ନୂଆଦିଲ୍ଲୀ: ଦିନେ କି ଦୁଇ ଦିନ ନୁହେଁ... ମାସେ କି ଦୁଇ ମାସ ନୁହେଁ... ଜଳରେ ନୁହେଁ କି ସ୍ଥଳରେ ନୁହେଁ... ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ ପୂରା ୯ ମାସ । ହଁ ଆଜ୍ଞା, ମହାକାଶରେ ୯ ମାସ୍ ଦିନ କାଟିବା ପରେ ଶେଷରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ, ବୁଚ୍ ୱିଲମୋର ଏବଂ ଅନ୍ୟ ୨ ଜଣ । ହେଲେ କାହିଁକି ସେମାନେ ୯ ମାସ ମହାଶୂନ୍ୟରେ ଭାସି ବୁଲିଲେ ? କେଉଁ କାରଣରୁ ସେମାନେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିପାରୁ ନଥିଲେ ? ଏ ସବୁ ପ୍ରଶ୍ନ ଏବେ ଆପଣଙ୍କ ମନରେ ଉଙ୍କିମାରୁଥିବା ବେଳେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ମାତ୍ର ୮ ଦିନିଆ ମହାକାଶ ମିଶନରେ ଯାଇ ଦୀର୍ଘ ୯ ମାସ ଫସିଥିଲେ ଏହି ୪ ମହାକାଶଚାରୀ ।
ଏକାଧିକ ଚେଷ୍ଟା ପରେ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଓ ଅନ୍ୟ ଦୁଇ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନିକ୍ ହେଗ୍ । ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ର ତଟରେ ସ୍ପେଶ-ଏକ୍ସ କ୍ରୁ ଡ୍ରାଗନର ସଫଳ ଅବତରଣ ହୋଇଛି । ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡ କରିଛି ନାସାର ସ୍ପେସକ୍ରାଫ୍ଟ । ତେବେ ସଂକ୍ଷେପରେ ଜାଣନ୍ତୁ କେମିତି ଥିଲେ ମହାଶୂନ୍ୟରେ ଜୀବନ...
Splashdown of Dragon confirmed – welcome back to Earth, Nick, Suni, Butch, and Aleks! pic.twitter.com/M4RZ6UYsQ2
— SpaceX (@SpaceX) March 18, 2025
କିପରି ଥିଲା ୯ ମାସର ମହାକାଶ ଜୀବନ ?
୮ ଦିନ ପାଇଁ ପ୍ରସ୍ତୁତି କରି ଯାଇଥିଲେ ମହାକାଶ ହେଲେ ସେମାନେ ଜାଣିନଥିଲେ ୮ ଦିନରୁ ୯ ମାସ ହେଇଯିବ ଫେରିବା ପାଇଁ । ମହାକାଶରେ ୯ ମାସ ରହିଥିଲେ ସୁନୀତା ଓ ସହଯୋଗୀ । ୨୦୨୪, ଜୁନ୍ ୫- ମହାକାଶକୁ ଯାତ୍ରା କରିଥିଲେ ସୁନୀତା । ସାଥୀ ମହାକାଶଚାରୀ ବଚ୍ ୱିଲମୋରଙ୍କ ସହ ମହାକାଶ ଯାତ୍ରା କରିଥିଲେ । ମାତ୍ର ୮ ଦିନ ପାଇଁ ଦୁହିଁଙ୍କୁ ଆନ୍ତର୍ଜାତୀକ ମହାକାଶ କେନ୍ଦ୍ର ବା ଆଇଏସଏସକୁ ପଠାଯାଇଥିଲା।
Crew-10 is go for launch! pic.twitter.com/xyQzIJ7Abf
— SpaceX (@SpaceX) March 14, 2025
ପୃଥିବୀ ପୃଷ୍ଠରୁ ପ୍ରାୟ ୪ ଶହ କିମି ଉପରେ ଶୂନ୍ୟରେ ରହିଛି ଆନ୍ତର୍ଜାତୀକ ମହାକାଶ କେନ୍ଦ୍ର । ଫେରିବା ସମୟରେ ଷ୍ଟାରଲାଇନର ମହାକାଶ ଯାନରେ ବୈଷୟିକ ତ୍ରୁଟି ଦେଖାଦେଲା । ପ୍ରଥମେ ବୋଇଂ ଷ୍ଟାରଲାଇନରୁ ହିଲିୟମ୍ ଗ୍ୟାସ ଲିକ୍ କରୁଥିବା ଜଣାପଡିଥିଲା । ପରେ ମହାକାଶ ଯାନର ୪ଟି ଥ୍ରଷ୍ଟ ପଏଣ୍ଟ କାମ କରୁନଥିବା ସୂଚନା ମିଳିଥିଲା । ପରବର୍ତ୍ତୀ ସମୟରେ ମହାକାଶ ଯାନର ଅନ୍ୟ ପଏଣ୍ଟରୁ ହିଲିୟମ୍ ଗ୍ୟାସ ଲିକ୍ ହୋଇଥିଲା । ଏହାପରେ ବୋଇଂ ଷ୍ଟାରଲାଇନରେ ଫେରିବା ସମ୍ଭବ ନୁହେଁ ବୋଲି କହିଥିଲା ନାସା । ସେବେଠାରୁ ମହାକାଶରେ ଫସି ରହିଥିଲେ ସୁନୀତା ଓ ବଚ୍ ୱିଲମୋର । ଆଉ ଅନେକ ପ୍ରୟାସ ପରେ ଶେଷରେ ଫେରିଛନ୍ତି ସୁନୀତା ଓ ତାଙ୍କ ସହଯୋଗୀ ।