ଦୋଳଯାତ୍ରାରେ ଶ୍ରୀଦୋଳଗୋବିନ୍ଦଙ୍କୁ ନାସିଲଗା ଆମ୍ବକଷି ସମର୍ପଣ କରିବାର ଏକ ବିଧି ଆମ ପରମ୍ପରାରେ ପ୍ରଚଳିତ ଅଛି। ସେହି ଅନୁସାରେ ଶ୍ରୀକ୍ଷେତ୍ର ପୁରୀର ଦୋଳଯାତ୍ରାରେ ଫଗୁଦଶମୀ ଠାରୁ ବିମାନରେ ବିଜେକରିଥିବା ଶ୍ରୀଦେବୀ, ଭୂଦେବୀ ଓ ଶ୍ରୀମଦନମୋହନଙ୍କୁ ଆମ୍ବକଷି ଲାଗି କରାଯାଏ। ଯେଉଁସବୁ ଅଞ୍ଚଳରେ ଶ୍ରୀରାଧାଙ୍କ ସହିତ ଶ୍ରୀକୃଷ୍ଣ ବା ଶ୍ରୀମଦନମୋହନ ଦୋଳଯାତ୍ରାରେ ବିମାନରେ ବାହାରନ୍ତି, ସେ ଅଞ୍ଚଳରେ ମଧ୍ୟ ତାଙ୍କୁ ଏହା ଲାଗି କରାଯାଇଥାଏ। ଅନେକେ ନିଜ ନିଜର ଗୃହଦେବତାଙ୍କୁ କିମ୍ବା ସେଠାର ଇଷ୍ଟଦେବୀ ବା ଇଷ୍ଟଦେବତାଙ୍କୁ ମନ୍ଦିରରେ ମଧ୍ୟ ଏହି ସମର୍ପଣ କରିଥାନ୍ତି।
କିଂବଦନ୍ତିପ୍ରସିଦ୍ଧ, ଯେ ଦାସିଆ ବାଉରି ନିଜ ବାରିର ପ୍ରଥମ ଶ୍ରୀଫଳ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ପଠାଇଥିଲେ ଏବଂ ଶ୍ରୀଜଗନ୍ନାଥ ତାହା ଗ୍ରହଣ କରିଥିଲେ। ଆଦିବାସୀ ସମାଜରେ ମଧ୍ୟ ଏହି ପ୍ରଥା ପ୍ରଚଳିତ ଅଛି। ବସନ୍ତର ନବପଲ୍ଲବ ବା ନବପୁଷ୍ପକୁ ମଧ୍ୟ ସେମାନେ ନିଜ ନିଜର ଆରାଧ୍ୟ ଦେବୀ ବା ଦେବତାଙ୍କୁ ସମର୍ପଣ କରି ଉତ୍ସବ ପାଳନ କରିଥାଆନ୍ତି।
କିଂବଦନ୍ତିପ୍ରସିଦ୍ଧ, ଯେ ଦାସିଆ ବାଉରି ନିଜ ବାରିର ପ୍ରଥମ ଶ୍ରୀଫଳ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ପଠାଇଥିଲେ ଏବଂ ଶ୍ରୀଜଗନ୍ନାଥ ତାହା ଗ୍ରହଣ କରିଥିଲେ। ଆଦିବାସୀ ସମାଜରେ ମଧ୍ୟ ଏହି ପ୍ରଥା ପ୍ରଚଳିତ ଅଛି। ବସନ୍ତର ନବପଲ୍ଲବ ବା ନବପୁଷ୍ପକୁ ମଧ୍ୟ ସେମାନେ ନିଜ ନିଜର ଆରାଧ୍ୟ ଦେବୀ ବା ଦେବତାଙ୍କୁ ସମର୍ପଣ କରି ଉତ୍ସବ ପାଳନ କରିଥାଆନ୍ତି। ବୈଦିକ ସଭ୍ୟତାରୁ ଏ ପରମ୍ପରା ଗଡ଼ିଆସିଛି। ‘ଈଶୋପନିଷଦ’ର ‘ଈଶାବାସ୍ୟମିଦଂ ସର୍ବମ୍...’ରେ ଏହି ଭାବଧାରା ପ୍ରକଟିତ। ଏହି ମନ୍ତ୍ରରେ ଆମକୁ ତିନିଟି ଉପଦେଶ ଦିଆଯାଇଛି। ପ୍ରଥମଟି ହେଉଛି- ଈଶ୍ୱର ସର୍ବବ୍ୟାପୀ ଏବଂ ଆମେ ଯାହା ଦେଖୁଛୁ, ସେସବୁ ଈଶ୍ୱରଙ୍କର ବା ସେ ସବୁ ଈଶ୍ୱର; ଏହା ସ୍ୱୀକାର କରିବା। ଦ୍ୱିତୀୟଟି ହେଉଛି- ଏ ସଂସାରର ପଦାର୍ଥମାନଙ୍କୁ ତ୍ୟାଗପୂର୍ବକ ଭୋଗ କରିବା; ଅର୍ଥାତ୍, ତାହା ଯେ ଆମ ପ୍ରତି ଈଶ୍ୱରଙ୍କର ଦାନ, ଏହା ଅନୁଭବ କରି, ସେସବୁକୁ ତାଙ୍କୁ ସମର୍ପଣ କରି, ତାହାକୁ ତାଙ୍କର ଉଚ୍ଛିଷ୍ଟ ଭାବରେ ଗ୍ରହଣ ବା ଭୋଗ କରିବା। ଏବଂ ତୃତୀୟଟି ହେଉଛି- କୌଣସି ଜିନିଷ ପ୍ରତି ଲୋଭ ନ କରିବା। ଦୋଳଯାତ୍ରାରେ ଶ୍ରୀଦୋଳଗୋବିନ୍ଦଙ୍କୁ ବା ଅନ୍ୟ ଇଷ୍ଟ ଓ ଆରାଧ୍ୟ ଦେବଦେବୀଙ୍କୁ ଆମ୍ବକଷି ସମର୍ପଣ କରିବା ପଛରେ ଏହି ଭାବଧାରା ପ୍ରତିଫଳିତ। ଏଣୁ, ସବୁ ଈଶ୍ୱରଙ୍କର ଦାନ, ଏହା ମନେକରି, ସବୁ ପ୍ରଥମେ ତାଙ୍କୁ ସମର୍ପଣ କରିବା ଏବଂ ପରେ ତାହାକୁ ଭୋଗ କରିବା ଈଶ୍ୱରଙ୍କ ପ୍ରତି ଆମର କୃତଜ୍ଞତାର ଏକ ନିଦର୍ଶନ ମାତ୍ର।