ଶୂନ୍ୟ ପହଣ୍ଡି

ପୂର୍ଣ୍ଣଚନ୍ଦ୍ର ଗୋଛିକାର

ଶ୍ରୀକ୍ଷେତ୍ର ପୁରୀରେ ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ାଯାତ୍ରା ଓ ନୀଳାଦ୍ରିବିଜେରେ ଘଣ୍ଟ, କାହାଳୀ, ମୃଦଙ୍ଗ, ଆଲଟ, ଚାମର ଓ ନୃତ୍ୟର ତାଳେ ତାଳେ ଚତୁର୍ଦ୍ଧାବିଗ୍ରହଙ୍କର ପହଣ୍ଡି ବିଜେକୁ ଅବଲୋକନ କରିବା ଏକ ଅନିର୍ବଚନୀୟ ଅନୁଭୂତି। ଏହି ପବିତ୍ର ପହଣ୍ଡି ବିଜେର ଦର୍ଶନ କରି କୋଟି ଜନ୍ମର ପୁଣ୍ୟ ଅର୍ଜନ କରିବା ପାଇଁ ଭକ୍ତ କାଳେ କାଳେ ପ୍ରାର୍ଥନା କରିଆସିଛି।

ପ୍ରାଚୀନ କାଳରୁ, ଅର୍ଥାତ୍ ମହାପ୍ରଭୁଙ୍କର ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାର ପ୍ରଚଳନ ସମୟରୁ ଏହି ପହଣ୍ଡି ବିଜେର ଆରମ୍ଭ ହୋଇଛି। କାରଣ, ବର୍ଷକୁ ଏହି ଦୁଇଟି ଯାତ୍ରାରେ ସ୍ୱୟଂ ଅର୍ଚ୍ଚାବିଗ୍ରହ, ଗର୍ଭଗୃହ ତ୍ୟାଗ କରି ଭକ୍ତଜନଙ୍କ ମଧ୍ୟରେ ଲୌକିକ ଲୀଳା କରିବା ପାଇଁ ବାହାରକୁ ଆସିଥାନ୍ତି। ଏଥିରେ ସାମିଲ ହେବା ପାଇଁ ଠାକୁରମାନେ ଯେଉଁପରି ଭାବରେ ଆସନ୍ତି, ତାହା ‘ପହଣ୍ଡି ବିଜେ’। ପହଣ୍ଡ ପହଣ୍ଡ ହୋଇ ଆସୁଥିବାରୁ ଏହାକୁ ‘ପହଣ୍ଡି’ କୁହାଯାଏ। ଏହା ସାଧାରଣତଃ ଦୁଇ ପ୍ରକାର- ‘ଧାଡ଼ି ପହଣ୍ଡି’ ଓ ‘ଗୋଟି ପହଣ୍ଡି’। ସ୍ନାନଯାତ୍ରାରୁ ଆରମ୍ଭ କରି ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଠାକୁରମାନଙ୍କର ସମୁଦାୟ ଛଅଥର ପହଣ୍ଡି ବିଜେ ହୋଇଥାଏ। ସେମାନେ ଯେତେବେଳେ ବାହାରକୁ, ଅର୍ଥାତ୍ ମନ୍ଦିରରୁ ଭକ୍ତଙ୍କ ମେଳକୁ ଆସନ୍ତି, ସେତେବେଳେ ଧାଡ଼ି ପହଣ୍ଡିରେ ଆସିଥାନ୍ତି ଏବଂ ଭକ୍ତଙ୍କ ମଧ୍ୟରୁ ମନ୍ଦିର ଭିତରକୁ ଯିବାବେଳେ ଗୋଟି ପହଣ୍ଡିରେ ଯାଇଥାନ୍ତି। ଏହା ସୂଚାଏ ଯେ ଭକ୍ତପ୍ରିୟ ମହାପ୍ରଭୁ ଭକ୍ତଙ୍କ ମେଳକୁ ଆସିବା ବେଳେ ଅତ୍ୟନ୍ତ ଉତ୍କଣ୍ଠିତ ଥାଆନ୍ତି ଏବଂ ଭକ୍ତଙ୍କ ମେଳରୁ ଯିବାବେଳେ ଅତି କୁଣ୍ଠାର ସହିତ ଯାଆନ୍ତି।
ଧାଡ଼ି ପହଣ୍ଡିରେ ଏବଂ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଠାକୁରମାନେ ପହଣ୍ଡି ହୋଇ ଆସିଥାନ୍ତି। ଗୋଟି ପହଣ୍ଡିରେ ଜଣେ ତାଙ୍କର ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇସାରିବା ପରେ, ଅନ୍ୟ ଠାକୁର ପହଣ୍ଡି ହୁଅନ୍ତି।

ଉଦାହରଣ ସ୍ୱରୂପ, ସ୍ନାନଯାତ୍ରାରେ ବିଜେ କାହାଳୀ ବାଜିବା ପରେ, ଶ୍ରୀବିଗ୍ରହମାନଙ୍କର ପହଣ୍ଡି ଆରମ୍ଭ ହୁଏ। ପ୍ରଥମେ ଶ୍ରୀସୁଦର୍ଶନ, ପରେ ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ଯାଆନ୍ତି। ସାତପାହାଚଠାରେ ଶ୍ରୀସୁଦର୍ଶନଙ୍କୁ ରାଘବ ଦାସ ମଠ ତରଫରୁ ଯୋଗାଇ ଦିଆଯାଇଥିବା ଟାହିଆ ଲାଗି ହୁଏ। ଶ୍ରୀସୁଦର୍ଶନ ସାତପାହାଚ ଛାଡ଼ିବା ପରେ ଶ୍ରୀବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୁଏ।

ସାତପାହାଚଠାରେ ସେ ଟାହିଆ ଲାଗି ହୋଇ ସାତପାହାଚ ଛାଡ଼ିବା ପରେ ଶ୍ରୀସୁଭଦ୍ରାଙ୍କର ଏବଂ ଶ୍ରୀସୁଭଦ୍ରା ସାତପାହାଚ ଛାଡ଼ିବା ପରେ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ହୋଇଥାଏ। ସେଦିନ ରାତିରେ, ଠାକୁରମାନଙ୍କର ଗଜାନନ ବେଶ ଉଲାଗି ହେବା ପରେ, ଅଣସର ପହଣ୍ଡି ଆରମ୍ଭ ହୁଏ। ସେହି କ୍ରମରେ ଚତୁର୍ଦ୍ଧାମୂର୍ତ୍ତି ଟାହିଆ ପିନ୍ଧି ଗୋଟି ପହଣ୍ଡିରେ ଅଣସର ଗୃହକୁ ବିଜେ କରନ୍ତି।

ସ୍ନାନଯାତ୍ରା ପରେ, ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହୁଏ ଶ୍ରୀଜଗନ୍ନାଥଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା। ଏହି ପହଣ୍ଡିରେ ମଧ୍ୟ ବିଜେ କାହାଳୀ ବାଜିବା ପରେ ଘଣ୍ଟ, ଛତ୍ର, ଚାମର, ଆଲଟ ମଧ୍ୟରେ ପ୍ରଥମେ ସୁଦର୍ଶନଙ୍କର ପହଣ୍ଡି ହୁଏ। ସାତପାହାଚଠାରେ ରାଘବ ଦାସ ମଠର ଟାହିଆ ଲାଗି ହୋଇ, ସେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ବିଜେ କରନ୍ତି। ଏପଟେ ସୁଦର୍ଶନ ସାତ ପାହାଚ ଛାଡ଼ିବା ପରେ ଶ୍ରୀବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୁଏ। ସେ ଶ୍ରୀମନ୍ଦିରର ସାତପାହାଚକୁ ବିଜେ କରିବା ପରେ, ସେଠାରେ ତାଙ୍କର ଟାହିଆ ଲାଗି କରାଯାଏ। ଟାହିଆ ଲାଗି ପରେ ଶ୍ରୀବଳଭଦ୍ର ରଥ ଉପରକୁ ପହଣ୍ଡି ବିଜେ କରନ୍ତି। ପରେ ପରେ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡି ହୋଇ ଆସି, ସେହି ବିଧିରେ ରଥକୁ ବିଜେ ହୁଅନ୍ତି।

ସେହିପରି ଶରଧାବାଲିରେ, ରଥ ଉପରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାବେଳେ, ଠାକୁରମାନେ ଗୋଟି ପହଣ୍ଡିରେ ଯାଇଥାନ୍ତି। ପ୍ରଥମେ ଶ୍ରୀସୁଦର୍ଶନ, ତାଙ୍କ ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୁଏ। ପ୍ରଥମେ, ଠାକୁର ରଥର ଚାରମାଳ ପାଖକୁ ଆସିବା ପରେ ଟାହିଆ ଲାଗି ହୁଅନ୍ତି ଏବଂ ସେଠାରେ ପତିମହାପାତ୍ରଙ୍କ ଦ୍ୱାରା ଘଷାଜଳ, ବନ୍ଦାପନା ଓ ପୁଷ୍ପାଞ୍ଜଳି ପ୍ରଦାନ ପରେ ବିଜେ କାହାଳୀ ସହ ପଟୁଆରରେ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି।

ନଅଦିନର ଶ୍ରୀଗୁଣ୍ଡିଚାଯାତ୍ରାରେ ଶ୍ରୀବିଗ୍ରହମାନେ ଗୁଣ୍ଡିଚାମନ୍ଦିରରେ ସାତଦିନ ରହିଥାଆନ୍ତି। ବାହୁଡ଼ା ଦଶମୀ ଦିନ ସେମାନେ ଧାଡ଼ି ପହଣ୍ଡିରେ ରଥ ଉପରକୁ ଆସନ୍ତି। ପରିଶେଷରେ ନୀଳାଦ୍ରିବିଜେ ଦିନ ରଥରୁ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଯାଆନ୍ତି।

ପରମ୍ପରା ଅନୁଯାୟୀ, ପ୍ରତ୍ୟେକ ପହଣ୍ଡି ସମୟରେ, ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ସମ୍ମୁଖ ଭାଗରେ ଦଇତାପତି ଓ ସୁଆର ମହାସୁଆର ସେବକମାନେ ଠାକୁରଙ୍କର ପୃଷ୍ଠ ଦେଶରେ ପିଠିଆ ଦେଇଥାନ୍ତି ଏବଂ ଅନ୍ୟ ସେବକମାନେ ଡୋରକୁ ପଛପଟେ ଧରି ପହଣ୍ଡି ବିଜେରେ ସାହାଯ୍ୟ କରନ୍ତି। କିନ୍ତୁ ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଏହାଠାରୁ ସଂପୂର୍ଣ୍ଣ ଭିନ୍ନ। ଦଇତା, ପତି ଓ ଅନ୍ୟ ସେବକମାନଙ୍କର କାନ୍ଧରେ ବିଜେହୋଇ ସେମାନେ ସ୍ନାନବେଦିକୁ ବା ରଥକୁ ଆସିଥାଆନ୍ତି ଏବଂ ସ୍ନାନବେଦିରୁ ବା ରଥରୁ ମନ୍ଦିରକୁ ମଧ୍ୟ ସେହିପରି ଭାବରେ ସେବକଙ୍କ କାନ୍ଧରେ ବିଜେ ହୋଇ ଯାଇଥାଆନ୍ତି। ଶ୍ରୀସୁଦର୍ଶନ ବା ଦେବୀ ସୁଭଦ୍ରା ସେବକଙ୍କ କାନ୍ଧ ଉପରେ ଶାୟିତ ଅବସ୍ଥାରେ ବିଜେ କରନ୍ତି। ଏହି ସମୟରେ ଦେବୀ ସୁଭଦ୍ରା ସେବକଙ୍କ କାନ୍ଧ ଉପରେ ଆକାଶକୁ ମୁହଁ କରି ରହିଥାଆନ୍ତି। ତେଣୁ ଏହି ପହଣ୍ଡିକୁ ଲୋକାଚାରରେ ‘ଶୂନ୍ୟ ପହଣ୍ଡି’ କୁହାଯାଏ।

ପ୍ରତ୍ୟେକ ପହଣ୍ଡି ସମୟରେ ଖୁଣ୍ଟିଆ ସେବକ ଆଗରେ ରହି ମଣିମା ମଣିମା ଡାକ ଦେଇଥାନ୍ତି। ଏହି ପହଣ୍ଡି ସମୟରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ପ୍ରଥମେ ଦଇତାମାନେ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ୱରେ ଥାଆନ୍ତି ଏବଂ ତା’ପରେ ଆଉ ଦୁଇଟି କର୍ଡ଼ନ ବା ସୁରକ୍ଷା ବଳୟ କରାଯାଇଥାଏ। ଏଥିରୁ ପ୍ରଥମ ବଳୟରେ ପ୍ରତିହାରୀ ସେବକମାନେ ଗୌରୀ ବେତ ଧରି ପହଣ୍ଡି ସୁରକ୍ଷାରେ ରହିଥାନ୍ତି ଏବଂ ଦ୍ୱିତୀୟ ବଳୟରେ ପୋଲିସ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥା ହୋଇଥାଏ। ଆଗରେ ଦର୍ପଣିଆ ସେବକ ‘ବଇରାକ୍ଷ’ ବା ପୂର୍ଣ୍ଣକୁମ୍ଭ କଳସ ମସ୍ତକରେ ଧାରଣ କରି, ଆଗେ ଆଗେ ଯାନ୍ତି। ପହଣ୍ଡି ସମୟରେ ଠାକୁରମାନେ ବାଟରେ ଯେଉଁଠି ଅଟକି ଯାଆନ୍ତି, କାଳେ ଶ୍ରୀଅଙ୍ଗକୁ କଷ୍ଟହେବ- ସେଥିପାଇଁ ତଳେ ତୁଳି ଦିଆଯାଏ। ଯଦି ପହଣ୍ଡି ସମୟରେ ବର୍ଷା ହୁଏ, ତେବେ ଏକ ପ୍ରକାର ଲାଲ କପଡ଼ା ଠାକୁରମାନଙ୍କ ମସ୍ତକରେ ଘୋଡ଼ାଇ ଦିଆଯାଏ। ତାହାକୁ ‘ଗିଲାପ’ କୁହାଯାଏ।

ଏହିପରି ଭାବରେ, ବ୍ୟାପକ ବିଧିବ୍ୟବସ୍ଥା ଅନୁସାରେ, ଚତୁର୍ଦ୍ଧାବିଗ୍ରହଙ୍କର ଦୁର୍ଲଭ ପହଣ୍ଡି ବିଜେ ନୀତି ହୋଇଥାଏ।

ମୋ: ୯୮୬୧୦୮୭୨୧୨

ସମ୍ବନ୍ଧିତ ଖବର