କୌଣସି କାରଣରୁ କାର୍ଯ୍ୟସ୍ଥଳୀରେ ଲଗାତାର ସପ୍ତାହେରୁ ଅଧିକ ଦିନ କାମ କଲେ ଆମେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥା’ନ୍ତି। ଅବଶ୍ୟ ସେଭଳି ମନସ୍ତାତ୍ତ୍ବିକ କାରଣରୁ ନିଯୁକ୍ତିଦାତାମାନେ ସାପ୍ତାହିକ ଛୁଟିଦିବସର ବ୍ୟବସ୍ଥା କରିଛନ୍ତି। ସ୍ଥଳବିଶେଷରେ ସପ୍ତାହକୁ ଦୁଇ ଦିନ ନିୟମିତ ଛୁଟିର ପ୍ରାବଧାନ ମଧ୍ୟ ରହିଛି। ଅପରପକ୍ଷେ, ଖୁବ୍‌ କମ୍‌ କର୍ମଚାରୀ ଅଛନ୍ତି ଯେଉଁମାନେ ସର୍ବଦା ପ୍ରତିବଦ୍ଧତା ଓ ଅନୁଶାସନର ସହ କାମ କରିଥା’ନ୍ତି। ସେମାନଙ୍କ ମଧ୍ୟରେ ଆମେରିକାର ଲାସ୍‌ ଭେଗାସ୍‌ ବାସିନ୍ଦା ୫୪ ବର୍ଷୀୟ କେଭିନ୍‌ ଫୋର୍ଡ ଏବେ ଚର୍ଚ୍ଚାରେ। ଏକ ବର୍ଗର୍‌ କିଙ୍ଗ୍‌ ରେସ୍ତୋରାଁରେ ଚାକିରି କରିଥିବା ଫୋର୍ଡ ଦୀର୍ଘ ୨୭ ବର୍ଷ ଧରି ଦିନଟିଏ ବି ଛୁଟି ନନେଇ ନିର୍ଦ୍ଧାରିତ ସେବା ଯୋଗାଇ ଚାଲିଛନ୍ତି। ତେବେ ଖୁସିର କଥା, ତାଙ୍କର ଏପରି ନିରନ୍ତର ସେବା ପାଇଁ ତାଙ୍କୁ ନିଆରା ସ୍ବୀକୃତି ମିଳିଛି। ଚାକିରି ଜୀବନର ଶେଷ ଦିନ ସେ ଆଶାତୀତ ଅର୍ଥରାଶି ଦ୍ବାରା ପୁରସ୍କୃତ ହେବେ।

Advertisment

ତେବେ ଏହି ପୁରସ୍କାର ରାଶି ତାଙ୍କ ନିଯୁକ୍ତିଦାତାଙ୍କ ଠାରୁ ନୁହେଁ, ବରଂ ତାଙ୍କ ସେବା ତଥା ପ୍ରତିବଦ୍ଧତା ଶୁଣି ମୁଗ୍‌ଧ ହୋଇଥିବା ପ୍ରଶଂସକମାନଙ୍କଠାରୁ ମିଳିବ। ୨୭ ବର୍ଷର ଚାକିରି ଜୀବନରେ ଦିନଟିଏ ବି ଛୁଟି ନେଇନଥିବାରୁ ଗତ ବର୍ଷ ଫୋର୍ଡଙ୍କ ପାଖକୁ ନିଯୁକ୍ତିଦାତାଙ୍କ ତରଫରୁ ଏକ ଉପହାର ଥଳି ଆସିଥିଲା। ତେବେ ସେ ଏହାକୁ ଖୋଲୁଥିବାର ଭିଡିଓ ପ୍ରସାରିତ ହେବା ପରେ ତାଙ୍କର ଏହି ବିରଳ ଅବଦାନ ସମ୍ପର୍କରେ ଅନ୍ୟମାନେ ଜାଣିବାକୁ ପାଇଲେ। ତା’ପରେ ତାଙ୍କ ନାମରେ ତାଙ୍କ ଝିଅ ଏକ ରାଶି ସଂଗ୍ରହ ଯୋଜନା ଆରମ୍ଭ କରିଥିଲେ ଯେଉଁଥିରେ ଆମେରିକୀୟ ଅଭିନେତା ଡେଭିଡ୍‌ ସ୍ପେଡ୍‌ଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତି ଅର୍ଥଦାନ କରିଥିଲେ। ସେଥିରୁ ତାଙ୍କ ଅବସର ଦିନ ତାଙ୍କୁ ୪ ଲକ୍ଷ ଡଲାର ବା ପାଖାପାଖି ୩.୨୬ କୋଟି ଟଙ୍କା ମିଳିବ ବୋଲି ନିଶ୍ଚିତ ହୋଇଛି। ତାଙ୍କର କଠିନ ପରିଶ୍ରମ ଅପେକ୍ଷା ତାଙ୍କ ଶୃଙ୍ଖଳାବୋଧ ହିଁ ତାଙ୍କୁ ସମ୍ମାନିତ କରିଛି ବୋଲି ଫୋର୍ଡ କହିଛନ୍ତି।