ଟ୍ଵିଟ୍‌ ରାଣୀ ସୁଷମାଙ୍କ ଫଲୋଇଙ୍ଗ ସଂଖ୍ୟା ‘୦’! ଫଲୋର୍ସ କିନ୍ତୁ ଆକାଶଛୁଆଁ

ନୂଆଦିଲ୍ଲୀ: ଫଲୋ ନ କରି ମଧ୍ୟ କରୁଥିଲେ ଫଇସଲା। ଗୋଟିଏ ଗୋଟିଏ ଟ୍ଵିଟ୍‌ରେ ବଡ଼ ବଡ଼ ସମସ୍ୟାର ହୋଇ ଯାଉଥିଲା ସମାଧାନ। ସାତ ଦରିଆ ସେପାଖରୁ ଆସୁଥିବା ସମସ୍ୟାକୁ ସୋସିଆଲ ମିଡିଆରେ ଗୋଟିଏ କ୍ଲିକରେ ସମାଧାନ କରୁଥିଲେ ସୁଷମା । ସୋସିଆଲ ମିଡିଆରେ ସୁଷମା ଏତେ ଲୋକପ୍ରିୟ ହୋଇ ଯାଇଥିଲେ ଯେ, କୋଟି କୋଟି ଲୋକ ତାଙ୍କୁ ଟ୍ଵିଟର୍‌ରେ ଫଲୋ କରୁଥିଲେ। କିନ୍ତୁ ସେମାନଙ୍କୁ ଫଲୋ କରିବା ବଦଳରେ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ଅଧିକ ଗୁରୁତ୍ୱ ଦେଉଥିଲେ ସୁଷମା। ସାଧାରଣ ଲୋକଙ୍କ କଥା ଛାଡନ୍ତୁ ନିଜର ଦଳୀୟ ସାଥୀ କିମ୍ବା ଦେଶର ଜଣାଶୁଣା ଚେହେରାଙ୍କୁ ମଧ୍ୟ ଫଲୋ କରିନଥିଲେ ସୁଷମା। ତାଙ୍କୁ କିନ୍ତୁ ଟ୍ଵିଟର୍‌ରେ ୧୩ ନିୟୁତରୁ ଅଧିକ ଲୋକ ଫଲୋ କରୁଥିଲେ।

ରାଜନୈତିକ ବ୍ୟାପାରରେ ପ୍ରଯୁକ୍ତି ବିଦ୍ୟାକୁ କିଭଳି ବ୍ୟବହାର କରାଯାଏ, ତାହା ସାରା ଦୁନିଆକୁ ଶିଖାଇଥିଲେ ସୁଷମା। ମୋଦୀ ସରକାରଙ୍କ ପ୍ରଥମ ପାଳିରେ ବୈଦଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ସୁଷମା ସୋସିଆଲ ମିଡିଆକୁ ସାଥୀ କରି ଦେଶର ପ୍ରତିଟି ଘରେ ପହଞ୍ଚିପାରିଥିଲେ। ଗାଁଠାରୁ ଆରମ୍ଭ କରି ସହର, ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧ ଗୋଟିଏ କ୍ଲିକ କରି ସୁଷମାଙ୍କ ନିକଟରେ ନିଜର ଅଭିଯୋଗ ପହଞ୍ଚାଇ ପାରୁଥିଲେ। କେବଳ ଭାରତ ନୁହେଁ ଦେଶ ବାହାରୁ ମଧ୍ୟ ସୁଷମାଙ୍କ ନିକଟକୁ ଆସୁଥିଲା ଶହ ଶହ ଅଭିଯୋଗ। ଆଉ ଏହାକୁ ଚୁଟ୍‌କିରେ ସମାଧାନ କରୁଥିଲେ ସୁଷମା। ଏପରିକି ଶେଷ ନିଶ୍ୱାସ ତ୍ୟାଗ କରିବାର ମାତ୍ର ଚାରିଘଣ୍ଟା ପୂର୍ବରୁ ସେ ଟ୍ଵିଟ୍‌ କରି ଧାରା୩୭୦ ଉଚ୍ଛେଦ ପାଇଁ ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ।

ବିଦେଶରେ ଅତ୍ୟାଚାରର ଶିକାର ହେଉଥିଲେ କିମ୍ବା ଫସି ରହିଥିଲେ ଲୋକଙ୍କ ପ୍ରଥମ ଟ୍ଵିଟ୍‌ ଆସୁଥିଲା ସୁଷମାଙ୍କ ପାଖକୁ। ସମସ୍ୟା ସମାଧାନ କରିବାକୁ ସୋସିଆଲ ମିଡିଆକୁ ବଡ଼ ଅସ୍ତ୍ର କରିଥିଲେ ସୁଷମା। ଅଭିଯୋଗ ଆସିବାର କିଛି ସମୟ ମଧ୍ୟରେ ହିଁ ଏହା ଉପରେ କାର୍ଯ୍ୟ ଆରମ୍ଭ କରୁଥିଲେ ସୁଷମା। ଆଉ ଏହାଦ୍ୱାରା ସୁଷମାଙ୍କ ପ୍ରତି ଲୋକଙ୍କ ମନରେ ବିଶ୍ୱାସ ବଢ଼ିବା ସହ ଭଲପାଇବା ମଧ୍ୟ ବଢ଼ି ଚାଲିଥିଲା।

ସମ୍ବନ୍ଧିତ ଖବର