ଅନ୍ଧବିଶ୍ୱାସ: ଭୂତୁଣୀ ଭୟରେ ଗାଁ ଛାଡ଼ିଲେ ୬୦ ପରିବାର

ହାଇଦ୍ରାବାଦ: ଭୂତ ଭୟ। ଆଧୁନିକ ବିଜ୍ଞାନ ଯୁଗରେ ଭୂତକୁ କେହି ବିଶ୍ୱାସ କରନ୍ତି ନାହିଁ। ଭୁତ ପ୍ରେତ ଏକ ଭ୍ରମ ଓ ଏହା ଦୁର୍ବଳ ମାନସିକତାର ପ୍ରତୀକ ବୋଲି କୁହାଯାଏ। ଏହା ଏକ ଅନ୍ଧବିଶ୍ୱାସ କାରଣ ଏ ପର୍ଯ୍ୟନ୍ତ ଭୂତ ପ୍ରେତଙ୍କୁ କେହି ଦେଖିଥିବାର ଜୋର ଦେଇ କହି ପାରିବେ ନାହିଁ। ଏ ସବୁ ସତ୍ତ୍ୱେ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନାର ନିର୍ମଳ ଜିଲ୍ଲାରେ ଥିବା ଛୋଟିଆ ପଡ଼ା (ଗାଁ)ର ଲୋକମାନଙ୍କ ପାଇଁ ଭୂତ ଭୟ ଏବେ ଏକ ବଡ଼ ସମସ୍ୟା। ବିଶେଷ କରି ଏକ ଭୂତୁଣୀକୁ ନେଇ ଗାଁରେ ଅଦ୍ଭୂତପୂର୍ବ ନିରବତା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଗାଁ ଏବେ ପୁରୁଷ ଶୂନ୍ୟ ହୋଇ ପଡ଼ିଛି। ଗାଁର ଲୋକେ ସେହି ତଥାକଥିତ ଭୂତୁଣୀ ଭୟରେ ନିଜ ଘରଦ୍ୱାର , ଜମିବାଡ଼ି ଛାଡ଼ି ଘରେ ତାଲା ପକାଇ ବାହାରକୁ ପଳାଇ ଯାଇଛନ୍ତି। ବିଶେଷ କରି କୌଣସି ପୁରୁଷ ଭୂତୁଣୀ ଭୟରେ ଗାଁ ମାଟି ମାଡ଼ୁ ନ ଥିବାରୁ ସେଠାରେ ମାତ୍ର ଅଳ୍ପ କେତେଜଣ ମହିଳା ରହିଛନ୍ତି। ଗ୍ରାମରେ ଭୂତୁଣୀର ଆବିର୍ଭାବଜନିତ ଭୟ ନେଇ ଲୋକେ ଗାଁ ଛୁଡ଼ୁଥିବା ସମ୍ପର୍କିତ ଏକ ଭିଡିଓ ଭାଇରାଲ ହେବା ପରେ ଏହି ଛୋଟ ପଡ଼ାଟି ଏବେ ଚର୍ଚ୍ଚାକୁ ଆସିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଭୂତୁଣୀ କେବଳ ପୁରୁଷ ଲୋକଙ୍କକୁ ଆକ୍ରମଣ କରୁଥିବା ନେଇ ମଧ୍ୟ ବେଶ୍‌ ଚର୍ଚ୍ଚା ହେଉଛି।

ଭୂତ ପ୍ରେତ ବୋଲି କିଛି ନାର୍ହିଁ। ଏହା ସତ୍ତ୍ୱେ ବେଳେ ବେଳେ ମନର ଭ୍ରମରେ ହେଉ ଅବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହେଉ, ଏପରି ଅପାର୍ଥିବ ଘଟଣାକୁ ବିଶ୍ୱାସ କରି ଏପରି ଭୟ ପାଇ ଯାଇଥାନ୍ତି ଯେ କଣ କରିବେ କଣ ନ କରିବେ ତାହା ସ୍ଥିର କରି ପାରି ନ ଥାନ୍ତି। ଠିକ୍‌ ଯେମିତି ତେଲେଙ୍ଗାନାର ନିର୍ମଳ ଜିଲ୍ଲାରେ ଥିବା ଛୋଟିଆ ପଡ଼ା (ଗାଁ) କାଶିପଡ଼ାର ଗ୍ରାମବାସୀମାନେ କରିଛନ୍ତି। ବିଜ୍ଞାନ ଯୁଗରେ ମଧ୍ୟ ଭୂତୁଣୀକୁ ଭୟ କରି ଗ୍ରାମବାସୀମାନେ ଗାଁ ଛାଡ଼ି ନିରାପଦ ସ୍ଥାନକୁ ଚାଲି ଯାଉଥିବା ପରି ଘଟଣା ନିଶ୍ଚିତଭାବେ ଚିନ୍ତାଜନକ।

ତେଲେଙ୍ଗାନାର ନିର୍ମଳ ଜିଲ୍ଲାରେ ଥିବା ଛୋଟିଆ ପଡ଼ା (ଗାଁ)ର ନାମ କାଶିପଡ଼ା। ଏହି ଛୋଟିଆ ଗାଁଟିରେ ବାସ କରନ୍ତି ପ୍ରାୟ ଷାଠିଏ ପରିବାର। ଗ୍ରାମର ପ୍ରାୟ ସମସ୍ତ ପରିବାରର ଜୀବିକାର୍ଜନର ପନ୍ଥା ହେଉଛି ନିକଟସ୍ଥ ପାହାଡ଼ରେ ପଥର ଫଟାଇବା ଓ ପଥର କାଟିବା। କିନ୍ତୁ ଗତ କିଛିଦିନ ଭିତରେ ଗାଁଟି ପ୍ରାୟତଃ ଜନମାନବଶୂନ୍ୟ ହୋଇପଡ଼ିଛି। କାରଣ ଗତ କିଛି ଦିନ ହେବ ଗାଁରେ କୁଆଡେ ଏକ ଭୂତୁଣୀର ଆବିର୍ଭାବ ଘଟିଛି। ଭୂତୁଣୀ ଭୟରେ ଗାଁର ଅଧିକାଂଶ ପରିବାର ଗାଁ ଛାଡ଼ି ଅନ୍ୟ ନିରାପଦ ସ୍ଥାନକୁ ଯିବାକୁ ଉଚିିତ ମଣିଛନ୍ତି। ଅଧିକାଂଶ ଘରର ଦୁଆର ମୁହଁରେ ତାଲା ପଡ଼ିଛି। ଆଉ ଗାଁରୁ ତଥାକଥିତ ଭୂତୁଣୀଟି ବିଦା ନ ହେବା ପର୍ଯ୍ୟନ୍ତ ଗାଁର ଲୋକେ ଗାଁକୁ ଫେରିବାକୁ ଚାହୁ ନ ଥିବା ଜଣାପଡ଼ିଛି। ସବୁଜିମା ଭରା ଗାଁଟି ଏବେ ଏକ ଶୂନସାନ ଭୂତ ସହରରେ ପରିଣତ ହୋଇଛି।

photo credit- indiatimes.com

ଗୁରୁତ୍ୱପୂର୍ଣ୍ଣ ହେଉଛି ଗାଁରେ ଯେଉଁ ଅଳ୍ପ କେତେଜଣ ରହିଛନ୍ତି, ସେମାନେ ଗୋଧୁଳି ପୂର୍ବରୁ ନିଜ ଘର ଭିତରେ କବାଟ କିଳି ରହୁଛନ୍ତି। ଆଉ ତା ପରଦିନ ସୁର୍ଯ୍ୟୋଦୟ ନ ହେବା ପର୍ଯ୍ୟନ୍ତ ଘରର କବାଟ ଖୋଲୁ ନାହାଁନ୍ତି କିମ୍ବା ବାହାରକୁ ଆସୁ ନାହାଁନ୍ତି। ତେଲେଙ୍ଗାନାରେ ଭୂତପ୍ରେତକୁ ନେଇ ଲୋକଙ୍କର ଅଦ୍ଭୂତ ଅନ୍ଧବିଶ୍ୱାସ ରହିଛି। ବିଶେଷ କରି ସହରର ଉପାନ୍ତ ଗ୍ରାମଗୁଡ଼ିକରେ ଭୂତପ୍ରେତ, ଡାହାଣୀ ଚିରୁକୁଣୀ ନେଇ ଭୟଙ୍କର ଅନ୍ଧବିଶ୍ୱାସ ରହିଛି।ଏଥିପାଇଁ ଗୁଣୀଗାରେଡି, କଳାଯାଦୁ କରୁଥିବା ତାନ୍ତ୍ରିକମାନଙ୍କର ମଧ୍ୟ ବେଶ୍‌ ଚାହିଦା ତେଲେଙ୍ଗାନାର ଗ୍ରାମାଞ୍ଚଳରେ ରହିଛି। ମାତ୍ର ଏଥର ଏହା ପ୍ରଥମ ଥର ପାଇଁ ହୋଇଛି ଯେ ଏକ ଭୂତୁଣୀ( ମହିଳା ଭୂତ) ଯୋଗୁଁ ବର୍ଷବର୍ଷ ଧରି ରହିଆସୁଥିବା ଗାଁର ଲୋକେ ନିଜ ଭିଟାମାଟି ଛାଡି ଅନ୍ୟତ୍ର ଉଠି ଚାଲିଯାଉଛନ୍ତି।

ସମ୍ବନ୍ଧିତ ଖବର