ଭାରତର ‘ବାତ୍ୟା ରାଜଧାନୀ’ ପଶ୍ଚିମବଙ୍ଗର ସୁନ୍ଦରବନ; ଓଡ଼ିଶାର କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ବାତ୍ୟା ବ୍ୟବଧାନ କମ୍

ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ

ନୂଆଦିଲ୍ଲୀ:  ପଶ୍ଚିମବଙ୍ଗର ସୁନ୍ଦରବନ ଅଂଚଳକୁ ଦେଶର ‘ବାତ୍ୟା ରାଜଧାନୀ’ ଭାବେ ଅଭିହିତ କରିଛି ଭାରତୀୟ ପାଣିପାଗ ବିଭାଗ। କାରଣ ଏହି ଅଞ୍ଚଳ ସବୁଠାରୁ ବାତ୍ୟାପ୍ରବଣ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଉଲ୍ଲେଖନୀୟ,  ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ବାରମ୍ବାର ସାମୁଦ୍ରିକ ବାତ୍ୟାଦ୍ବାରା ପ୍ରଭାବିତ ହେଉଥିବା ଭାରତୀୟ ଜିଲ୍ଲାଗୁଡ଼ିକ ମଧ୍ୟରୁ ଅନ୍ୟତମ ଏବଂ ସୁନ୍ଦରବନର ବହୁଳାଂଶ ଏହାର ଅଂଶ ବିଶେଷ। ଏଥିସହ ସୁନ୍ଦରବନ ହେନ୍ତାଳବଣ ଏବଂ  ମହାବଳ ବାଘମାନଙ୍କ ବାସସ୍ଥାନ ଭାବେ ସୁପରିଚିତ।

ପୁଣେସ୍ଥିତ ଭାରତୀୟ ପାଣିପାଗ ବିଭାଗ କାର୍ଯ୍ୟାଳୟ କରିଥିବା ବିଶ୍ଳେଷଣ ଅନୁସାରେ, ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ସାମୁଦ୍ରିକ ବାତ୍ୟାର ପ୍ରତ୍ୟାବର୍ତ୍ତନ ସମୟ ୧.୫ରୁ ୬.୦ ବର୍ଷ ସ୍କେଲ୍‌ ମଧ୍ୟରେ ୧.୬୭ (ବିଭିନ୍ନ ସମୟରେ ହୋଇଥିବା ବାତ୍ୟା ମଧ୍ୟରେ ସମୟ ବ୍ୟବଧାନ) ରହିଛି । ଅପେକ୍ଷାକୃତ ସଂକ୍ଷିପ୍ତ ପ୍ରତ୍ୟାବର୍ତ୍ତନ ସମୟ ଅଧିକ ସାମୁଦ୍ରିକ ବାତ୍ୟାର ସୂଚନା ଦିଏ।ତେଣୁ ଏଠାରେ ବାତ୍ୟା ଆସିବାର ବ୍ୟବଧାନ ତୁଳନାତ୍ମକ ଭାବେ କମ୍ ରହିଛି।

‘କ୍ଲାଇମେଟ୍‌ ହାଜାର୍ଡସ୍‌ ଆଣ୍ଡ୍‌ ଭଲ୍‌ନେରେବିଲିଟି ଆଟ୍‌ଲାସ୍‌ ଅଫ୍‌ ଇଣ୍ଡିଆ’ରୁ ଦେଖାଯାଇଛି ଯେ, ଭୀଷଣ ସାମୁଦ୍ରିକ ବାତ୍ୟାଗୁଡ଼ିକର ପ୍ରତ୍ୟାବର୍ତ୍ତନ ସମୟ ଥିଲା ୨.୬୧ ବର୍ଷ।

Image Courtesy of Down to Earth

୨୦୨୧ରେ ଦେଶରେ ସଂଘଟିତ ୧୦ଟି ‘ସାଇକ୍ଲୋନିକ୍‌ ଡିଷ୍ଟର୍ବାନ୍‌ସେସ୍‌’ରୁ ସୁନ୍ଦରବନରେ ପ୍ରବାହିତ ହୋଇଥିବା ୨ଟି ବାତ୍ୟା ହେଉଛି ‘ୟାସ୍‌’ ଏବଂ ‘ଜାୱଦ୍’। ୧୯୬୧ରୁ ୨୦୨୦ ମଧ୍ୟରେ ଏହି ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରାୟ ୯୦ କିଲୋମିଟର୍‌ ଅଞ୍ଚଳ ଦେଇ ପ୍ରବାହିତ ସାମୁଦ୍ରିକ ବାତ୍ୟାଗୁଡ଼ିକ ଉପରେ ଗବେଷକମାନେ ଅଧ୍ୟୟନ କରିଥିଲେ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ା, ଆନ୍ଧ୍ରପ୍ରଦେଶର ନେଲୋର୍‌, ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ମଧ୍ୟ ବାତ୍ୟା ଅଧ୍ୟୁଷିତ ବୋଲି ଉକ୍ତ ଅଧ୍ୟୟନରୁ ଜଣାପଡ଼ିଛି।

କେନ୍ଦ୍ରାପଡ଼ାର ବାତ୍ୟା ପ୍ରତ୍ୟାବର୍ତ୍ତନ ସମୟ ୧.୯୪ ବର୍ଷ ଥିବା ବେଳେ ନେଲୋର୍‌ ଏବଂ ପୂର୍ବ ମେଦିନୀପୁରରେ ପ୍ରତ୍ୟାବର୍ତ୍ତନ ସମୟ ୨ ବର୍ଷ ରହିଛି। ଯଥାକ୍ରମେ ୨.୮୬ ବର୍ଷ ଏବଂ ୩ ବର୍ଷ ପ୍ରତ୍ୟାବର୍ତ୍ତନ ସମୟ ଥାଇ ଓଡ଼ିଶାର ବାଲେଶ୍ବର ଜିଲ୍ଲା, ତାମିଲନାଡୁର ବିଲ୍ଲୁପୁରମ୍‌ ଏବଂ ଦକ୍ଷିଣ ୨୪ ପ୍ରଗଣା ଭୀଷଣ ବାତ୍ୟାପ୍ରବଣ ବୋଲି ଜଣାପଡ଼ିଛି।

ପୁଣେସ୍ଥିତ ଭାରତୀୟ ପାଣିପାଗ ବିଭାଗର ଜଳବାୟୁ ଡିଭିଜନ୍‌ର୍ ମୁଖ୍ୟ ବୈଜ୍ଞାନିକ ପୁଲକ ଗୁହାଠାକୁର୍ତା ସାମ୍ବାଦିକମାନଙ୍କୁ କହିଛନ୍ତି, ଦକ୍ଷିଣ ୨୪ ପ୍ରଗଣାର ଉପକୂଳବର୍ତ୍ତୀ ଅଞ୍ଚଳ ୨୪ ପ୍ରଗଣା ଦେଶର ସବୁଠୁ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ ବୋଲି ଏହି ଅଧ୍ୟୟନରୁ ସ୍ପଷ୍ଟ ଭାବେ ଜଣାପଡୁଛି।

ସମ୍ବନ୍ଧିତ ଖବର