ବୀର ପଣେ ତୁମେ କୀଚକ ବଧିଲ…

ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଉପଲକ୍ଷେ - ପାର୍ଥସାରଥି ଅଜୟ ବାରିକ୍‌

କୀଚକ ବଧ ମହାନ ଗ୍ରନ୍ଥ ମହାଭାରତର ଏକ ଗୁରୁତ୍ବପୂର୍ଣ୍ଣ ଆକ୍ଷାନ। ଅଜ୍ଞାତବାସ ସମୟରେ ପାଣ୍ଡବ ପାଞ୍ଚଭ୍ରାତା ପତ୍ନୀ ଯାଜ୍ଞସେନୀଙ୍କ ସହ ବିରାଟ ରାଜଗୃହରେ ଛଦ୍ମ ବେଶରେ ଆଶ୍ରୟ ନେଇଥିଲେ। ସେତେବେଳେ ଯଦିଓ ବିରାଟ ଥିଲେ ମତ୍ସ୍ୟଦେଶର ରାଜା, ସେ ଥିଲେ ନାମକୁ ମାତ୍ର ରାଜା। କିନ୍ତୁ ସମସ୍ତ କ୍ଷମତାର କେନ୍ଦ୍ରବିନ୍ଦୁ ଥିଲେ ତାଙ୍କର ଶ୍ୟାଳକ ସେନାପତି କୀଚକ। ତାଙ୍କ ଯୋଗୁଁ ରାଜା ବିରାଟ କ୍ଷମତା ଉପଭୋଗ କରୁଥିଲେ। କୀଚକଙ୍କ ଶକ୍ତି ଥିଲା ଅସୀମ ଓ ଅମାପ। ତାଙ୍କୁ ମଲ୍ଲଯୁଦ୍ଧରେ ପରାସ୍ତ କରିବା ସହଜ ନଥିଲା ଏବଂ ସମସ୍ତ ପ୍ରକାର ରଣକୌଶଳରେ ସେ ଥିଲେ ଧୂରନ୍ଧର। ସେଥ‌ିପାଇଁ ଓଡ଼ିଶାର ଲୋକବୋଲି ‘କୀଚକ ବାହୁବଳେ ବିରାଟ ରାଜା’।

ତେବେ କୀଚକଙ୍କୁ ବଧ କଲା କିଏ ?

ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥ‌ିବ।

ମହାମାନୀ ଦୁର୍ଯ୍ୟୋଧନ ପଣ କରିଥିଲେ – ବିନା ଯୁଦ୍ଧ ନଦେବି ସୂଚ୍ୟଗ୍ରେ ମେଦିନୀ। ମାମୁ ଶକୁନୀଙ୍କ କୁପରାମର୍ଶ ଓ ସଖା କର୍ଣ୍ଣଙ୍କ ଅମାପ ଶକ୍ତି ଥିଲା ତାଙ୍କ ପାଇଁ ପ୍ରେରଣାର ଉତ୍ସ। ଏହି ବଳରେ ସେ ଧରାକୁ ସରା ମଣୁଥିଲେ। ଶକୁନି କୂଟ କପଟ କରି ପାଣ୍ଡବମାନଙ୍କୁ ବାରବର୍ଷ ବନବାସ ଓ ବର୍ଷେ ଅଜ୍ଞାତବାସ କରାଇବାର ସତ୍ୟ କରାଇ ଦେଲେ। ଯଦି ଅଜ୍ଞାତବାସରେ ପାଣ୍ଡବମାନଙ୍କୁ କେହି ଧରା ପକାଇ ଦିଏ ବା ଚିହ୍ନା ପଡ଼ିଯାଆନ୍ତି, ତେବେ ସେମାନଙ୍କୁ ଆଉଥରେ ବାରବର୍ଷ ବନବାସ ଯିବାକୁ ପଡ଼ିବ। ଦୁର୍ଯ୍ୟୋଧନ ଏହି ଅଜ୍ଞାତବାସ ସମୟରେ ପ୍ରବଳ ଚେଷ୍ଟା କରିଛନ୍ତି, ପାଣ୍ଡବମାନଙ୍କୁ ଧରିବା ପାଇଁ। ସ୍ବୟଂ ପାର୍ଥସାରଥି ଭଗବାନ କୃଷ୍ଣ ଯାହାଙ୍କୁ ସହାୟ, ତାଙ୍କର ବା କିଏ କ’ଣ କରିପାରିବ ?

ହଠାତ୍ ହସ୍ତିନାରେ ଖବର ପହଞ୍ଚିଲା, ମହାବୀର କୀଚକ ଆଉ ଏ ଧରାଧାମରେ ନାହାନ୍ତି। ତାଙ୍କର ବଧ ହୋଇଯାଇଛି। ଦୁର୍ଯ୍ୟୋଧନଙ୍କ ମନରେ ଅସୁମାରୀ ପ୍ରଶ୍ନ। କୂଟକପଟୀ ଶକୁନି ବାରମ୍ବାର ନିଜକୁ ପ୍ରଶ୍ନ କରୁଥାନ୍ତି – କୀଚକକୁ ବଧ କଲା କିଏ? ଦୁର୍ଯ୍ୟୋଧନ, ଶକୁନି ଓ ମହାଦାନୀ କର୍ଣ୍ଣ ସମସ୍ତେ ବସି ଗୁପ୍ତ ମନ୍ତ୍ରଣା ଚଳାଇଥାନ୍ତି। ହଠାତ୍ ଶକୁନୀଙ୍କ ମନକୁ ଦୁଷ୍ଟବୁଦ୍ଧି ପ୍ରବେଶ କଲା।

କହିଲେ – ଭଣଜା ଦୁର୍ଯ୍ୟୋଧନ! କୀଚକ ମହାବଳଶାଳୀ। ତାକୁ ମାରିବା ଏତେ ସହଜ ନୁହେଁ। ତେବେ ଗୋଟାଏ କଥା ମନେରଖ, କୀଚକକୁ ମାରିବା ପାଇଁ ଛଅ ଜଣ ବ୍ୟକ୍ତି ସମର୍ଥ। ମହାମାନୀ ଦୁର୍ଯ୍ୟୋଧନ ପ୍ରଶ୍ନିଳ ଦୃଷ୍ଟିରେ ଅନାଇଲେ ମାମୁ ଶକୁନୀଙ୍କୁ।

ଶୁଣ ଭଣଜା – କୀଚକକୁ ମାରିବା ପାଇଁ ସମସ୍ତ ପ୍ରକାର ଶକ୍ତି ଓ କ୍ଷମତା ରହିଛି ହଳପାଣି ରେବତୀରମଣ ବଳରାମଙ୍କର। କିନ୍ତୁ ସେ ତ ବର୍ତ୍ତମାନ ଦ୍ବାରକାରେ। ସେ ମାରିବା ସମ୍ଭବ ନୁହେଁ। ପୁନଶ୍ଚ କୀଚକକୁ ମାରିବା ପାଇଁ ଯେଉଁମାନେ ସକ୍ଷମ ସେମାନେ ହେଲେ ପିତାମହ ଭୀଷ୍ମ, ମହାଗୁରୁ ଦ୍ରୋଣ, ମହାଦାନୀ କର୍ଣ୍ଣ ଓ ମହାମାନୀ ଦୁର୍ଯ୍ୟୋଧନ। ତୁମେମାନେ ତ ସମସ୍ତେ ଏଠାରେ। ପିତାମହ ଓ ଗୁରୁ ଦ୍ରୋଣ ତାଙ୍କ ପ୍ରକୋଷ୍ଠରେ ଶୟନ କରୁଥିବାର ମୁଁ ଦେଖୁଛି। ଆଉ ଜଣେ ବ୍ୟକ୍ତିଙ୍କର କୀଚକକୁ ବଧ କରିବାର କ୍ଷମତା ଓ ଶକ୍ତି ରହିଛି। ସେ ହେଉଛନ୍ତି ତମର ମହାଶତ୍ରୁ ଦ୍ବିତୀୟ ପାଣ୍ଡବ ମହାବଳୀ ଭୀମ। ଏଥିରୁ ସ୍ପଷ୍ଟ ଅନୁମେୟ, ଭୀମ ହିଁ କୀଚକକୁ ମାରିଛି। ଆଉ ପ୍ରମାଣ ଖୋଜିବା ଆବଶ୍ୟକ ନାହିଁ। ଏଥର ଆମେ ସମ୍ରାଟ ଧୃତରାଷ୍ଟ୍ର ଓ ପିତାମହ ଭୀଷ୍ମଙ୍କ ପାଖରେ ସ୍ବତଃସିଦ୍ଧ କରିଦେବା ଯେ, ପାଣ୍ଡବମାନଙ୍କର ଅଜ୍ଞାତବାସ ସଫଳ ହୋଇ ନାହିଁ।

ଛାଡ଼ନ୍ତୁ, କୀଚକକୁ ହିଁ ବଧ କରିଛନ୍ତି ମହାବଳୀ ଭୀମ। ୧୯୦୪ ମସିହାଠାରୁ ଅଦ୍ୟାବଧି ଓଡ଼ିଶାରେ ଏକ ଜନଶ୍ରୁତି ରହିଛି – “କୀଚକ ବଧ କଲେ ସ୍ବଭାବ କବି ଗଙ୍ଗାଧର ମେହେର”।

ଯଦିଓ ଭୀମ ହିଁ କୀଚକକୁ ବଧ କରିଛନ୍ତି, ସାହିତ୍ୟିକ ଦୃଷ୍ଟିକୋଣରୁ ଦେଖ‌ିଲେ କୀଚକ ବଧ କଲେ ଗଙ୍ଗାଧର। କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଭାବ ଗଦ୍‌ଗଦ୍ ହୋଇ କହିଲେ –
‘ବୀର ପଣେ ତୁମେ କୀଚକ ବଧିଲ
ତତାଇ ମତାଇ ଛାତି
ସତୀ ପଣେ ପୁଣି ନୟନରୁ ନୀର
ଝରାଇଲ ଦିବା ରାତ୍ରୀ।’

ବାସ୍ତବରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପରେପରେ ଓଡ଼ିଆ ସାହିତ୍ୟର ହୀରୋ (ବୀର) ହେଉଛନ୍ତି ସ୍ବଭାବ କବି ଗଙ୍ଗାଧର। ଉଭୟେ ସୂର୍ଯ୍ୟ ଓ ଚନ୍ଦ୍ର ଭଳି ଓଡ଼ିଆ ସାହିତ୍ୟାକାଶରେ ଉଭା ହୋଇଛନ୍ତି। କୀଚକକୁ ବଧ କରି ଗଙ୍ଗାଧର ଯେଉଁଭଳି ତାଙ୍କର ବୀରତ୍ବ ଦେଖାଇଥିଲେ, ତାଙ୍କର ସର୍ବଶ୍ରେଷ୍ଠ କୃତି ‘ତପସ୍ବିନୀ’ ମାଧ୍ୟମରେ ସତୀତ୍ବର ପରାକାଷ୍ଠା ଜନମାନସରେ ରଖିଦେଲେ ସତୀ ସୀତାଙ୍କ ମାଧ୍ୟମରେ; ଯାହାର ପ୍ରାସଙ୍ଗିକତା ଏବେବି ରହିଛି।

ପାଠକେ, ଆଗରୁ କହିଛି ଛଅ ଜଣ ବ୍ୟକ୍ତି କୀଚକକୁ ମାରିବା ପାଇଁ ସମର୍ଥ ଥିଲେ। ସାହିତ୍ୟିକ ଦୃଷ୍ଟିକୋଣରୁ କୀଚକ ବଧ କଲେ ଗଙ୍ଗାଧର। ସେହିଭଳି ଗଙ୍ଗାଧରଙ୍କୁ ‘କୀଚକ ବଧ’ କରିବାରେ ତାଙ୍କ ପୂର୍ବରୁ ଓ ପରେ ଛଅ ଜଣ ବିଶିଷ୍ଟ ବ୍ୟକ୍ତି ସହାୟତା କରିଥିଲେ। ସେମାନେ ହେଲେ – (୧) କବିବର ରାଧାନାଥ ରାୟ, (୨) ଉତ୍କଳ ଗୌରବ ମଧୁସୂଦନ ଦାସ, (୩) କବି ବ୍ରଜମୋହନ ପଣ୍ଡା, (୪) ଉତ୍କଳକେଶରୀ ଡ଼ ହରେକୃଷ୍ଣ ମହତାବ, (୫) ବିଖ୍ୟାତ କବି ଡ଼ ମାୟାଧର ମାନସିଂ ଓ (୬) ଉତ୍କଳ ବାଚସ୍ପତି ପ୍ରଖ୍ୟାତ ପଣ୍ଡିତ ପ୍ରଫେସର ଗୌରୀକୁମାର ବ୍ରହ୍ମା।

ପ୍ରଥମେ ବାବୁ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ‘ପ୍ରଜାବନ୍ଧୁ’ ପତ୍ରିକାରେ ‘କୀଚକ ବଧ’ ପ୍ରକାଶ ପାଇଥିଲା। ବାବୁ ନୀଳମଣି ବିଦ୍ୟାରତ୍ନ ସେତେବେଳର ବିଖ୍ୟାତ କବି ତଥା ଶିକ୍ଷା ବିଭାଗରେ ସ୍କୁଲ ଇନିସ୍ପେକ୍ଟର ଭାବେ କାର୍ଯ୍ୟ କରୁଥିବା ରାଧାନାଥ ରାୟଙ୍କ ପାଖକୁ ପ୍ରୋକ୍ତ ପ୍ରକାଶିତ ପାଣ୍ଡୁଲିପିଟିକୁ ପ୍ରେରଣ କରିଥିଲେ, ଯାହାର ଭୂୟସୀ ପ୍ରଶଂସା କରିଥିଲେ କବିବର ରାଧାନାଥ। ତା ୧୨.୦୮.୧୯୦୩ ମସିହାରେ ରାଧାନାଥ କୀଚକ ବଧ ସମ୍ପର୍କରେ ନିଜର ମନ୍ତବ୍ୟ ଦେଇ ଲେଖିଥିଲେ –

‘‘… ଏହି ପ୍ରାଚୀନ କାହାଣୀକୁ କବି ଗଙ୍ଗାଧରଙ୍କ ରସମୟୀ ଲେଖନୀ ସମ୍ପୂର୍ଣ୍ଣ ନୂତନ ମୂର୍ତ୍ତିରେ ସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ କରିଅଛି। ପୁରାତନରେ ନୂତନତା ଏବଂ ଆହୃତରେ ମୌଳିକତା ପ୍ରତିଫଳିତ କରିବାର ପ୍ରତିଭାର ବିଧି ପ୍ରତିପାଦିତ ଅଧିକାର ଅଟେ। ଏ ସମ୍ବନ୍ଧରେ କବି ଗଙ୍ଗାଧର ଯେପରି ଶକ୍ତିମତ୍ତା ଦେଖାଇ ଅଛନ୍ତି ତାହା କି ପ୍ରାଚୀନ, କି ଆଧୁନିକ, ଯେକୌଣସି ଉତ୍କଳୀୟ କବିଙ୍କ ପକ୍ଷରେ ଗୌରବାବହ ହୁଅନ୍ତା।

ଗଙ୍ଗାଧର ଉଚ୍ଚଶ୍ରେଣୀର କବି। କି ବହିଃପ୍ରକୃତି, କି ଅନ୍ତଃପ୍ରକୃତି, ଉଭୟଙ୍କର ଯଥାଯଥ ଚିତ୍ରଣରେ ଗଙ୍ଗାଧର ସିଦ୍ଧହସ୍ତ। ଗ୍ରନ୍ଥାଧ୍ୟୟନ କରି ଲୋକେ ପଣ୍ଡିତ ହୋଇପାରନ୍ତି, ମାତ୍ର କବି ହେବାକୁ ହେଲେ କବି ଗ୍ରନ୍ଥାଧ୍ୟୟନ ପର୍ଯ୍ୟାପ୍ତ ନୁହେଁ, ପ୍ରକୃତିଗ୍ରନ୍ଥାଧ୍ୟୟନ ମଧ୍ୟ ଅପରିହାର୍ଯ୍ୟ ରୂପେ ଆବଶ୍ୟକ। ଗଙ୍ଗାଧର ଯେତେବେଳେ ଯାହା ଲେଖନ୍ତି, ପ୍ରକୃତିକୁ ସ୍ବଚକ୍ଷୁରେ ଦେଖି ଲେଖନ୍ତି। ଏହି ହେତୁରୁ ତାଙ୍କର ଉକ୍ତିଗୁଡ଼ିକ ଭାବପ୍ରଦାନ ନହୋଇ ରସପ୍ରଦାନ ହୁଏ। ଏହାର ଭୂରିଭୂରି ପ୍ରମାଣ ତାଙ୍କ ରଚନାରେ ସୁଲଭ… ‘ଇନ୍ଦୁମତୀ’ ଦ୍ବାରା ଯେଉଁ ସ୍ପୁଟୋନୋମୁଖୀ ପ୍ରତିଭାର ଆଦ୍ୟ ସୌରଭ ବିକୀର୍ଣ୍ଣ ହୋଇ ଉତ୍କଳ ସାହିତ୍ୟ-ସଂସାରକୁ ଆମୋଦିତ କରିଥିଲା, ‘କୀଚକ ବଧ’ରେ ସେହି ପ୍ରତିଭା ପୂର୍ଣ୍ଣ ବିକାଶ ପାଇଥିବାର ପ୍ରତୀୟମାନ ହୁଏ।”

ଉତ୍କଳ ଗୌରବ ମଧୁସୂଦନ ଦାସ : ‘ପ୍ରଜାବନ୍ଧୁ’ ପତ୍ରିକାରେ ପ୍ରକାଶିତ କବିବର ରାଧାନାଥ ରାୟଙ୍କ ମନ୍ତବ୍ୟ ପାଠ କରି ଉତ୍କଳ ଗୌରବ ମଧୁସୂଦନ ପୁସ୍ତକର ସମସ୍ତ ମୁଦ୍ରଣ ବ୍ୟୟ ଦାନ କରିବାକୁ ଅଙ୍ଗୀକାର ଥିଲେ, ଯାହାକି କେବଳ ଓଡ଼ିଆ ସାହିତ୍ୟ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ହେବାରେ ସମ୍ମାନ ଲାଭ କଲା।

ବ୍ରଜମୋହନ ପଣ୍ଡା : ଯେମିତି କବିଶ୍ରେଷ୍ଠ କାଳିଦାସଙ୍କ ପାଇଁ ବିକ୍ରମାଦିତ୍ୟ ସେହିଭଳି କବି ଗଙ୍ଗାଧରଙ୍କ ପାଇଁ ବ୍ରଜମୋହନ ପଣ୍ଡା ମହୋଦୟଙ୍କର ପୃଷ୍ଠପୋଷକତା ନଥିଲେ କେବଳ କୀଚକ ବଧ କାହିଁକି, ମେହେର ଓ ମେହେର ମାନସର ପରିପ୍ରକାଶ ଯେ ସମ୍ଭବ ହୋଇ ନଥାନ୍ତା, ଏହା ନିଃସନ୍ଦେହ।

ଉତ୍କଳକେଶରୀ ଡ଼ ହରେକୃଷ୍ଣ ମହତାବ : ଡ଼ ମହତାବ ବହୁ ପ୍ରତିଭାର ଅଧିକାରୀ। ସେ ଏକାଧାରାରେ ରାଜନୀତିଜ୍ଞ, ରାଷ୍ଟ୍ରନୀତିଜ୍ଞ, ସାହିତ୍ୟର ପୃଷ୍ଠପୋଷକ, ଐତିହାସିକ ଏବଂ ଅନ୍ୟ ଅନେକ। ଯଦିଓ ଗଙ୍କାଧର ଶ୍ରେଷ୍ଠ କୃତି ‘ତପସ୍ବିନୀ’, ତଥାପି ଡ଼ ମହତାବ କୀଚକ ବଧ କାବ୍ୟକୁ ତାଙ୍କ ଜୀବଦ୍ଦଶାରେ ସର୍ବଦା ଉଚ୍ଚାସନ ଦେଇଥିଲେ। ଏହି ଲେଖକକୁ (ପାଥସାରଥି ଅଜୟ ବାରିକ) ଡ଼ ମହତାବ ବହୁବାର ତାଙ୍କ ବାସଭବନରେ ‘କୀଚକ ବଧ’ ଗାଇ ଶୁଣାଇବାକୁ କହିଥାନ୍ତି, ଯାହାଙ୍କ ପ୍ରେରଣାରେ କହିବା ବାହୁଲ୍ୟ, ଏହି ଲେଖକ ‘କୀଚକ ବଧ’ କାବ୍ୟକୁ ମୁଖସ୍ତ କରିଦେଇଛି। କେବଳ କୀଚକ ବଧ କାହିଁକି, ଗଙ୍ଗାଧରଙ୍କ ପ୍ରାୟ ସମସ୍ତ କାବ୍ୟ ଜିହ୍ବାଗ୍ରେ ଅଛି ବୋଲି ବହୁ ଶ୍ରୋତା ଓ ପଣ୍ଡିତମଣ୍ଡଳି ମତ ଦେଇଥାନ୍ତି।

ଡ଼ ମାୟାଧର ମାନସିଂହ : ଡ଼ ମାନସିଂହ ଓଡ଼ିଆ ସାହିତ୍ୟର ଜଣେ ଉଚ୍ଚକୋଟୀର କବି। ମାନସିଂହ ମଧ୍ୟ ଗଙ୍ଗାଧର ମେହେର କଲେଜରେ ଅଧ୍ୟକ୍ଷ ଥିଲେ। ସେ ରଚନା କରିଛନ୍ତି ଇଂରାଜୀରେ ‘ହିଷ୍ଟ୍ରି ଅଫ୍ ଓଡ଼ିଆ ଲିଟରେଚର’। ସେହିଭଳି ତାଙ୍କ କବି ଓ କବିତା ସମାଲୋଚନା ଗ୍ରନ୍ଥରେ ମେହେର ସାହିତ୍ୟ ବିଶେଷ କରି କୀଚକ ବଧର ଭୂୟସୀ ପ୍ରଶଂସା କରି ମେହେରଙ୍କୁ ଦେଇଛନ୍ତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଉତ୍କଳ ବାଚସ୍ପତି ପଣ୍ଡିତ ଗୌରୀକୁମାର ବ୍ରହ୍ମା : ପ୍ରଫେସର ଗୌରୀକୁମାର ବ୍ରହ୍ମା ଆମ ସମୟର ସର୍ବଶ୍ରେଷ୍ଠ ବାଗ୍ମୀ, ପଣ୍ଡିତ ଓ ଓଡ଼ିଆ ଭାଷା ସାହିତ୍ୟର ସୁପ୍ରସିଦ୍ଧ ଗବେଷକ। ପ୍ରଫେସର ବ୍ରହ୍ମା ରେଭେନ୍ସା କଲେଜରେ ଅଧ୍ୟାପକ ଥିଲାବେଳେ (୧୯୫୧) ‘ତପସ୍ବିନୀ ଓ ମେହେର ସାହିତ୍ୟ’ ନାମକ ଏକ ସମାଲୋଚନା ଗ୍ରନ୍ଥ ରଚନା କରିଥିଲେ। ସେତେବେଳର ଛାତ୍ରଛାତ୍ରୀଙ୍କ ଗବେଷଣାରେ ଉକ୍ତ ଗ୍ରନ୍ଥଟି ବିଶେଷ ସହାୟକ ହୋଇଥିଲା ପୁନଶ୍ଚ ୨୦୦୫ ମସିହାରେ ଉକ୍ତ ‘ତପସ୍ବିନୀ ଓ ମେହେର ସାହିତ୍ୟ’କୁ ‘ଚିର ସଂଧାନ’ ପକ୍ଷରୁ ପ୍ରକାଶ କରାଯାଇଥିଲା, ଯାହାର ସମ୍ପାଦନା ଦାୟିତ୍ବ ଏ ଲେଖକ ନେଇଥିଲା। ଯଦିଓ ପ୍ରଫେସର ବ୍ରହ୍ମା ତପସ୍ବିନୀକୁ ଉଚ୍ଚାସନ ଦେଇଥିଲେ, ଏ ଲେଖକ ସହିତ ବହୁ ଆଳାପ ଆଲୋଚନା ଓ ବିଭିନ୍ନ ସଭାସମିତିରେ ‘କୀଚକ ବଧ’ କାବ୍ୟର ଭୂୟସୀ ପ୍ରଶଂସା କରିଛନ୍ତି। ଏପରିକି ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରୁ ପ୍ରସାରିତ ହୋଇଥିବା ମେହେରଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଏହି ଲେଖକ ସହିତ ପ୍ରଫେସର ବ୍ରହ୍ମା (ଲକ୍ଷଲକ୍ଷ ଜନତା ଦେଖୁଥିବା ଉକ୍ତ ସିଧା ପ୍ରସାରଣ) ‘କୀଚକ ବଧ’ର ପ୍ରଶଂସା କରିବା ସହିତ ଏହି ଲେଖକକୁ ପ୍ରଶଂସାରେ ପୋତି ପକାଇଲେ।

ଯେଉଁଭଳି କୀଚକକୁ ବଧ କରିବା ପାଇଁ ଛଅ ଜଣ ବ୍ୟକ୍ତି ଭାଜନ ଥିଲେ, ସେହିଭଳି ମେହେରଙ୍କ ‘କୀଚକ ବଧ’ର ଗୁରୁତ୍ବକୁ ବିଶେଷ ଉପଲବ୍ଧି କରିଥିଲେ ପ୍ରୋକ୍ତ ଛଅଜଣ ବ୍ୟକ୍ତି। ଏହା ବାଦ୍ ଓଡ଼ିଶାର ଅଗଣିତ ଶ୍ରଦ୍ଧାଳୁ ପାଠକ ଓ ଶ୍ରୋତା ଏବେବି ସଭାସମିତିରେ କୀଚକ ବଧ କାବ୍ୟ ଶୁଣିବା ପାଇଁ ବ୍ୟାକୁଳ ହୋଇଥାନ୍ତି। ଏହା ହିଁ ମେହେର ମାନସର ପରିଚୟ।

ସମ୍ପାଦକ, ‘ଚିର ସଂଧାନ’
ଫୋନ: ୯୮୫୩୭୮୮୨୪୭
ଇ-ମେଲ: [email protected]

ସମ୍ବନ୍ଧିତ ଖବର