ଦୁଇ ନବାଗତ ମୁଖ୍ୟ ଅଭିନେତାଙ୍କୁ ନେଇ ଏକ ବଲିଉଡ୍‌ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ ସୁପର୍‌ହିଟ୍‌ ହେବାର ସୁନିଶ୍ଚିତ ସଂକେତ ମିଳିବା ଏକ ବିରଳ ଘଟଣା। ‘ସୈୟାରା’ ସିନେମାର ସଂଗୀତ ଏବଂ ୨୫ ବର୍ଷରୁ କମ୍ ବୟସ ବର୍ଗର ଯୁବପିଢ଼ିଙ୍କ ଗହଣରେ ପ୍ରସିଦ୍ଧ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ ମାଧ୍ୟମରେ ପ୍ରଯୋଜନା ସଂସ୍ଥାର ପ୍ରଚାର ଅଭିଯାନ ଅଭୂତପୂର୍ବ ସଫଳତା ହାସଲ କରିଛି। ମୁକ୍ତିଲାଭ ଦିନର ସକାଳୁଆ ସୋ’ରେ ପ୍ରେକ୍ଷାଳୟ ପରିପୂର୍ଣ୍ଣ ହୋଇଯିବା ଦୃଶ୍ୟ ଯୁବପିଢ଼ିଙ୍କ ମଧ୍ୟରେ ଏହାର ଈର୍ଷଣୀୟ ଲୋକପ୍ରିୟତାକୁ ପ୍ରତିଫଳିତ କରିଛି। ତେବେ ଏ ସଫଳତା ପଛରେ କେବଳ ସୁବ୍ୟବସ୍ଥିତ ପ୍ରଚାରର ଭୂମିକା ରହିଛି ନା କାହାଣୀ, ସଂଗୀତ, ଅଭିନୟ ଓ ନିର୍ଦେଶନା ମଧ୍ୟ ପରିପୂରକ ସାଜିଛି ତାହା ଦେଖିବା ଜରୁରି।  

Advertisment

‘ସୈୟାରା’ ଦେଖିବା ବେଳେ ନିର୍ଦେଶକ ମୋହିତ ସୂରୀଙ୍କ ‘ଆସିକି ୨’ ସହିତ ଅନେକ ସମାନତା ବାରି ହୋଇପଡ଼ିଲା। ଏହି କାହାଣୀରେ ମଧ୍ୟ ଦୁଇ ଜଣ ବେଖାପ ମନେ ହେଉଥିବା ଯୁବକଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠୁଛି ଏବଂ ସେମାନଙ୍କ ସମ୍ପର୍କର କେନ୍ଦ୍ରରେ ଅଛି ସଂଗୀତ। କ୍ରିସ୍ କପୁର (ଅହାନ ପାଣ୍ଡେ) ଜଣେ ଉଦୀୟମାନ ସଂଗୀତଜ୍ଞ ହୋଇଥିବା ବେଳେ ବାଣୀ ବତ୍ରା (ଅନୀତ ପଡ୍ଡା) ହେଉଛନ୍ତି ଗୀତ ଲେଖିବାକୁ ଭଲପାଉଥିବା ଜଣେ ସାମ୍ବାଦିକା। ଘଟଣାକ୍ରମେ କ୍ରିସ୍‌ଙ୍କ ପାଇଁ ବାଣୀ ଗୀତ ଲେଖିବା କାମରେ ନିୟୋଜିତ ହେଉଛନ୍ତି ଏବଂ ସେମାନଙ୍କ ଯୋଡ଼ି ହିଟ୍‌ ଗୀତ ପ୍ରସ୍ତୁତ କରିବା ଆରମ୍ଭ କରୁଛନ୍ତି। ଏ କ୍ରମରେ ଉଭୟ ପରସ୍ପରଙ୍କ ମନର ଗଭୀରତମ ପ୍ରଦେଶରେ ଦବି ରହିଥିବା କ୍ଷତକୁ କୋମଳ ସ୍ପର୍ଶ ଦ୍ବାରା ଲାଘବ କରୁଛନ୍ତି। ଏହା ପରେ ଏକ ଅପ୍ରତ୍ୟାଶିତ ରୋଗ ସେମାନଙ୍କ ପ୍ରେମର ପରୀକ୍ଷା ନେଉଛି, ଯାହା ଅନେକ ଦର୍ଶକଙ୍କ ହୃଦୟକୁ ଭାରୀ ଓ ଆଖିକୁ ଲୋତକପୂର୍ଣ୍ଣ କରିବା ଅବଧାରିତ। 

ଅଭିନୟ ଦୃଷ୍ଟିରୁ ଉଭୟ ଅହାନ ଓ ଅନୀତ ପ୍ରଥମ ପଦାର୍ପଣରେ ନିଜନିଜ ପାରଦର୍ଶିତାକୁ ପ୍ରମାଣିତ କରିଛନ୍ତି। ସେମାନଙ୍କ ଯୋଡ଼ିରେ କୃତ୍ରିମତା ନାହିଁ। ରୋମାଣ୍ଟିକ ନାୟକ ଭାବେ ଅହାନଙ୍କ ସଂଳାପ ଓ ଅଙ୍ଗଭଙ୍ଗୀରେ ଜଣେ ତାରକାର ଆଭାସ ମିଳେ। ଅପରପକ୍ଷେ ଅନୀତଙ୍କ ନାୟିକା ଚରିତ୍ର ସବୁଠାରୁ ଅଧିକ ଭାବପ୍ରବଣ ଓ ଜଟିଳ ହୋଇଥିବାରୁ ସେ ଅଧିକ ଶ୍ରେୟର ଅଧିକାରିଣୀ। ତେବେ ଏମାନଙ୍କ ଛଡ଼ା ଆଉ କେଉଁ ଅଭିନେତାଙ୍କୁ ସ୍ମରଣଯୋଗ୍ୟ ପାର୍ଶ୍ବ ଚରିତ୍ର ମିଳିନାହିଁ। କିଛି ନିର୍ଦ୍ଦିଷ୍ଟ ଅଂଶକୁ ଛାଡ଼ିଦେଲେ ଅଢ଼େଇ ଘଣ୍ଟାର ଏହି ସିେନମାର ଦୃଶ୍ୟ ବା ସଂଳାପ ଗୁଡ଼ିକ ପ୍ରଭାବଶୂନ୍ୟ ଲାଗିଲା। ଗୀତଗୁଡ଼ିକ ଏହି ସିନେମାର ସବୁଠାରୁ ବଡ଼ ଶକ୍ତି ସତ, ହେଲେ ଏହାର ସାତଟି ଗୀତ ‘ଆସିକି ୨’ର ଆଲ୍‌ବମ୍ ପରି ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ମନେ ହେଉନାହିଁ। ମୋହିତଙ୍କ ପୂର୍ବ ସିନେମାଗୁଡ଼ିକୁ ପସନ୍ଦ କରିଥିବା ଦର୍ଶକଙ୍କୁ ‘ସୈୟାରା’ର ସରଳ ତଥା ଅଭିନବତ୍ବବିହୀନ ଚିତ୍ରନାଟ୍ୟ ନିଶ୍ଚିତ ପ୍ରଭାବିତ କରିବ, କିନ୍ତୁ ସିନେମାରେ ନୃତ୍ୟ, ଆକ୍ସନ୍, ରୋମାଞ୍ଚ, ବ୍ୟଙ୍ଗ ବା ଗୁରୁଗମ୍ଭୀର ନାଟକୀୟତା ଖୋଜୁଥିବା ଦର୍ଶକଙ୍କୁ ଏହା ସନ୍ତୁଷ୍ଟ କରିବାର ସମ୍ଭାବନା କ୍ଷୀଣ। ତେବେ ଯାହା ସଭିଙ୍କୁ ପସନ୍ଦ ଆସିବ ତାହା ହେଉଛି ସ୍ମୃତି ଓ ସଂଗୀତ ମଧ୍ୟରେ ଗଭୀର ସମ୍ପର୍କକୁ ନିଷ୍କପଟ ଭାବରେ ପରିଭାଷିତ କରିଥିବା ଏହାର କାହାଣୀ। ପୁଣି ‘ଡିମେନ୍‌ସିଆ’ ପରି ରୋଗ ନେଇ ଏହା କିଛିଟା ସଚେତନତା ସୃଷ୍ଟି କରିବ। ଏ କାହାଣୀ ଦୁଃଖଦ ନା ସୁଖଦ ନିଷ୍କର୍ଷରେ ଯାଇ ପହଞ୍ଚିବ ତାହା ଶେଷ ପର୍ଯ୍ୟନ୍ତ ଅନିଶ୍ଚିତ ରହିଛି ଏବଂ ତାହା ହିଁ ହେଉଛି ଏହାର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ବିଶେଷତ୍ବ।

‘ସୈୟାରା’
ନିର୍ଦେଶକ: ମୋହିତ ସୂରୀ 
ମୁଖ୍ୟ ଚରିତ୍ରରେ: ଅହାନ ପାଣ୍ଡେ, ଅନୀତ ପଡ୍ଡା