‘ଆନ୍ତର୍ଜାତିକ ବିମାନ ସେବା ଉପରେ ରୋକ୍ ଲାଗିଥିଲେ ପରିସ୍ଥିତି ଅସମ୍ଭାଳ ହୋଇନଥାନ୍ତା’

କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ

‘ଡିସେମ୍ବର ଠାରୁ ମାର୍ଚ୍ଚ ମଧ୍ୟରେ ଲୋକମାନେ ବେଶୀ ବୁଲାବୁଲି କରିଥା’ନ୍ତି। ଚୀନ୍‌ରେ କରୋନା ଚିହ୍ନଟ ହେଉହେଉ ଆର୍ନ୍ତଜାତିକ ବିମାନ ସେବା ଉପରେ ରୋକ୍ ଲାଗିବା କଥା। ଏଥିରେ ବିଳମ୍ବ ହେବାରୁ ଆମେରିକା ଏବଂ କାନାଡ଼ା ଆଦି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଲା। କାନାଡ଼ା ଦେଶର ଆଲବ୍ରଟା ରାଜ୍ୟରେ ୧୨ଶହ କରୋନା ପଜିଟିଭ କେସ୍ ବାହାରିଲାଣି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁଛି। ଏଠାରେ ଲକ୍‌ଡାଉନ୍‌ ଜାରି ରହିଛି। ଏଠିକାର ଲୋକମାନେ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଆବଶ୍ୟକ ନ ଥିଲେ ଘରୁ ବାହାରୁ ନାହାନ୍ତି।’ ଗଞ୍ଜାମ ଜିଲ୍ଲାର ମୂଳବାସିନ୍ଦା ତଥା କାନାଡ଼ାର ଆଲବ୍ରଟା ରାଜ୍ୟ କାଲ୍‌ଗିରି ସହରରେ ରହୁଥିବା ଏକ କଂପାନିର କନସଲଟାଣ୍ଟ୍ ସୁନୀଲ କୁମାର ଦାସ ଏହା କହିଛନ୍ତି।

ସେ କହିଛନ୍ତି ଯେ, ଆଲବ୍ରଟା ଓ କାଲ୍‌ଗିରିର ନର୍ସିଂହୋମରେ ରହୁଥିବା ବରିଷ୍ଠ ନାଗରିକମାନେ ବେଶୀମାତ୍ରାରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନର୍ସିଂହୋମ ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି। ଅତ୍ୟାବଶକ ସାମଗ୍ରୀ ମିଳୁଥିବା ‌ଦୋକାନକୁ ବାଦ୍‌ ଦେଲେ ଅନ୍ୟ କୌଣସି ଦୋକାନ ଖୋଲୁନାହିଁ। ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ରାସ୍ତାରେ ଗାଡ଼ି ଚଳାଚଳ କରୁନାହିଁ। ଲୋକମାନେ ଜରୁରୀ କାମ ନ ଥିଲେ ଘରୁ ବାହାରୁ ନାହାନ୍ତି। ସେ ନିଜ ସମ୍ପର୍କରେ କହିଛନ୍ତି, ମୁଁ ଆମେରିକାରେ ପଦାର୍ଥ ବିଜ୍ଞାନ ଓ ବିଜନେସ୍‌ ମ୍ୟାନେଜମେଣ୍ଟର ପ୍ରଫେସର ଭାବେ କାର୍ଯ୍ୟ କରୁଥିଲି। ଗତ ୭ବର୍ଷ ହେଲା କାଲ୍‌ଗିରିରେ ରହୁଛି। କାଲ୍‌ଗିରିର ଏକ ପ୍ରାକୃତିକ ଗ୍ୟାସ୍ ଓ ଅଏଲ ଇଣ୍ଡଷ୍ଟ୍ରିଜ୍‌ରେ କନସଲ୍‌ଟାଣ୍ଟ ଭାବେ କାର୍ଯ୍ୟ କରୁଛି। ଏହି ଗୃହାବଦ୍ଧ ସମୟରେ ଟିଭି ଦେଖା, ଲେଖାଲେଖି ଓ ପତ୍ରପତ୍ରିକା ପଢ଼ାରେ ସମୟ ବିତୁଛି। କାଲ୍‌ଗିରି ଓଡ଼ିଆ ସମାଜ ପକ୍ଷରୁ ଗତ ୧ ତାରିଖରେ ଉତ୍କଳ ଦିବସ ପାଳନ କରିବାକୁ ସ୍ଥିର ହୋଇଥିଲା। ଏଥିପାଇଁ ପ୍ରସ୍ତୁତି ବି ସରିଥିଲା। କିନ୍ତୁ କଟକଣା ଯୋଗୁଁ ପାଳନ ହୋଇପାରିଲା ନାହିଁ। ତେବେ କରୋନାକୁ ରୋକିବା ଲାଗି ଭାରତ ଏବଂ ଓଡ଼ିଶା ସରକାର ଭଲ ପଦକ୍ଷେପ ନେଇଛନ୍ତି। ବିଶେଷକରି ଓଡ଼ିଶା ସରକାର ବହୁ ଆଗୁଆ ପ୍ରତିକାରମୂଳକ ପଦକ୍ଷେପ ନେଇ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ବି ସଫଳ ହୋଇଛି। ବିଶେଷକରି ଭାରତ ଏବଂ ଓଡ଼ିଶାର ଗଣମାଧ୍ୟମ କରୋନାର ସ୍ଥିତିକୁ ସଠିକ୍‌ ଢଙ୍ଗରେ ଉପସ୍ଥାପନ କରିପାରିଥିବା,’ ସେ ପ୍ରକାଶ କରିଛନ୍ତି।

(କାନାଡ଼ାର କାଲ୍‌ଗିରିରେ ରହୁଥିବା ସୁନୀଲ କୁମାର ଦାସଙ୍କ ସହିତ କଥା ହୋଇଥିଲେ ଆମ ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ କିଶୋର ସାହୁ)

ସମ୍ବନ୍ଧିତ ଖବର