ମାଲେସିଆରେ ରହୁଥିବା ଭାରତୀୟ ବଂଶୋଭବ ମହିଳା ରଚେଲ୍‌ କୌର ପ୍ରାୟ ବର୍ଷେ ଧରି ନିଜ ଘରୁ କର୍ମସ୍ଥଳକୁ ଯିବା ପାଇଁ ଦୈନିକ ୭୦୦ କି.ମି. ବିମାନଯାତ୍ରା କରୁଛନ୍ତି। ପରିବାର ଓ ୨ ପିଲାଙ୍କୁ ସମୟ ଦେବାପାଇଁ ରଚେଲ୍‌ ପ୍ରତି ସପ୍ତାହରେ ସାପ୍ତାହିକ ଛୁଟି ବ୍ୟତୀତ ପ୍ରତି ୫ ଦିନ ବିମାନରେ ନିଜ ଘରୁ ଅଫିସ୍‌କୁ ଏବଂ ଅଫିସ୍‌ରୁ ଘରକୁ ଯିବାଆସିବା କରିଥାନ୍ତି।
ଏୟାର୍‌ଲାଇନ୍ସ କମ୍ପାନି ‘ଏୟାର୍‌ ଏସିଆ’ର କୁଆଲାଲମ୍ପୁରସ୍ଥିତ ମୁଖ୍ୟାଳୟରେ ଫାଇନାନ୍‌ସିଆଲ୍‌ ଅପରେସନ୍‌ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ମ୍ୟାନେଜର୍‌ ଭାବେ କାର୍ଯ୍ୟ କରନ୍ତି ରଚେଲ୍‌। ତେବେ ତାଙ୍କ ଘର କୁଆଲାଲମ୍ପୁରଠାରୁ ୩୫୦ କି.ମି. ଦୂର ମାଲେସିଆର ପେନାଙ୍ଗ ରାଜ୍ୟରେ ରହିଛି, ଯେଉଁଠାରେ ତାଙ୍କ ସ୍ବାମୀ ଏବଂ ୧୧ ଓ ୧୨ ବର୍ଷ ବୟସର ଦୁଇ ପିଲା ରହନ୍ତି।

Advertisment

ପୂର୍ବରୁ ସେ ଅଫିସ୍‌ ନିକଟସ୍ଥ ଏକ ଭଡ଼ାଘରେ ରହୁଥିଲେ। ସେତେବେଳେ ସେ ସପ୍ତାହକୁ ମାତ୍ର ଥରେ ନିଜ ପରିବାରକୁ ଭେଟିବା ପାଇଁ ଆସି ପାରୁଥିଲେ। ତେବେ ପିଲାଙ୍କଠାରୁ ଦୂରରେ ରହିବା ତାଙ୍କୁ ଆତ୍ମସନ୍ତୋଷ ଦେଉ ନଥିଲା। ସେତେବେଳେ ତାଙ୍କୁ ନିଜ କର୍ମମୟ ଜୀବନ ଓ ପାରିବାରିକ ଜୀବନ ମଧ୍ୟରେ ସମନ୍ବୟ ଆଣିବା କଷ୍ଟକର ହୋଇ ପଡୁଥିବା ରଚେଲ୍‌ କହିଛନ୍ତି। ତେଣୁ ସେ ୨୦୨୪ରେ ନିଜ ଜୀବନର ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ପ୍ରତିଦିନ ବିମାନ ଯୋଗେ ପେନାଙ୍ଗରୁ କୁଆଲାଲମ୍ପୁର ସ୍ଥିତ ନିଜ ଅଫିସ୍‌କୁ ଯାତ୍ରା କରିବେ ବୋଲି ରଚେଲ୍‌ ସ୍ଥିର କରିଥିଲେ। 

ରଚେଲ୍‌ ନିଜ ଦୈନିକ କାର୍ଯ୍ୟସୂଚୀ ବିଷୟରେ ସୂଚନା ଦେଇ କହିଛନ୍ତି, ସେ ଭୋର୍‌ ୪ଟାରେ ଉଠନ୍ତି। ୫ଟା ସୁଦ୍ଧା ସେ ଅଫିସ୍‌ ଯିବା ପାଇଁ ଘରୁ ବାହାରିଯାଆନ୍ତି। ସେ ନିଜେ କାର୍‌ ଡ୍ରାଇଭ୍‌ କରି ପେନାଙ୍ଗ୍‌ ଏୟାର୍‌ପୋର୍ଟକୁ ଯାଆନ୍ତି। ପେନାଙ୍ଗ୍‌ରୁ କୁଆଲାଲମ୍ପୁର ଯାଉଥିବା ବିମାନ ସକାଳ ୬.୩୦ରେ ବାହାରିଥାଏ। ସକାଳ ୭ଟା ୪୫ ସୁଦ୍ଧା ସେ ତାଙ୍କ ଅଫିସ୍‌ରେ ପହଞ୍ଚିଯାନ୍ତି। ସେଠାରେ ନିଜ କାମ ଶେଷକରି ରାତି ୭.୩୦ ସୁଦ୍ଧା ଘରକୁ ଫେରିଆସନ୍ତି ବୋଲି ସେ କହିଛନ୍ତି। ତେବେ ଏହି ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ତାଙ୍କର ମାସିକ ୧୪ରୁ ୧୫ ହଜାର ଟଙ୍କା ସଞ୍ଚୟ ହେଉଥିବା ରଚେଲ୍‌ କହିଛନ୍ତି।

ପୂର୍ବରୁ ଘରଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ତାଙ୍କର ମାସିକ ୪୭୪ ଡଲାର୍‌ (ପ୍ରାୟ ୪୧ ହଜାର ଟଙ୍କା) ଖର୍ଚ୍ଚ ହେଉଥିବାବେଳେ ଏବେ ବିମାନରେ ଯିବା ଆସିବା ପାଇଁ ତାଙ୍କର ମାସିକ ୩୧୬ ଡଲାର (ପ୍ରାୟ ୨୭ ହଜାର ଟଙ୍କା) ଖର୍ଚ୍ଚ ହେଉଛି। ତେବେ ପ୍ରତିଦିନ ଭୋର୍‌ ୪ଟାରେ ଉଠୁଥିବାରୁ ଅନେକ ସମୟରେ ତାଙ୍କୁ ଥକ୍କାପଣ ଅନୁଭବ ହୋଇଥାଏ। ହେଲେ ରାତିରେ ଘରକୁ ଫେରି ପିଲାଙ୍କୁ ଦେଖିଦେବା ପରେ ସବୁ ଥକ୍କାପଣ ଦୂର ହୋଇଯାଏ ବୋଲି ରଚେଲ୍‌ କହିଛନ୍ତି। ପିଲାଙ୍କ ଯତ୍ନ ନେବାପାଇଁ ରଚେଲ୍‌ ଦୈନିକ ୭୦୦ କି.ମି. ଯାତ୍ରା କରୁଥିବାରୁ କେତେକ ସ୍ଥାନୀୟ ଗଣମାଧ୍ୟମ ତାଙ୍କୁ ମାଲେସିଆର ସୁପର୍‌ ମମ୍‌ ଭାବେ ଅଭିହିତ କରିଛନ୍ତି।