ଆତ୍ମହତ୍ୟା ପଛର ଗୁମର : ବଲିଉଡ୍‌ରେ ‘ଭେଦଭାବ’ର ଶିକାର ହୋଇଥିଲେ ସୁଶାନ୍ତ!

ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ଏହା ପଛର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। ବଲିଉଡ୍‌ରେ ହେଉଥିବା ସ୍ବଜନ ତୋଷଣ (ନେପୋଟିଜିମ୍‌) ବା ‘ଭେଦଭାବ’ ଯୋଗୁଁ ସୁଶାନ୍ତ ଏଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି ‌ବୋଲି ଅନେକ ରାଜନେତା ଓ ଅଭିନେତା ସିଧାସଳଖ ଅଭିଯୋଗ କରିବା ସହ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ଶେଖର କପୁର, ଅଭିନବ କଶ୍ୟପ, ଅନୁଭବ ସିହ୍ନା, ରଣବୀର ସୁରୀ ଓ କଙ୍ଗନା ରଣାୱତ୍‌ ଭଳି ବଲିଉଡ୍‌ର ଜଣାଶୁଣା ନିର୍ଦେଶକ, ଅଭିନେତା ଏହି ପ୍ରସଙ୍ଗ ଉଠାଇବା ପରେ ସଲମାନ୍ ଖାନ୍ ଓ କରନ୍ ଜୋହରଙ୍କ ଭଳି ବଡ଼ ବଡ଼ ଅଭିନେତା ଓ ନିର୍ଦ୍ଦେଶକଙ୍କୁ ମଧ୍ୟ ଦାୟୀ କରିବାକୁ ଲୋକେ ପଛାଇ ନାହାନ୍ତି।

ମାତ୍ର ୭/୮ବର୍ଷର ବଲିଉଡ୍‌ କ୍ୟାରିଅର୍‌ରେ ସୁଶାନ୍ତ ଗୋଟେ ପରେ ଗୋଟେ ହିଟ୍‌ ‌ଫିଲ୍ମ ଭେଟି ଦେଉଥିଲେ। ବିଶେଷକରି ଗତବର୍ଷ ପରଦାକୁ ଆସିଥିବା ତାଙ୍କ ଅଭିନୀତ ‘ଛିଛୋରେ’କୁ ବିପୁଳ ସଫଳତା ମିଳିଥିଲା। ମାତ୍ର ସ୍ଥିତି ଏମିତି ହେଲା ଯେ, ସେ ଚୁକ୍ତିବଦ୍ଧ ହୋଇଥିବା ୭ଟି ଫିଲ୍ମ ତାଙ୍କ ହାତରୁ କାଢ଼ି ନିଆ ଯାଇଥିଲା। ଯାହାକୁ ନେଇ ସମ୍ଭବତଃ ଭାଙ୍ଗି ପଡ଼ିଥିଲେ ସୁଶାନ୍ତ। ରାଜନେତା ସଞ୍ଜୟ ନିରୁପମ ଏ କଥା ଟ୍ବିଟ୍‌ କରିବା ପରେ ସାରା ଦେଶରେ ଏହା ଝଡ଼ ସୃଷ୍ଟି କରିଛି।

ଏହା ବ୍ୟତୀତ ଅଭିନେତ୍ରୀ କଙ୍ଗନା ରଣାୱତ ଏକ ଭିଡିଓ ଜାରି କରି ସୁଶାନ୍ତଙ୍କ ଏକ ଟ୍ବିଟ୍‌ ବାବଦରେ ଯେଉଁ ବିସ୍ଫୋରକ ମତ ରଖିଛନ୍ତି, ତାହା ମଧ୍ୟ ଏ ସନ୍ଦେହକୁ ଆହୁରି ଘନୀଭୂତ କରିଛି। ‌ ସୁଶାନ୍ତ କହିଥିଲେ, ମୋର ବଲିଉଡରେ କୌଣସି ଗଡ୍‌ଫାଦର ନାହାନ୍ତି। ମତେ କାହିଁକି ଏ ଇଣ୍ଡଷ୍ଟ୍ରି ଆପଣାଉ ନାହିଁ? ଏହା କ’ଣ ଆତ୍ମହତ୍ୟା ପଛରେ ଲୁଚି ରହିଥିବା ଏକ କାରଣ ନୁହେଁ କି ବୋଲି କଙ୍ଗନାର ପ୍ରଶ୍ନ କରିଛନ୍ତି। ‘ଗଲି ବୟ’ ଭଳି ସାଧାରଣ ଫିଲ୍ମକୁ ପୁରସ୍କାର ମିଳୁଛି, କିନ୍ତୁ ସୁଶାନ୍ତ ‘ଛିଛୋରେ’ ଭଳି ଏତେ ଭଲ ଫିଲ୍ମ ଭେଟି ଦେଇଥିଲେ ମଧ୍ୟ ତାଙ୍କୁ ପୁରସ୍କାରଟିଏ ମିଳିଲା ନାହିଁ। କାହାର ବଦାନ୍ୟତା ଆମକୁ ଲୋଡ଼ା ନାହିଁ, କିନ୍ତୁ ନିଜେ ବି ଯଦି କିଛି କାମ କରୁଛି, ତେବେ ଆମ ପ୍ରତି ଏ ଅବିଚାର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି?

‘ସୋନଚିଡ଼ିୟା’ରେ ସୁଶାନ୍ତଙ୍କ ସହ ଅଭିନୟ କରିଥିବା ଅଭିନେତା ରଣବୀର ସୁରୀ ଲେଖିଛନ୍ତି, କିଏ ତାରକା ହେବ ବଲିଉଡ୍‌ର ସଂଭ୍ରାନ୍ତ କ୍ଲବ୍‌ ତା’ର ନିଷ୍ପତ୍ତି ନେଉଛି। ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଓ ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ ସପ୍‌ନା ଭବ୍‌ନାନୀ ମଧ୍ୟ ନେପୋଟିଜିମ ନେଇ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର