ଏକ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗକୁ ସମଗ୍ର ଭାରତରେ ଅତ୍ୟଧିକ ଗରମ ହେବା ସହ ବର୍ଷାର ତୀବ୍ରତାରେ ବୃଦ୍ଧି ଘଟିବ ଏବଂ ୨୦୩୦ ସୁଦ୍ଧା ପରିସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ରହିଛି। ଏହି ଚରମ ପାଣିପାଗ ଦେଶର ସହରାଞ୍ଚଳକୁ ସର୍ବାଧିକ ପ୍ରଭାବିତ କରିବ। ୧୯୮୦ ତୁଳନାରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ସୁରତ, ଥାଣେ, ହାଇଦ୍ରାବାଦ, ପଟ୍ନା ଓ ଭୁବନେଶ୍ୱର ଭଳି ସହରରେ ୨୦୩୦ ସୁଦ୍ଧା ଗ୍ରୀଷ୍ମପ୍ରବାହ ଦିନ ଦୁଇଗୁଣ ବୃଦ୍ଧି ପାଇବ ବୋଲି ଆଇପିଇ-ଗ୍ଲୋବାଲ୍ ଓ ଏସ୍ରି ଇଣ୍ଡିଆ ପକ୍ଷରୁ ଆକଳନ କରାଯାଇଛି। ସେହିପରି ବିସ୍ତାରିତ ଗରମ ପ୍ରବାହ ସାଙ୍ଗକୁ ଅନିୟମିତ ବର୍ଷା ମଧ୍ୟ ଲାଗି ରହିବାର ସମ୍ଭାବନା ରହିଛି। ୨୦୩୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ହେତୁ ସମଗ୍ର ଭାରତରେ ବର୍ଷାର ତୀବ୍ରତାରେ ୪୩% ବୃଦ୍ଧି ଘଟିବ, ଯାହା ଦେଶକୁ ଅଧିକ ଉତ୍ତପ୍ତ ଏବଂ ଆର୍ଦ୍ର କରିବ। ଭାରତ ଗତ ତିନି ଦଶନ୍ଧିରେ (୧୯୯୩ରୁ ୨୦୨୪ ମଧ୍ୟରେ) ମାର୍ଚ୍ଚ-ଏପ୍ରିଲ-ମେ ଏବଂ ଜୁନ-ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ମାସରେ ଗ୍ରୀଷ୍ମପ୍ରବାହ ଦିବସ ସଂଖ୍ୟା ୧୫ ଗୁଣ ବୃଦ୍ଧି ପାଇଛି। କେବଳ ଗତ ଦଶନ୍ଧିରେ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଦିବସ ୧୯ଗୁଣ ଅଧିକ ହୋଇଛି। ସେହିପରି ଭାରତରେ ମୌସୁମୀ ଋତୁ ଅଣବର୍ଷାଦିନ ବ୍ୟତୀତ ଗ୍ରୀଷ୍ମଋତୁ ପରି ଏକ ବିସ୍ତାରିତ ସ୍ଥିତିର ସମ୍ମୁଖୀନ ହେଉଛି।
୨୦୩୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ହିଁ ସମଗ୍ର ଭାରତରେ ଅତ୍ୟଧିକ ବର୍ଷାର ତୀବ୍ରତାରେ ୪୩% ବୃଦ୍ଧି ଘଟାଇବ, ଯାହା ଦେଶକୁ
ଅଧିକ ଗରମ ଏବଂ ଆର୍ଦ୍ର କରିବ।
ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଗୁଜରାଟ, ରାଜସ୍ଥାନ, ତାମିଲନାଡୁ, ଓଡ଼ିଶା, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମେଘାଳୟ ଓ ମଣିପୁରର ୭୫%ରୁ ଅଧିକ ଜିଲ୍ଲା ଗରମ ଚାପ ଜନିତ ଅନିୟମିତ ତଥା ନିରନ୍ତର ବର୍ଷାର ଦ୍ୱିଗୁଣିତ ପ୍ରକୋପ ଦେଖିବ। ଏହି ଜିଲ୍ଲାଗୁଡ଼ିକ ୨୦୩୦ ସୁଦ୍ଧା ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ଅତି କମ୍ରେ ଗୋଟିଏ ଥର ଗ୍ରୀଷ୍ମଲହରି ଦେଖିବ। ଗତ ଗ୍ରୀଷ୍ମଋତୁରେ ଭାରତରେ ଏକ ଦୀର୍ଘ ଗ୍ରୀଷ୍ମଲହରି ଓ ବନ୍ୟା ସହିତ ଏକ ବିପର୍ଯ୍ୟୟକାଳୀନ ସମୟ ଅନୁଭବ ହୋଇଥିଲା, ଯାହାର ଫଳସ୍ୱରୂପ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ହଜାର ହଜାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥିଲା।
ଜଳବାୟୁ ପରିବର୍ତ୍ତନ ଭାରତକୁ ଅତ୍ୟଧିକ ଗରମ ଓ ବର୍ଷାର ସମ୍ମୁଖୀନ କରାଇଛି ଏବଂ ୨୦୩୦ ସୁଦ୍ଧା ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏଲ୍ ନିନୋ ଓ ଲା ନିନା ଭଳି ପାଣିପାଗ ଘଟଣା ଶକ୍ତି ହାସଲ କରିବାକୁ ଯାଉଛି, ଫଳରେ ବନ୍ୟା, ଘୂର୍ଣ୍ଣିବାତ୍ୟା ଓ ଅତ୍ୟଧିକ ଗରମ ଭଳି ଜଳବାୟୁ ପରିବର୍ତ୍ତନ ଘଟଣାରେ ହଠାତ୍ ବୃଦ୍ଧି ଘଟିବ। ସୁତରାଂ ଭାରତୀୟ କୃଷି, ଶିଳ୍ପ ଓ ବହୁସଂଖ୍ୟକ ବୃହତ୍ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଜଳବାୟୁ ପରିବର୍ତ୍ତନ ଜନିତ ଅନିଶ୍ଚିତତାରୁ ରକ୍ଷା କରିବା ପାଇଁ ପରାମର୍ଶ କରାଯାଇଛି।