ଏହି ଓଡ଼ିଆ ଝିଅ ପାଇଁ ମା ସାଜିଥିଲେ ସୁଷମା 

ଭୁବନେଶ୍ୱର: ଚାଲିଯାଇଛନ୍ତି ସୁଷମା ସ୍ୱରାଜ, ଝୁରୁଛି ସାରା ଦେଶ | କିନ୍ତୁ ସୁଷମାଙ୍କୁ ସାଧାରଣ ଜନତା ଯେତିକି ମନେ ପକାଉଛନ୍ତି ତାହାଠାରୁ ଢେର ମନେ ପକାଉଛନ୍ତି ଏମିତି କିଛି ଓଡ଼ିଆ ଯାହାଙ୍କୁ ନୂଆ ଜୀବନଦାନ ଦେଇଥିଲେ ସୁଷମା ସ୍ୱରାଜ | ସାଉଦି ଆରବ, ଦୁବାଇ, ନାଇଜେରିଆ ଏସବୁ ଦେଶରେ ଫସି ରହିଥିବା ଓଡ଼ିଆଙ୍କୁ ମୁକୁଳାଇବାରେ ସୁଷମାଙ୍କର ପ୍ରମୁଖ ଭୂମିକା ରହିଥିଲା | କାରଣ ବିଦେଶରେ କାମ କରିବାକୁ ଯାଇ ସେଠାରେ ପ୍ରତାରଣାର ଶିକାର ହେବା ହେଉ ବା ଭିସା ଜନିତ ସମସ୍ୟା ପାଇଁ ଓଡ଼ିଆ ଶ୍ରମିକଙ୍କର ମନେପଡିଛନ୍ତି ସୁଷମା |

ହାତ ଯୋଡି ଅନୁରୋଧ କରିଛନ୍ତି ଓ କାନ୍ଦିଛନ୍ତି, ସୁଷମା ବି ଏମାନଙ୍କର ଦୁଃଖକୁ ବୁଝି ବ୍ୟକ୍ତିଗତ ଭାବେ ସବୁ ପ୍ରକାର ଚେଷ୍ଟା କରିଥିଲେ | ଫସିଥିବା ଦେଶର ଦୂତାବାସକୁ ନିର୍ଦ୍ଦେଶ ଦେବା ସହ ତୁରନ୍ତ ଏହି ଓଡ଼ିଆ ଶ୍ରମିକଙ୍କୁ ମୁକୁଳାଇବାକୁ ଚେଷ୍ଟା କରିଥିଲେ | ସୁଷମାଙ୍କ ଏହି ପ୍ରୟାସ ପାଇଁ ଓଡ଼ିଆ ଶ୍ରମିକମାନେ ବି ନିଜ ଦେଶକୁ ଫେରିପାରିଛନ୍ତି | ଠିକ ସେହିପରି ଆଉ ଏକ ଘଟଣା ବାବଦରେ ଆମେ ଆପଣଙ୍କୁ କହୁଛୁ | ଘଟଣାଟି କିଛି ଏହିପରି | ଜୁନ ୯, ୨୦୧୮ ମସିହାରେ ୫ ବର୍ଷର ଓଡ଼ିଆ ଝିଅଟିଏ ସୁଷମାଙ୍କୁ ଭିଡ଼ିଓଟିଏ ପୋଷ୍ଟ କରିଥିଲା | ଏଥିରେ ସେ ଲେଖିଥିଲା ଯେ ‘ମଲ୍ଟିପଲ ସ୍କ୍ଲେରୋସିସ ରୋଗରେ ପୀଡିତ ହୋଇ ସେ ଦେଖିପାରୁନି | ସୁଷମା ମା ମୋତେ ସାହାଯ୍ୟ କର’ | ସୁଷମା ଏହି ଝିଅଟିର ଭିଡିଓ ଦେଖି କାନ୍ଦି ପକାଇଥିଲେ ଆଉ ଲେଖିଥିଲେ ‘ଝିଅରେ ମୁଁ ତୋ ଭିଡିଓ ଦେଖିଲି, ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହୁଛି ଯେ ସେ ତୁମକୁ ସାହାଯ୍ୟ କରିବେ’ |

ଠିକ ସେହିପରି ଭୁବନେଶ୍ୱରର ଭାଗ୍ୟଶ୍ରୀ ଦାସ ନିଜ ସ୍ୱାମୀଙ୍କୁ ନାଇଜେରିଆରୁ ଜଳଦସ୍ୟୁ ଅପହରଣ କରିଥିବାନେଇ ସୁଷମାଙ୍କୁ ଜଣାଇଥିଲେ | ସୁଷମା ଖୁବଶୀଘ୍ର ନାଇଜେରିଆ ଦୂତାବାସକୁ ନିର୍ଦ୍ଦେଶ ଦେଇଥିଲେ କିଭଳି ତାଙ୍କ ସ୍ୱାମୀ ଫେରିଆସିବେ | ପରେ ତାଙ୍କ ସ୍ୱାମୀ ଅପହରଣକାରୀଙ୍କ କବଳରୁ ମୁକୁଳି ଆସିଥିଲେ | ବୋଧେ ଭାଗ୍ୟଶ୍ରୀଙ୍କୁ ବି ସୁଷମାଙ୍କ ବିୟୋଗ ଘଟଣା କନ୍ଦାଇଦେଇଥିବ |

ସମ୍ବନ୍ଧିତ ଖବର