ମଣିଷ ଉପରେ ସୂର୍ଯ୍ୟାଲୋକର ଏକ ଅଜଣା ପ୍ରଭାବ ସମ୍ପର୍କରେ ଗବେଷଣାରୁ ଜଣାପଡ଼ିଛି। ସୂର୍ଯ୍ୟାଲୋକ ଆମ ଶରୀରରେ ଭିଟାମିନ୍ ‘ଡି’ ସୃଷ୍ଟି କରେ ବୋଲି ଆମେ ଆଗରୁ ଜାଣିଛନ୍ତି। ତେବେ ଏହା ବିଶେଷ କରି ପୁରୁଷମାନଙ୍କଠାରେ କ୍ଷୁଧା ଉଦ୍ରେକ କରୁଥିବା ଏକ ପ୍ରକାର ହରମୋନ କ୍ଷରଣରେ ସହାୟକ ହୋଇଥାଏ ବୋଲି ସଦ୍ୟ ଏକ ଅନୁଧ୍ୟାନରୁ ଜଣାଯାଇଛି। ସେଥିପାଇଁ କିଛି ସମୟ ଖରାରେ ଚଲାବୁଲା କଲେ ଭୋକ ଲାଗିଥାଏ ବୋଲି ସ୍ପଷ୍ଟ ହୋଇଛି। ତେଲ୍ ଆବିଭ୍ ବିଶ୍ବବିଦ୍ୟାଳୟ ଭେଷଜ ବିଭାଗର ଦଳେ ଗବେଷକ ସୂର୍ଯ୍ୟାଲୋକରେ ଥିବା ଅତିବାଇଗଣୀ ରଶ୍ମିର ମନୁଷ୍ୟ ଶରୀରରେ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିବା ଅବସରରେ ଏପରି ନିର୍ଯାସରେ ଉପନୀତ ହୋଇଛନ୍ତି।
ଏହି ଅତିବାଇଗଣୀ ରଶ୍ମି ପ୍ରତି ପୁରୁଷ ଓ ମହିଳାଙ୍କ ଶରୀର ସଂପୂର୍ଣ୍ଣ ଭିନ୍ନ ଭାବରେ ପ୍ରତିକ୍ରିୟା ପ୍ରଦର୍ଶନ କରୁଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ପୁରୁଷମାନଙ୍କ ପାକସ୍ଥଳୀରେ ଝରୁଥିବା ଘ୍ରେଲିନ୍ ନାମକ ହରମୋନ୍ କ୍ଷରଣକୁ ଏହା ତ୍ବରାନ୍ବିତ କରିଥାଏ। ଅଧିକ ସମୟ ଖରାରେ ରହିଲେ ଚର୍ମକୋଷରେ ରହିଥିବା ଡିଏନ୍ଏ ନଷ୍ଟ ହୋଇ ଘ୍ରେଲିନ୍ କ୍ଷରଣକୁ ସୁଗମ କରିଥାଏ। ଏହି ଘ୍ରେଲିନ୍ ହିଁ ପୁରୁଷ ମନରେ କ୍ଷୁଧାଭାବ ଜାଗ୍ରତ କରିଥାଏ ଏବଂ ସେହି ଭୋକପ୍ରବଣତା ସେମାନଙ୍କୁ ଅଧିକ ଖାଦ୍ୟ ଗ୍ରହଣ ସହ ଓଜନବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଗବେଷକମାନେ ନିଶ୍ଚିତ ହୋଇଛନ୍ତି। ଏହି କାରଣରୁ ଗ୍ରୀଷ୍ମଦିନେ ପୁରୁଷମାନେ ଅଧିକ ଆହାର ଗ୍ରହଣ କରିବା ସହ ଦୈନିକ ପ୍ରାୟ ୩୦୦ କ୍ୟାଲୋରି ଅଧିକ ଉପଯୋଗ କରନ୍ତି ବୋଲି ଜଣାପଡ଼ିଛି। ଅପରପକ୍ଷେ, ମହିଳାଙ୍କ ଶରୀରରେ ଥିବା ଇଷ୍ଟ୍ରୋଜେନ୍ ହରମୋନ୍ ଏହି ପ୍ରକ୍ରିୟାର ପ୍ରତିବନ୍ଧକ ସାଜିଥାଏ। ତିନି ହଜାର ସ୍ବେଚ୍ଛାସେବୀଙ୍କୁ ନେଇ ଦୀର୍ଘ ତିନି ବର୍ଷ ଧରି ଏକ ଅନୁଧ୍ୟାନ ଚାଲିବା ପରେ ଏହି ନିଷ୍କର୍ଷ ମିଳିପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/2-27.jpg)