ନୂଆଦିଲ୍ଲୀ: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ଚାଲି ଆସୁଥିବା ଏକ ଆଇନଗତ ଯୁଦ୍ଧ ଶେଷ ହୋଇଛି। ୮୨ ବର୍ଷୀୟା ପତ୍ନୀଙ୍କ ଭାବପ୍ରବଣତାକୁ ସମ୍ମାନ ଦେଇ ଅଦାଲତ ସ୍ବାମୀଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରି ଦେଇଛନ୍ତି।

Advertisment

ଘଟଣାଟି ହେଉଛି, ଜଣେ ପୂର୍ବତନ ବାୟୁସେନା ଅଧିକାରୀ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ଚାହୁଁଥିଲେ। ବର୍ତ୍ତମାନ ତାଙ୍କର ବୟସ ୮୯ ବର୍ଷ। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପତ୍ନୀଙ୍କୁ ମଧ୍ୟ ୮୩ ବର୍ଷ ହୋଇସାରିଛି। ତେବେ ସୁପ୍ରିମକୋର୍ଟରେ ବିତର୍କ ବେଳେ ବୃଦ୍ଧ ପତ୍ନୀ ବିଚାରପତିଙ୍କୁ ତାଙ୍କର ହୃଦୟ ଇଚ୍ଛା ପ୍ରକାଶ କରିଥିଲେ, ଯାହାକି ଅତ୍ୟନ୍ତ ଭାବପ୍ରବଣ ଥିଲା। ପତ୍ନୀ ଜଣକ ଛାଡପତ୍ରର କଳଙ୍କ ମୁଣ୍ଡାଇ ମରିବାକୁ ଚାହୁଁନାହାଁନ୍ତି ବୋଲି କହିବା ପରେ ତାଙ୍କ ଭାବନାକୁ ସମ୍ମାନ ଜଣାଇ ସ୍ବାମୀ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

ଏହି ଦମ୍ପତି ଚଣ୍ଡିଗଡ଼ରେ ରୁହନ୍ତି। ସେମାନଙ୍କ ବିବାହକୁ ୬୦ ବର୍ଷ ବିତିଗଲାଣି। ସେମାନେ ୧୯୬୩ ମସିହାରେ ବିବାହ କରିଥିଲେ। ଜାନୁଆରୀ ୧୯୮୪ରେ ଭାରତୀୟ ବାୟୁସେନା ଅଧିକାରୀ ମାଡ୍ରାସକୁ ସ୍ଥାନାନ୍ତର ନହେବା ପର୍ଯ୍ୟନ୍ତ ସେମାନଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ସ୍ୱାଭାବିକ ଚାଲିଥିଲା। ସ୍ଥାନାନ୍ତର ପରେ ଉଭୟଙ୍କ ମଧ୍ୟରେ ଦୂରତା ଆସିବାରୁ ସେମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ପ୍ରାରମ୍ଭରେ ମହିଳା ତାଙ୍କ ଶଶୁର ଘରେ ଓ ପରେ ପୁଅ ସହିତ ରହିବାକୁ ଲାଗିଲେ।

ଅନେକ ଉଦ୍ୟମ ସତ୍ତ୍ବେ ମତଭେଦ ଏବଂ ବିବାଦର ସମାଧାନ ହୋଇପାରିଲା ନାହିଁ। ଶେଷରେ ସ୍ୱାମୀ ୧୯୯୬ରେ ପତ୍ନୀଙ୍କ ବିରୋଧରେ ଛାଡପତ୍ର ଆବେଦନ କରିଥିଲେ। ପତ୍ନୀ ଜଣେ ଅବସରପ୍ରାପ୍ତ ଶିକ୍ଷକ। ନିମ୍ନ ଅଦାଲତରୁ ଏହି ମାମଲା ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏବଂ ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଆଇନଗତ ପ୍ରକ୍ରିୟା ୨୩ ବର୍ଷ ନେଇଥିଲା। ‌ଶେଷରେ ପତ୍ନୀଙ୍କ ଗୋଟାଏ ଭାବପ୍ରବଣ କଥା ସେମାନଙ୍କ ବିବାହକୁ ବଞ୍ଚାଇ ଦେଇଛି।
ସ୍ୱାମୀ ପତ୍ନୀଙ୍କ ବିରୋଧରେ ଆଣିଥିବା କ୍ରୁରତାର ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି। ସେ ପ୍ରମାଣ କରି ପାରିଲେ ନାହିଁ ଯେ ତାଙ୍କ ପତ୍ନୀ ତାଙ୍କୁ ଅବହେଳା କରିଛନ୍ତି।