ଜଣେ ଅଷ୍ଟ୍ରେଲୀୟ ବ୍ୟକ୍ତି ନିଜ ପୋଷା ସାପ ସହ ସର୍ଫିଙ୍ଗ୍ କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ତାଙ୍କ ଉପରେ ବନ୍ୟପ୍ରାଣୀ ଅଧିକାରୀମାନେ ୧,୫୦୦ ଡଲାର ଜରିମାନା କଷିଛନ୍ତି। ହିଗର ଫିଉଜା ନାମକ ଏହି ସର୍ଫର ନିଜର ୩ ବର୍ଷର ପୋଷା ଅଜଗର ସାପ ‘ଶିବା’ ସହ ଅଷ୍ଟ୍ରେଲିଆର ରେନ୍ବୋ’ ଉପସାଗରରେ ସର୍ଫିଙ୍ଗ୍ର ମଜା ନେଉଥିଲେ।
ଅଜଗରର ଲାଙ୍ଗୁଡ଼କୁ ସର୍ଫିଙ୍ଗ୍ ବୋର୍ଡରେ ବାନ୍ଧି ସେ ଉତ୍ତାଳ ଢେଉ ସବୁ ଭାଙ୍ଗି ଚାଲିଥିଲେ। ଚଳିତ ମାସ ପ୍ରାରମ୍ଭରେ ଏହାର ଭିଡିଓ ଭାଇରାଲ୍ ହେଲା ପରେ ଫିଉଜା ଓ ଶିବା ସ୍ଥାନୀୟ ଅଞ୍ଚଳରେ ଖୁବ୍ ଲୋକପ୍ରିୟ ହୋଇଯାଇଥିଲେ। ଶିବା ତାଙ୍କ ସହ ୧୦ ଥର ସର୍ଫିଙ୍ଗ୍ରେ ଭାଗନେଇଛି ବୋଲି କହି ଫିଉଜା ବାହାବା ନେଉଥିଲେ। ତେବେ ଭିଡିଓଟି ଯେବେ ବନ୍ୟପ୍ରାଣୀ ସୁରକ୍ଷା ଅଧିକାରୀମାନଙ୍କ ନଜରରେ ପଡ଼ିଲା, ଫିଉଜାଙ୍କର ଏହି ଖ୍ୟାତି ଆଉ ବେଶୀ ସମୟ ତିଷ୍ଠି ନଥିଲା।
ଅଧିକାରୀମାନଙ୍କର ଅଭିଯୋଗ ହେଲା, ସାପଟିକୁ ପାଳିବା ପାଇଁ ତାଙ୍କୁ ଅନୁମତି ଦିଆଯାଇଥିଲା, ମାତ୍ର ସର୍ବସାଧାରଣ ସ୍ଥଳକୁ ନେବା ପାଇଁ ନୁହେଁ। ପୋଷା ଜୀବଙ୍କୁ ଏପରି ସର୍ବସାଧାରଣ ସ୍ଥଳକୁ ନେବା ଦ୍ବାରା ସେମାନଙ୍କ ଉପରେ ଅଯଥା ଚାପ ପଡ଼ିବା ସହ ସେମାନେ ଅପ୍ରତ୍ୟାଶିତ ବ୍ୟବହାର ପ୍ରଦର୍ଶନ କରିଥା’ନ୍ତି। ଏଥି ସହିତ ଏହାଦ୍ବାରା ଫିଉଜା ସର୍ବସାଧାରଣଙ୍କ ସୁରକ୍ଷାକୁ ବିପଦରେ ପକାଇବା ସହ ଶିବା ମଧ୍ୟ ସ୍ଥାନୀୟ ବନ୍ୟପ୍ରାଣୀଙ୍କ ଦେହକୁ ରୋଗଜୀବାଣୁ ସଂକ୍ରମଣ କରିଥିବାର ଆଶଙ୍କା ରହିଛି। ତେଣୁ ସେମାନେ ଫିଉଜାଙ୍କୁ ୧,୫୦୦ ଡଲାରର ଜରିମାନା କରିଥିଲେ।