ସୁଶାନ୍ତ ବିଷାଦଗ୍ରସ୍ତ ଥିବା ତାଙ୍କ ବାପା ଜାଣିନଥିଲେ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବହୁ ସାମ୍ଭାବ୍ୟ ଦିଗକୁ ନେଇ ଚର୍ଚ୍ଚା ହେଉଛି। ପୁଲିସ ‌ତାଙ୍କ ଫ୍ଲାଟ୍‌ରୁ ପ୍ରେସକ୍ରିପସନ ସହ କିଛି ମେଡିସିନ ବି ଜବତ କରିଛି। ଯାହା ସୁଶାନ୍ତ ଅବସାଦଗ୍ରସ୍ତ ଥିବା ଯୋଗୁଁ ଖାଉଥିବା ଜଣାପଡ଼ିଛି। ମାତ୍ର ସୁଶାନ୍ତ ଅବସାଦଗ୍ରସ୍ତ ଥିବା ତାଙ୍କ ବାପା ଜାଣିନଥିବା କହିଛନ୍ତି। ସୁଶାନ୍ତ ବାପା ଓ ତାଙ୍କ ଦୁଇ ଭଉଣୀକୁ ମୁମ୍ବାଇ ପୁଲିସ ପଚରାଉଚରା କରିଥିଲା। ଏହାକୁ ନେଇ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ନିଜ ଟ୍ବିଟରରେ ଲେଖିଛନ୍ତି, ସୁଶାନ୍ତ ଫାଶୀ ଲଗେଇ ଆତ୍ମହତ୍ୟା କରିଥିବା ବେଳେ ଗଣମାଧ୍ୟମରେ ସେ ନିଜର ପେସାଗତ ଜୀବନକୁ ନେଇ ଅବସାଦଗ୍ରସ୍ତ ଥିବା କଥା କୁହାଯାଉଛି। ମୁମ୍ବାଇ ପୁଲିସ ଏହାର ଯାଞ୍ଚ କରିବ ବୋଲି ସେ କହିଛନ୍ତି।

ନିଜ ଟି-ସାର୍ଟରେ ମନର ଅଭିବ୍ୟକ୍ତି ରଖୁଥିଲେ ସୁଶାନ୍ତ
ଅନେକ ସମୟରେ ନିଜ ମନର ଅକୁହା କଥାକୁ ବିଚିତ୍ର ସ୍ଲୋଗାନ ମାଧ୍ୟମରେ ସୁଶାନ୍ତ ଦେଖାଇବାକୁ ଚେଷ୍ଟା କରୁଥିଲେ। ନିଜ ଟି-ସାର୍ଟରେ ସେ ଏମିତି କିଛି କଥା ବୟାନ କରୁଥିଲେ, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପିନ୍ଧୁଥିବା ଟି-ସାର୍ଟରେ ଦେଖିବାକୁ ମିଳିଥିବା ସ୍ଲୋଗାନ ମଧ୍ୟରେ ଚର୍ଚ୍ଚାରେ ରହିଛି ‘ଏକୁଟିଆ ଆରାମରେ’, ‘ମୋ ବାମ ଓ ଡାହାଣ ପାର୍ଶ୍ବରେ ଥିବା ଭାଇମାନେ ଏକାଠି ହୋଇ ଲଢ଼େଇ କରିବା’, ‘ସତ୍ୟ ହିଁ ମୁକ୍ତି ଦେବ’, ‘ପାଗଳ’, ‘ହେଟ/ଲଭ ୟୁ’, ‘ସ୍ବପ୍ନଦର୍ଶୀ’ ଓ ‘ଫଟୋ ପାଇଁ ଅନୁମତି ନାହିଁ’।

କରନ, ସଲମନ, ଆଲିଆଙ୍କ କୁଶ ପୁତ୍ତଳିକା ଦାହ
ସୁଶାନ୍ତଙ୍କ ମୃତ୍ୟୁ ବଲିଉଡରେ ଝଡ଼ ସୃଷ୍ଟି କରିଛି। ନେପୋଟିଜିମକୁ ନେଇ ଢେର ଚର୍ଚ୍ଚା ଚାଲିଥିବା ବେଳେ ସୁଶାନ୍ତ ନିଜ ଇଣ୍ଡଷ୍ଟ୍ରିର ଲୋକଙ୍କର ତୋଷଣର ଶିକାର ହୋଇଥିବା ଦାବିରେ ଆଜି କିଛି ବ୍ୟକ୍ତିବିଶେଷ ପାଟନାରେ ଧାରଣା ଦେଇଛନ୍ତି। କରନ ଜୋହର, ଆଲିଆ ଭଟ୍ଟ ଓ ସଲମନ ଖାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। କଙ୍ଗନା ରାଣାୱତ, ସୈଫ ଅଲ୍ଲୀ ଖାନ, ରଣବୀର ସୁରୀ ବଲିଉଡ୍‌ର କଳା ଦିଗ ସମ୍ବନ୍ଧରେ ମତ ରଖିବା ପରେ ଏହା ସୁଶାନ୍ତଙ୍କ ପ୍ରଶଂସକଙ୍କୁ ତେଜାଇ ଦେଇଛି।

ଅଭିନବ କାଶ୍ୟପଙ୍କ ଆରୋପ ପରେ ସଲିମ ଖାନଙ୍କ ରାଗ
‌ସୁଶାନ୍ତଙ୍କ ମୃତ୍ୟୁ ପରେ ନେପୋଟିଜିମକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ଏହି ଅବସରରେ ସଲମନ ଖାନଙ୍କ ‘ଦବଙ୍ଗ’ ଚଳଚ୍ଚିତ୍ରର ନିର୍ଦେଶକ ଅଭିନବ କାଶ୍ୟପ ସଲମନ ଖାନଙ୍କ ପରିବାର ଉପରେ ଗମ୍ଭୀର ଆରୋପ ଲାଗଇଛନ୍ତି। ତାଙ୍କ କ୍ୟାରିୟର ବିଗାଡ଼ି ଦେବାରେ ସଲମନଙ୍କ ପରିବାର ଅଛି ବୋଲି ସେ କହିଛନ୍ତି। ଫଳରେ ତାଙ୍କୁ ଦବଙ୍ଗ-୨ରେ ସୁଯୋଗ ମିଳିନଥିଲା ବୋଲି ସେ କହିଛନ୍ତି। ସଲମନ ଖାନ, ଅରବାଜ ଖାନ, ସୋହେଲ ଖାନଙ୍କ ସମେତ ସଲିମ ଖାନଙ୍କ ଉପରେ ଆରୋପ ଲଗାଇଛନ୍ତି। ଏହାର ଜବାବରେ ସଲିମ ଖାନ କହିଛନ୍ତି, ସେ ମୋ ଜେଜେ ଓ ଅଣଜେଜେଙ୍କ ନାମ ଜାଣିନାହାନ୍ତି। ନଚେତ ତାଙ୍କ ଉପରେ ମଧ୍ୟ ଆରୋପ ଲଗାଇ ଦେଇଥାଆନ୍ତେ।

ସମ୍ବନ୍ଧିତ ଖବର