ପ୍ରାୟ ଏକ ଶତାବ୍ଦୀରୁ ଅଧିକ ସମୟ ପ୍ରତୀକ୍ଷାର ଅବସାନ ଘଟାଇ ପ୍ରଥମ କରି ସାଧାରଣ(କୋଠରି) ତାପମାତ୍ରାର ସୁପର୍‌କଣ୍ଡକ୍ଟର(ଅତିପରିବାହୀ) ଉଦ୍ଭାବିତ ହୋଇପାରିଛି। ଫଳରେ ଭବିଷ୍ୟତରେ ଇଲେକ୍ଟ୍ରୋନିକ୍ସ ଓ ବିଦ୍ୟୁତ୍‌ ପରିବହନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ବୈଜ୍ଞାନିମାନେ ଆଶା ପ୍ରକଟ କରିଛନ୍ତି। କୌଣସି ଧାତବ ତାରରେ ବିଦ୍ୟୁତ୍‌ ପରିବାହିତ ହେଲା ବେଳେ ତାହାର ବିଦ୍ୟୁତ୍‌ ପ୍ରତିରୋଧୀ(ରେଜିଷ୍ଟିଭିଟି) ଗୁଣ ସକାଶେ ସେଥିରେ କିଛି ପରିମାଣର ବିଦ୍ୟୁତ୍‌ ଶକ୍ତି ଅପଚୟ ହୋଇଥାଏ। ତେବେ ବିଦ୍ୟୁତ୍‌ ପରିବାହୀ(କଣ୍ଡକ୍ଟର୍‌)ର ଏହି ପ୍ରତିରୋଧୀ କ୍ଷମତା ତାପମାତ୍ରା ଉପରେ ନିର୍ଭର କରି କମି ଆସିଥାଏ। ସୁତରାଂ ଏପରି ଏକ ନିର୍ଦ୍ଦିଷ୍ଟ ବିଯୁକ୍ତାତ୍ମକ ତାପମାତ୍ରା(-୨୭୩.୧୫ ଡିଗ୍ରି ସେଲସିଅସ୍‌)ରେ ତାହା ଶୂନ ହୋଇଥାଏ। ଆଉ ସେତିକି ବେଳେ ତାହାକୁ ଏକ ସୁପର୍‌କଣ୍ଡକ୍ଟର୍‌ କୁହାଯାଏ।

Advertisment

ଅର୍ଥାତ୍‌ ତାହା ମାଧ୍ୟମରେ ଯେତିକି ବିଦ୍ୟୁତ୍‌ ବିଭବ ପ୍ରବାହିତ ହେଉଥାଏ ତାହା ଅକ୍ଷୁଣ୍ଣ ରହିଥାଏ। ତେଣୁ ବିଦ୍ୟୁତ୍‌ ପରିବହନରେ ଶକ୍ତି ଅପଚୟ ରୋକିବା ପାଇଁ ସୁପର୍‌କଣ୍ଡକ୍ଟର୍‌ ଉପରେ ଗୁରୁତ୍ବ ଦିଆଯାଇ ଆସୁଥିଲା। ମାତ୍ର ସେଥିପାଇଁ ଏତେ ନିମ୍ନ ତାପମାତ୍ରା ବିଶିଷ୍ଟ ପରିବେଶର ଅଭାବ ଯୋଗୁଁ ତାହା ସମ୍ଭବ ହୋଇପାରୁନଥିଲା। ତେବେ ନିକଟରେ ନ୍ୟୁୟର୍କ ସ୍ଥିତ ରୋଚଷ୍ଟର୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ୧୫ ଡିଗ୍ରି ପରି କୋଠରି ବା ସାଧାରଣ ତାପମାତ୍ରାରେ କାର୍ଯ୍ୟକ୍ଷମ ପ୍ରଥମ ସୁପର୍‌କଣ୍ଡକ୍ଟରର ଉଦ୍ଭାବନ କରିପାରିଛନ୍ତି। ଗବେଷକ ରାଙ୍ଗା ଡାଏସ୍‌ ଏବଂ ତାଙ୍କ ସାଥୀମାନେ ଦୁଇଟି ହୀରାଖଣ୍ଡ ମଝିରେ ଅଙ୍ଗାର, ଉଦ୍‌ଜାନ ଓ ଗନ୍ଧକର ମିଶ୍ରଣକୁ ବାୟୁମଣ୍ଡଳର ୨୬ ଲକ୍ଷ ଗୁଣ ଚାପରେ ଲେଜର ରଶ୍ମି ଦ୍ବାରା ଉତ୍ତପ୍ତ କରି ତାହା ପାଇ ପାରିଛନ୍ତି। ତେବେ ଏତେ ଉଚ୍ଚ ଚାପ ବଦଳରେ ସ୍ବାଭାବିକ ବାୟୁମଣ୍ଡଳୀୟ ଚାପରେ କିପରି ଅତିପରିବାହୀ ମିଳିପାରିବ, ତାହା ହିଁ ଏବେ ଆହ୍ବାନ ପାଲଟିଛି।