ବାରିଷ୍ଟର କୁମୁଦନାଥ ସେନ୍‌ଗୁପ୍ତ ଓ ସ୍ନେହଲତାଙ୍କ କନ୍ୟା ଥିଲେ ନୁମା (ମାଳତୀ ଚୌଧୁରୀ)। ମା’ ଥିଲେ ଉଚ୍ଚଶିକ୍ଷିତା। ମାତ୍ର ୩ ବର୍ଷ ବୟସରେ ବାପାଙ୍କୁ ହରାଇଥିବା ନୁମାଙ୍କ ବାଲ୍ୟକାଳର ଆଦର୍ଶ ପାଲଟିଥିଲେ ତାଙ୍କ ମା’ ସ୍ନେହଲତା। ୧୯୨୦ ମସିହାରେ ବେଥୁନ୍‌ ସ୍କୁଲରୁ ୧୦ମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ସେ ଉଦ୍‌ବୁଦ୍ଧ ହୋଇଥିଲେ। ବିଦେଶରେ ପାଠ ପଢ଼ିବାକୁ ଅମଙ୍ଗ ନୁମା ବିଶ୍ବକବି ରବୀନ୍ଦ୍ରନାଥଙ୍କ ଶାନ୍ତି ନିକେତନରେ ନାମ ଲେଖାଇଥିଲେ। ଏହି ଅନୁଷ୍ଠାନ ହିଁ ତାଙ୍କ ଜୀବନସାଥୀ ନବକୃଷ୍ଣ ଚୌଧୁରୀଙ୍କ ସହ ନୁମାଙ୍କୁ ଭେଟାଇଥିଲା। ବିଶିଷ୍ଟ ଅର୍ଥନୀତିଜ୍ଞ ତାରକନାଥ ଦାସ ଗ୍ରାମ୍ୟ ଅର୍ଥନୀତି ଉପରେ ଭାଷଣ ଦେବା ପାଇଁ ଶାନ୍ତି ନିକେତନ ଆସୁଥିବାର ଖବର ପାଇ ମହାତ୍ମା ଗାନ୍ଧୀ ନବବାବୁଙ୍କୁ ସେଠାକୁ ପଠାଇଥିଲେ। ଏଇଠାରେ ହିଁ ନୁମାଙ୍କ ସହ ନବବାବୁଙ୍କ ପରିଚୟ ହୋଇଥିଲା ଓ ଘନିଷ୍ଠତା ବଢ଼ିଥିଲା। ଶାଶୁଙ୍କ ବାରଣ ଓ ବଡ଼ଯାଆ ରମାଦେବୀଙ୍କ ସମର୍ଥନକ୍ରମେ ୧୯୨୭ ମସିହା ଜୁଲାଇ ମାସରେ ନିରାଡ଼ମ୍ବର ଭାବେ ଉଭୟଙ୍କ ବିବାହ ଶେଷ ହୋଇଥିଲା। ଯେଉଁ ଶାଶୁ ତାଙ୍କୁ ବୋହୂ କରିବାକୁ ରାଜି ନ ଥିଲେ, ତାଙ୍କୁ ନୁମା ନିଜ ପ୍ରଚଣ୍ଡ ପ୍ରତିଭା ଓ ଗୁଣ ବଳରେ ଆପଣାର କରିପାରିଥିଲେ। ବୀଣାବାଦନରେ ଦକ୍ଷା ନୁମା ପ୍ରତିଦିନ ସଂଧ୍ୟାରେ ବୀଣାବାଦନ ସହ ରବୀନ୍ଦ୍ର ସଙ୍ଗୀତ ଗାନ କରି ସମସ୍ତଙ୍କ ମନ ଜିଣିପାରିଥିଲେ। ସମୟାନୁବର୍ତ୍ତିତା, ମଧୁର ବ୍ୟବହାର ଓ ସହନଶୀଳତା ଥିଲା ତାଙ୍କର ମହାଅସ୍ତ୍ର।

Advertisment

ଘରର ଯୁଦ୍ଧ ତ’ ସେ ଜିତି ଯାଇଥିଲେ, ଏବେ ଆରମ୍ଭ ହୋଇଯାଇଥିଲା ଦେଶ ଓ ସମାଜ ପାଇଁ ତାଙ୍କର ଅବିରତ ସଂଗ୍ରାମ। ସ୍ବାମୀ ନବକୃଷ୍ଣ ଚୌଧୁରୀ ଓ ବଡ଼ଝିଅ ଉତ୍ତରାଙ୍କୁ ନେଇ ଜଗତ୍‌ସିଂହପୁର ଜିଲ୍ଲା ତରିକୁଦ ଗ୍ରାମରେ ରହଣି ସମୟରେ ଉଭୟ ଦମ୍ପତି ଆଖୁଚାଷ ଓ ନୂଆ ଧରଣର ଗୁଡ଼ ରାନ୍ଧିବା ଆରମ୍ଭ କରିଥିଲେ। ଗାଁ ଚାଷୀଙ୍କ ସହ ଆତ୍ମୀୟତା ବଢ଼ାଇବା, ବିଭିନ୍ନ କୁସଂସ୍କାର ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଓ ଛୋଟ ଛୁଆଙ୍କୁ ପାଠ ପଢ଼ାଇବାରେ ଉଭୟଙ୍କ ସମୟ କଟୁଥିଲା। ୧୯୩୦ ମସିହାରେ ବଡ଼ଯାଆ ରମାଦେବୀଙ୍କ ସହ ମିଶି ଶ୍ରୀତଙ୍ଗ, ରସାଳପୁର ଓ କଟକ ଜିଲ୍ଲାର କୁଜଙ୍ଗ ଆଦି ସମୁଦ୍ର ତଟପର୍ତ୍ତୀ ଅଞ୍ଚଳରେ ମହିଳାଙ୍କୁ ସଂଗଠିତ କରି ଲବଣ ଆଇନ ଭଙ୍ଗ କରିବାର ଯୋଜନା କରିଥିଲେ।

୧୯୩୩ରେ ଗଠିତ ‘ଉତ୍କଳ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ’ର ମୁଖପତ୍ର ତଥା ଓଡ଼ିଶାର ପ୍ରଥମ ଉଗ୍ର ସମାଜବାଦୀ ପତ୍ରିକା ‘ସାରଥି’ ପ୍ରକାଶ କରିବା ପାଇଁ ନୁମା ନିଜର ସମସ୍ତ ଅଳଙ୍କାର ବିକ୍ରି କରି ଦେଇଥିଲେ। ‘ବାଜି ରାଉତ ଛାତ୍ରାବାସ’ ଓ ‘ଉତ୍କଳ ନବଜୀବନ ମଣ୍ଡଳ’ ହେଉଛି ନୁମାଙ୍କ ମାନସସନ୍ତାନ। ନୁମା ଅତ୍ୟନ୍ତ କ୍ଷିପ୍ରଗତିରେ କାମ କରୁଥିବାରୁ ମହାତ୍ମା ଗାନ୍ଧୀ ତାଙ୍କୁ ‘ତୋଫାନୀ’ ବୋଲି ଡାକୁଥିଲେ। ଓଡ଼ିଶାର ଆଦିବାସୀ କଲ୍ୟାଣ ଓ ଉନ୍ନତି ଦିଗରେ ମାଳତୀ ଦେବୀ କାମ କରୁଥିଲେ।

ଭାରତୀୟ ସ୍ବାଧୀନତା ସଂଗ୍ରାମ‌ରେ ନୁମାଙ୍କ ଅବଦାନ ଅବିସ୍ମରଣୀୟ। ୭୦ ବର୍ଷରୁ ଅଧିକ ସମୟ ଧରି ଜନସେବା କରିଥିବା ବେଳେ ସେ ‘ରାଜ୍ୟ ସମାଜ ମଙ୍ଗଳ ବୋର୍ଡ’ର ପ୍ରଥମ ସଭାନେତ୍ରୀ ଥିଲେ। ‘ରାଜ୍ୟ ନିଶା ନିବାରଣ ପରିଷଦ’, ‘ରାଜ୍ୟ ତାଳଗୁଡ଼ ସମିତି’, ‘ଉତ୍କଳ ଗାନ୍ଧୀ ସ୍ମାରକ ନିଧି’ ଆଦିର ସଭାନେତ୍ରୀ ଭାବେ ଉନ୍ନତି ଓ ସଂସ୍କାରମୂଳକ କାମ କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ଦିଗରେ ଉଲ୍ଲେଖନୀୟ ଅବଦା‌ନ ପାଇଁ ୧୯୮୮ ମସିହାରେ ତାଙ୍କୁ ସମ୍ମାନଜନକ ‘ବଜାଜ’ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। କିନ୍ତୁ ବାଲିଆପାଳରେ କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠାର ପ୍ରତିବାଦରେ ‌ସେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହାତ‌ରୁ ଏହି ପୁରସ୍କାର ଗ୍ରହଣ କରି ନ ଥିଲେ। ପରେ ଏହି ପୁରସ୍କାର ବାବଦକୁ ୧ ଲକ୍ଷ ଟଙ୍କା ତାଙ୍କୁ ଅନୁଷ୍ଠାନର ସମ୍ପାଦକ ପ୍ରଦାନ କରିଥିଲେ। ଏହି ଟଙ୍କାରେ ସେ ‘ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟ’ ଗଠନ କରିଥିଲେ।
୧୯୯୮ ମାର୍ଚ୍ଚ ୧୫ରେ ଏହି ମହାନ ସଂଗ୍ରାମୀ ଇହଲୀଳା ସମ୍ବରଣ କରିଥିଲେ। କିନ୍ତୁ ତାଙ୍କ ତ୍ୟାଗ, ସେବା, ବ୍ୟକ୍ତିତ୍ବ ଏବଂ ଅବିଭକ୍ତ କୋରାପୁଟ, କନ୍ଧମାଳ, ବଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଚାଲିଚାଲି ଆଦିବାସୀଙ୍କ ପାଇଁ ନୁମା ଯାହା କରିଛନ୍ତି, ତାହା ଏ ମାଟି ଭୁଲି ପାରିବନି।