ମୃତ୍ୟୁ ଖବର ଶୁଣି କୁନି ଭଣଜା କହିଲା, ମାମୁ ହୃଦୟରେ ଅଛନ୍ତି

ସୁଶାନ୍ତଙ୍କ ମର ଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଛି, ମାତ୍ର ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ‌ଚର୍ଚ୍ଚା ଥମୁନାହିଁ। ଆମେରିକାରେ ରହୁଥିବା ସୁଶାନ୍ତଙ୍କ ଭଉଣୀ ଶ୍ବେତା ଏକ ଭାବପ୍ରବଣ ବାର୍ତା ଫେସବୁକ୍‌ରେ ଛାଡ଼ିଛନ୍ତି। ଶ୍ବେତା ଲେଖିଛନ୍ତି, ମୁଁ ମୋ ପୁଅ ନିର୍ବାଣକୁ କହିଲି, ମାମୁ ଆଉ ନାହାନ୍ତି। ଏହାର ଜବାବରେ ୫ବର୍ଷୀୟ ନିର୍ବାଣ କହିଥିଲେ ‘ସେ ତୁମ ହୃଦୟରେ ଅଛନ୍ତି’। ଥରେ ନୁହେଁ ୩ଥର ସେ ଏହାକୁ କହିଥିଲେ। ଯଦି ୫ବର୍ଷୀୟ ନିର୍ବାଣ ଏହା କହୁଛନ୍ତି, ତେବେ ଆମକୁ କେତେ ଧୈର୍ଯ୍ୟ ଧରିବାକୁ ପଡ଼ିବ। ତେଣୁ ସୁଶାନ୍ତଙ୍କ ପ୍ରଶଂସକମାନଙ୍କୁ ଅନୁରୋଧ ସେମାନେ ବୁଝନ୍ତୁ ଯେ ସେ ଆମ ହୃଦୟରେ ସବୁବେଳେ ରହିବେ। ଏମିତି କିଛି କରନାହିଁ, ଯାହା ତାଙ୍କ ଆତ୍ମାକୁ କଷ୍ଟ ଦେବ।

୫ ପ୍ରଯୋଜନା ସଂସ୍ଥାକୁ ସମନ୍‌
ମୁମ୍ବାଇ ପୁଲିସ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଚାଲିଥିବା ଚର୍ଚ୍ଚାକୁ ନେଇ ୫ଟି ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥାକୁ ସମନ୍‌ ପଠାଇଛନ୍ତି। ସେମାନଙ୍କର ମତାମତ ରେକର୍ଡ କରାଯିବା ପାଇଁ ଆଜି ପୁଲିସ ପକ୍ଷରୁ ଏହା କରାଯାଇଛି। ସୁଶାନ୍ତ ଚୁକ୍ତିବଦ୍ଧ ହୋଇଥିବା ଫିଲ୍ମ କାହିଁକି ହରାଇଲେ ସେନେଇ ପଚରା ଉଚରା କରାଯିବ। ସଞ୍ଜୟ ନିରୁପମ ଅଭିଯୋଗ ଆଣିଥିଲେ ଯେ ସୁଶାନ୍ତ ‘ଛିଛୋରେ’ ଫିଲ୍ମର ସଫଳତା ସତ୍ତ୍ବେ ୭ଟି ଫିଲ୍ମ ହରାଇଥିଲେ। ଏହି ଆଧାରରେ ପୁଲିସ ଏପରି ନିଷ୍ପତ୍ତି ନେଇଛି।

ସୁଶାନ୍ତଙ୍କ ବିଚାର ବୟାନ କରିବ ନୂଆ ୱେବସାଇଟ୍‌
ସୁଶାନ୍ତଙ୍କ ଚିନ୍ତାଧାରା ଓ ବିଚାରକୁ ବୟାନ କରିବା ପାଇଁ ସୁଶାନ୍ତଙ୍କ ସହଯୋଗୀ ଟିମ୍‌ ଏକ ନୂତନ ୱେବସାଇଟ୍‌ ‘selfmusing.com’ ପ୍ରସ୍ତୁତ କରିଛନ୍ତି। ସୁଶାନ୍ତଙ୍କ ଟିମ୍‌ ସଦସ୍ୟମାନେ କହିଛନ୍ତି, ଏହା ତାଙ୍କର ସ୍ବପ୍ନ ଥିଲା। ଏହାକୁ ସୁଶାନ୍ତଙ୍କ ଫେସବୁକ୍‌ ପେଜ୍‌ରେ ସେୟାର କରିବା ସହ ଲେଖାଯାଇଛି, ସୁଶାନ୍ତ ଆମଠୁ ଅଫେରା ଦୁନିଆକୁ ଚାଲି ଯାଇଛନ୍ତି କିନ୍ତୁ ଆମ ହୃଦୟରେ ଅଛନ୍ତି। ଏଥିରେ ତାଙ୍କର ଚିନ୍ତା, ବିଚାର, ସ୍ବପ୍ନ, ଇଚ୍ଛାଗୁଡ଼ିକ ପୋଷ୍ଟ କରାଯିବ। ଯାହା ସୁଶାନ୍ତ ଲୋକଙ୍କୁ ଜଣାଇବାକୁ ଚାହୁଁଥିଲେ ସେସବୁକୁ ଏହି ୱେବସାଇଟ୍‌ରେ ସେୟାର କରାଯିବ।

ସମ୍ବନ୍ଧିତ ଖବର