ହାରିଗଲେ ରାଜପୁତ୍‌ : ପରଦାରେ ଅନ୍ୟମାନଙ୍କୁ ବଞ୍ଚିବାର ରାହା ଦେଖାଉଥିଲେ, ଶେଷରେ…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଶେଷ ଚଳଚ୍ଚିତ୍ର ‘ଛିଛୋରେ’ର କାହାଣୀ ଏବଂ ତାଙ୍କର ଆତ୍ମହତ୍ୟା ଆଜିର ଦିନରେ ଅନେକ ପ୍ରାସଙ୍ଗିକ ରଖୁଛି। ଚଳଚ୍ଚିତ୍ରରେ ତାଙ୍କ ପୁଅ ପଢ଼ାରେ ଅସଫଳ ହେବାରୁ ଆତ୍ମହତ୍ୟା କରିଦେବା ପରେ ତାକୁ ବଞ୍ଚେଇବା ପାଇଁ ସୁଶାନ୍ତ ସଂଘର୍ଷ କରୁଛନ୍ତି। ଏଥିପାଇଁ ସେ ନିଜର ଇଂଜିନିୟରିଂ ବେଳର ସାଙ୍ଗମାନଙ୍କୁ ଡକାଇ ମଜା କରି ପୁଅକୁ ସୁସ୍ଥ କରାଉଛନ୍ତି। ଫେଲ୍‌ ହେବାରୁ ତାଙ୍କ ପୁଅ ଭାଙ୍ଗି ପଡ଼ିଥିବାରୁ ପାଠରେ ଏକଦମ ଭଲ କରିବା ଏକମାତ୍ର ବିକଳ୍ପ ନୁହେଁ ବୋଲି ବିଷାଦଗ୍ରସ୍ତ ପୁଅକୁ ସୁଶାନ୍ତ ବୁଝାଉଥିବା ଦେଖିବାକୁ ମିଳିଛି। ମାତ୍ର ଏହି ଚରିତ୍ରକୁ ଏତେ ଜୀବନ୍ତ କରି ଅନ୍ୟମାନଙ୍କୁ ବଞ୍ଚିବାର ରାହା ଦେଖାଇଥିବା ସୁଶାନ୍ତ ଆଜି ନାହାନ୍ତି। ଶୁଣିବାକୁ ମିଳିଛି ଯେ ସେ ୬ ମାସ ଧରି ବିଷାଦଗ୍ରସ୍ତ ଥିବାରୁ ଆତ୍ମହତ୍ୟା କରିଛନ୍ତି। ତେବେ ପରଦାରେ ନିଜର ଯାଦୁକରୀ ଅଭିନୟରେ ସେ ଅନେକଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି। ତାଙ୍କର ବାସ୍ତବ ଅଭିନୟ ତାଙ୍କୁ ସବୁବେଳେ ବଞ୍ଚାଇ ରଖିବ।

Filmfare.com

ଇଂଜିନିୟରିଂରେ ୩ ବର୍ଷ ପଢ଼ିବା ପରେ ଅଭିନୟ ପାଇଁ ପାଠ ଛାଡ଼ିଲେ
ସୁଶାନ୍ତ ଫିଜିକ୍ସରେ ଜାତୀୟସ୍ତରୀୟ ଅଲିମ୍ପିୟାଡ୍‌ ବିଜେତା ହୋଇଥିଲେ ଏବଂ ସେ ୧୧ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ଦିଲ୍ଲୀ ସ୍କୁଲ୍‌ ଅଫ ଇଂଜିନିୟରିଂରେ ୩ବର୍ଷ ପଢ଼ା ପରେ ସେ ପଢ଼ା ଛାଡ଼ି ଦିଲ୍ଲୀର ବ୍ୟାରି ଜନ୍ ଅଭିନୟ ବିଦ୍ୟାଳୟରୁ ଅଭିନୟ ଶିକ୍ଷା ନେଇଥିଲେ। ଦିଲ୍ଲୀରେ ଥିବା ବେଳେ ସେ ନାଦିରା ବବ୍ବରଙ୍କ ‘ଏକଜୁଟ’ ଥିଏଟର୍‌ ଗ୍ରୁପ୍‌ରେ ଯୋଗ ଦେଇଥିଲେ। ଏହାବ୍ୟତୀତ ଶିଆମକ୍‌ ଡାଭର୍‌ଙ୍କ ନୃତ୍ୟ ଦଳରେ ମଧ୍ୟ ସାମିଲ୍‌ ହୋଇଥିଲେ। ଜ୍ୟୋତିର୍ବିଜ୍ଞାନରେ ମଧ୍ୟ ତାଙ୍କର ବେଶ୍‌ ଆଗ୍ରହ ଥିଲା। ଏହାବ୍ୟତୀତ ସେ ୨୦୧୮ରେ ବୋଇଙ୍ଗ ୭୩୭ ଫିକ୍ସଡ ବେସ୍‌ଡ ଫ୍ଲାଇଟ୍‌ ସିମୁଲେଟର କିଣିଥିଲେ।

Fuzion Productions

କିସ ଦେଶ୍‌.. ରୁ ଡ୍ରାଇଭ୍‌
ସୁଶାନ୍ତ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ‘କିସ୍‌ ଦେଶ ମେଁ ହୈ ମେରା ଦିଲ୍‌’ରୁ। ମାତ୍ର ଜି-ଟିଭିରେ ‘ପବିତ୍ର ରିସ୍ତା’ରେ ମାନବ ଦେଶମୁଖ ଭୂମିକାରେ ତାଙ୍କର ଅଭିନୟ ତାଙ୍କୁ ପରିଚିତି ଆଣିଦେଇଥିଲା। ଏହାବ୍ୟତୀତ ତାଙ୍କୁ ଟିଭି ‘ଝଲକ ଦିଖଲା ଜା’ ସିଜିସନ୍‌ ପୋର୍‌ ଓ ‘ଜରା ନଚକେ ଦେଖା’ରେ ମଧ୍ୟ ଦେଖିବାକୁ ମିଳିଥିଲା। ‘କାଇ ପୋ ଚେ’ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତା (ଡେବ୍ୟୁ) ପୁରସ୍କାର ଲାଭ କରିଥିଲେ। ଏହାପରେ ‘ଶୁଦ୍ଧ ଦେଶୀ ରୋମାନ୍‌ସ’, ପିକେ, ଡିଟେକ୍ଟିଭି ବ୍ୟୋମକେଶ ବକ୍ସିରେ ଅଭିନୟ କଲେ। ତେବେ ନିରଜ ପାଣ୍ଡେଙ୍କ ନିର୍ମିତ ‘ଏମ୍‌ଏସ୍‌ ଧୋନି: ଦି ଅନଟୋଲ୍‌ଡ ଷ୍ଟୋରି’ ତାଙ୍କୁ ବଲିଉଡ୍‌ରେ ଅଜସ୍ର ସଫଳତା ଆଣିଦେଲା। ସୁଶାନ୍ତ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ହିରାନୀ, ନିତେଶ ତିୱାରୀ, ଅଭିଷେକ ଚୌବେ, ଦିବାକର ବାନାର୍ଜୀଙ୍କ ସହ ମଧ୍ୟ କାମ କରିଛନ୍ତି। ରୂପେଲି ପରଦାରେ ସେ ଶେଷଥର ପାଇଁ ନିତେଶ ତିୱାରୀଙ୍କ ‘ଛିଛୋରେ’ ଚଳଚ୍ଚିତ୍ରରେ ଶ୍ରଦ୍ଧା କପୁରଙ୍କ ସହ ଅଭିନୟ କରି ମନ ଜିଣିଥିଲେ। ଶେଷରେ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ‘ଡ୍ରାଇଭ’ରେ ତାଙ୍କୁ ଜାକଲିନଙ୍କ ସହ ଦେଖିବାକୁ ମିଳିଥିଲା।

DNA India

ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ମା’ଙ୍କୁ ଶ୍ରଦ୍ଧାଞ୍ଜଳି
ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଆଜି ବଲିଉଡ୍‌ସମେତ ତାଙ୍କର ଫ୍ୟାନ୍‌ମାନଙ୍କୁ ସ୍ତବ୍ଧ କରିଦେଇଛି। ସୁଶାନ୍ତ ଗତ ଜୁନ୍‌ ୩ ତାରିଖରେ ତାଙ୍କ ମା’ଙ୍କ ପାଇଁ ଶେ‌ଷ ଇନ୍‌ଷ୍ଟାଗ୍ରାମ୍‌ ‌ପୋଷ୍ଟ୍‌ କରିଥିଲେ। ଏହି ଇନ୍‌ଷ୍ଟା‌ଗ୍ରାମ୍‌ ପୋଷ୍ଟ୍‌ରେ ସୁଶାନ୍ତ ସିାଂହ ତାଙ୍କ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ୨୦୦୨ରେ ସୁଶାନ୍ତଙ୍କ ମା’ଙ୍କ ପରଲୋକ ହୋଇଥିଲା। ସୁଶାନ୍ତ ତାଙ୍କ ମା’ଙ୍କ ପାଇଁ ହୃଦୟରୁ ଏକ କବିତା ଲେଖିଥିଲେ। ମା’ଙ୍କର ଏକ ଫଟୋ ସହ ସୁଶାନ୍ତ ନିଜର ଫଟୋ ଦେଇଥିଲେ ଏବଂ ଏହାର କ୍ୟାପ୍‌ସନ୍‌ ରଖିଥିଲେ- ‘ଅସ୍ପଷ୍ଟ ଅତୀତ ଲୁହ ରୂପରେ ବାଷ୍ପ ପାଲଟି ଅଦୃଶ୍ୟ ହୋଇଯାଉଛି, ହସର ପରିପ୍ରକାଶ ପାଇଁ ଅସୀମିତ ସ୍ବପ୍ନ, କିନ୍ତୁ ଜୀବନର କିଛି ଠିକଣା ନାହିଁ। ଉଭୟଙ୍କ ମଧ୍ୟରେ ମୁଁ ଏବେ ବୁଝାମଣା କରୁଛି … ମା’। ସୁଶାନ୍ତ ସିଂହ ତାଙ୍କ ମା’ଙ୍କ ମୃତ୍ୟୁପରେ ଭାଙ୍ଗି ପଡ଼ିଥିଲେ ଏବଂ ସେହିବର୍ଷ ହିଁ ତାଙ୍କ ପରିବାର ପାଟ୍‌ନାରୁ ଦିଲ୍ଲୀ ଚାଲି ଆସିଥିଲେ।

୧୭ ବର୍ଷ ପରେ ସେ ମା’ଙ୍କ ଇଚ୍ଛା ପୂରଣ ପାଇଁ ଗାଁ’କୁ ଯାଇଥିଲେ
୧୭ବର୍ଷ ପରେ ସୁଶାନ୍ତ ଗତବର୍ଷ ବିହାରସ୍ଥିତ ନିଜ ଗ୍ରାମ ମାଲଡିହାସ୍ଥିତ ପୂର୍ଣ୍ଣିଆକୁ ଫେରିଥିଲେ। ନିଜ ମା’ ଓ ଜେଜେ ମା’ଙ୍କ ଇଚ୍ଛା ପୂରଣ ଲକ୍ଷ୍ୟ ନେଇ ଫେରିଥିବା ସୁଶାନ୍ତ ସଂସ୍କାର ପାଇଁ ଚୁଟିକୁ ଛୋଟେଇ ଦେଇଥିଲେ। ସୁଶାନ୍ତ କେବଳ ନିଜ ପରିବାର ସହ ସମୟ କାଟି ନଥିଲେ, ନିଜ ପ୍ରଶଂସକଙ୍କ ଗହଣରେ ମଧ୍ୟ ସମୟ କଟାଇଥିଲେ ଓ ଫଟୋ ପାଇଁ ପୋଜ୍‌ ଦେଇଥିଲେ। ସୁଶାନ୍ତଙ୍କ ମା’ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସହ ସୁଶାନ୍ତ ପାଟନାରୁ ଦିଲ୍ଲୀ ଚାଲି ଯାଇଥିଲେ। ଗତବର୍ଷ ନିଜ ମା’ଙ୍କ ପୁରୁଣା ଘରକୁ ଆସି ସେଠାରେ କିଛି ସମୟ କାଟିଥିଲେ। ମାଲଡିହାରେ ସେ ଦୁଇଦିନ ନିଜ ସମ୍ପର୍କୀୟଙ୍କ ସହ ରହିଥିଲେ।

Filmy One

ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ମଧ୍ୟ ଆତ୍ମହତ୍ୟା କରିଥିଲେ
ନୂଆଦିଲ୍ଲୀ : ସୁଶାନ୍ତ ସିଂହ ରାଜପୁତ ଆଜି ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ତେବେ ଗତ ୮ ତାରିଖରେ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନ୍‌ ଏକ ୧୪ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଆତ୍ମହତ୍ୟା ସମୟରେ ସେ ତାଙ୍କ ଭାବି ସ୍ବାମୀଙ୍କ ସହ ଥିଲେ। ଦିଶାଙ୍କ ମୃତ୍ୟୁ ଘଟଣାରେ ସୁଶାନ୍ତ ସିଂହ ଗଭୀର ଶୋକ ପ୍ରକାଶ କରିଥିଲେ। ସୁଶାନ୍ତ ସିଂହ କହିଥିଲେ , ଏହା ଅତି ହୃଦୟବିଦାରକ ଖବର। ଦିଶାଙ୍କ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ସମବେଦନା। ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛି ବୋଲି ସୁଶାନ୍ତ ସିଂହ କହିଥିଲେ।

ସମ୍ବନ୍ଧିତ ଖବର