ।
ଚନ୍ଦୁ ତାଙ୍କ କଥାକୁ ଉପେକ୍ଷା କରିପାରିଲା ନାହିଁ, ପାଖକୁ ଗଲା।
ରଘୁ ଜେଜେ ତାକୁ ପାଖରେ ବସେଇ ଗଞ୍ଜେଇର ମହତ୍ତ୍ବ ବର୍ଣ୍ଣନା କରିବାକୁ ଯାଇ କହିଲେ, ‘‘ଗଞ୍ଜେଇ ହେଉଛି- ‘ଗ’ରେ ଗଭୀର ଜ୍ଞାନ, ‘ଜ’ରେ ଜଞ୍ଜାଳରୁ ମୁକ୍ତି, ‘ଇ’ରେ ଈଶ୍ବର ପ୍ରାପ୍ତି।’’
ତାଙ୍କୁ କଥା ଅଧାରୁ ଅଟକାଇ ଚନ୍ଦୁ କହିଲା, ‘‘ଜେଜେ, ଏଇ ଫାଲ୍ତୁ କଥା ଶୁଣାଇବାକୁ ମୋେତ ପାଖକୁ ଡାକୁଥିଲ?’’
ରଘୁଜେଜେ ପ୍ରକୃତରେ ଚାହୁଥିଲେ ତାଙ୍କ ସହ ଚନ୍ଦୁ ବି ଚିଲମରୁ ଦି’ ସୋଡ଼କା ମାରୁ। କାରଣ ଏ ନିଆଁପାଣି କାର୍ଯ୍ୟକ୍ରମଗୁଡ଼ିକ ଏକା କଲେ ଭଲ ଲାଗେନାହିଁ! ତେଣୁ ଟୋକାଟା କାଳେ ହାତରୁ ଖସିଯିବ ଭାବି ସେ ତାକୁ ପଚାରିଲେ, ‘‘ଆରେ, ସେ କଥା ନୁହଁ, ତୋ ଜନ୍ମବାରଟା କ’ଣ କହିଲୁ?’’
ଚନ୍ଦୁ କହିଲା, ‘‘ସୋମବାର।’’
ରଘୁଜେଜେ କହିଲେ: ‘‘ସୋମବାରଟା ହେଉଛି ମହାଦେବଙ୍କ ବାର। ତୋର ବାପା ମଧ୍ୟ ମହାଦେବଙ୍କ ପରମଭକ୍ତ। ତେଣୁ ଭକ୍ତିରେ ଏହି ପ୍ରସାଦ ସେବନ ଦ୍ବାରା ପୁଣ୍ୟଫଳ ମଳିଥାଏ।’’
ରଘୁଜେଜେ ଗଞ୍ଜେଇକୁ ନେଇ ଆହୁରି ଅନେକ ଗୂଢ଼ତତ୍ତ୍ବ ବଖାଣିେଲ।
ସବୁ ଶୁଣି ଚନ୍ଦୁ କହିଲା, ‘‘ଠିକ୍ ଅଛି। ମୁଁ ଏବେ ଏବେ ଅଫିସ୍ରୁ ଫେରିଲି। ଘରକୁ ଯାଇ ପୋଷାକପତ୍ର ବଦଳାଇ ଆସେ।’’
ରଘୁଜେେଜ କହିଲେ, ‘‘ହଉ ଯାଆ ଜଲ୍ଦି ଆସିବୁ।’’
ଘରକୁ ଯାଇ କିଛି ସମୟ ପରେ ଚନ୍ଦୁ ସେଠାକୁ ବିରସବଦନ ନେଇ ଫେରିଲା ଏବଂ କହିଲା, ‘‘ଜେଜେ, ମୁଁ ଆଉ ଏ ପ୍ରସାଦ ସେବନ କରିପାରିବିନି।’’
ରଘୁଜେଜେ ଆଶ୍ଚର୍ଯ୍ୟ ହେଇ ପଚାରିଲେ, ‘‘କାହିଁକି?’’
ଚନ୍ଦୁ କହିଲା, ‘‘ଦେବୀ ଦୁର୍ଗା ଆମର ସବୁକଥା ଶୁଣିଦେଇଛନ୍ତି। ସେ ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି, ଏ ପ୍ରସାଦ ସେବନ ତୁମେ କରିପାରିବ ନାହିଁ। ତେଣୁ ଜେଜେ ମୋତେ କ୍ଷମା କର।’’
ରଘୁଜେଜେ ଚନ୍ଦୁର ଘର ଆଡ଼କୁ ଚାହିଁଲେ। ଦେଖିଲେ ଝରକା ଫାଙ୍କରେ କେହିଜଣେ ପିଣ୍ଡି ଆଡ଼କୁ ଚାହିଁଛି। ସେ ସୁମିତ୍ରା କି!
ସୁମିତ୍ରା ସମାଚାର: ଜେଜେ ମୋତେ କ୍ଷମାକର
ଘରୁ ଅଫିସ୍, ଅଫିସ୍ରୁ ଘର। ଚନ୍ଦୁ ଅନୁଭବ କରୁଥିଲା ଜୀବନ ଯେମିତି ତା’ର ନିରସ ହେବାରେ ଲାଗିଛି। କୁଆଡ଼େ ଟିକେ ବୁଲିଯାଆନ୍ତା କି ସାଙ୍ଗସାଥୀମାନଙ୍କ ସହ ମଉଜମସ୍ତି କରନ୍ତା ଯେ, ସୁମିତ୍ରାର ତାଗିଦ୍ ଘରେ ଠିକ୍ ସମୟରେ ପହଞ୍ଚିବ।
/sambad/media/media_files/2025/05/25/u6sKGMHG0jwvmUTj1Rqq.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)